Unknown

 

 

 

 

 

 

 

 

 

 

 

ତିନି ଅଧ୍ୟାୟ

ବଳରାମ ପଟ୍ଟନାୟକ

 

ଯେଉଁ କାହାଣୀଟି ମୁଁ କହିବାକୁ ଯାଉଛି, ସେଇଟି ମୋର ଅଙ୍ଗେ ନିଭେଇବା କଥା । ସତ ମିଛ ଘଟଣା ସେଥିରେ ଆଣି ମୁଁ ଯୋଖିନି କି ଭାଷାର ପୁଟ ଦେଇ ତାକୁ ରଙ୍ଗ ବେରଙ୍ଗ କରିନି-। ଯେଉଁମାନଙ୍କ ବିଷୟରେ କହିବି–ସେମାନେ ମୋର ଜଣାଶୁଣା ଲୋକ । ସେମାନଙ୍କ ସଙ୍ଗେ ମୁଁ ବୁଲାଚଲା କରିଛି, କଥା ହୋଇଛି, ଚଳପ୍ରଚଳ ହୋଇଛି, ସୁଖ ଦୁଃଖ ହୋଇଛି । ମତେ ସେମାନେ ଚିହ୍ନିଛନ୍ତି । ମୁଁ ବି ସେମାନଙ୍କୁ ଭଲଭାବରେ ଜାଣେ । କଥାର ଚରିତ୍ରଗୁଡ଼ିକ ଆମର ପରିଚିତ ଲୋକ-। ଯେଉଁମାନଙ୍କୁ ଆମେ ସଦାବେଳେ ଦେଖୁ । ଭଲ ମଣିଷ ହୋଇଥିଲେ ଭଲ ପାଉ ଓ ଖରାପ ଗୁଣ ଦେଖିଲେ ଘୃଣା କରୁ । କାହାକୁ କାହାକୁ ଭଲରେ ଚଳୁଥିବାର ଦେଖିଲେ ଈର୍ଷା କରୁ ଓ ତା’ ନିକଟରେ ନିଜକୁ ହେୟ ମନେକରୁ । ଦୁଃଖୀ, ଗରିବ ଦେଖିଲେ ମନ ଆମର କରୁଣାରେ ଭିଜିଯାଏ, ସାହାଯ୍ୟ କରିବାକୁ ଆମ ଭିତରର ମଣିଷ ଆଗେଇ ଆସେ, କିନ୍ତୁ ସାହାଯ୍ୟ କରିବାକୁ ଆମର ଅକ୍ଷମତା ପ୍ରକାଶ କରୁ । ଏଇସବୁ ନିତିଦିନିଆ କଥା । ଲେଖାଟି ମୋର ମନଗଢ଼ା ପରିରାଇଜର କାହାଣୀ ନୁହେଁ, ଇସପ ଗଳ୍ପ ନୁହେଁ କି କଳ୍ପନାରୁ ଇଏ ଜନ୍ମଲାଭ କରିନି । ଆମ ଚଉପାଶର ଆକାଶ, ଗୋଡ଼ିମାଟି ଓ ପାଣି ପବନ ଭଳି ଆପଣାର । ଅତି ଆପଣାର ।

 

ପନ୍ଦର ଷୋଳ ବର୍ଷ ତଳର ଘଟଣା । ବାପା, ବୋଉ ଓ ସାନ ସାନ ଭାଇ ଭଉଣୀମାନଙ୍କ ସାଙ୍ଗେ ମୁଁ ପୁରୀ ଆସିଥାଏ । ପୁରୀ ସହରରେ ଆମର ଜଣେ ମାଉସୀ ଥାଆନ୍ତି । ମଉସା ଚାକିରି କରୁଥାଆନ୍ତି । ଆମେ ସବୁ ମାସେ ଦି’ମାସ ରହିବା ପାଇଁ ବୁଲି ଆସିଥିଲୁ । ସେତେବେଳେ ମତେ ବାଇଶି ତେଇଶି ବର୍ଷ । ପଢ଼ାପଢ଼ି ସରିଥାଏ । ଅପେକ୍ଷା କରିଥାଏ ଭଲ ଚାକିରି ଖଣ୍ଡେ । ବାପା ଟାଟା କମ୍ପାନୀରେ ଚାକିରି କରନ୍ତି । ଘର ଆମର କଟକ ଜିଲ୍ଲା ଜଗତସି°ହପୁର ଥାନାରେ । ଗାଁରେ ଜମିବାଡ଼ି ଅଛି । ଘରବାଡ଼ି ଭାଙ୍ଗି ପଡ଼ିଲାଣି । ଜମିତକ ବାପା ଭାଗ ଲଗେଇ ଦେଇଥାଆନ୍ତି । ବର୍ଷକୁ ବର୍ଷ ଭାଗଧାନର ଟଙ୍କା ଯାଏ । ଜନ୍ମ ହେଲାଦିନୁ ମୁଁ ଆମ ଗାଁକୁ ଯାଇ ନ ଥିଲି । ଜମିବାଡ଼ି ଚିହ୍ନିବା କଥା ତ ଛାଡ଼ିଦିଅ । ବାପା ଇଚ୍ଛା କରିଥିଲେ ଟାଟା କମ୍ପାନୀରେ ଚାକିରି ଖଣ୍ଡ ମୋ ପାଇଁ ଯୋଗାଡ଼ କରିଦେଇ ପାରିଥାନ୍ତେ; କିନ୍ତୁ ମୁଁ ଘରର ବଡ଼ ପୁଅ ହୋଇଥିବାରୁ ଓ ଜମିବାଡ଼ି କଥା ବୁଝିବାକୁ ଏତେ ଦୂରରେ ଚାକିରି ପାଇଁ ସେ ଇଚ୍ଛା କଲେନି । ତା’ପରେ ମୁଁ କଟକରେ ଚାକିରି କଲି । ଚାକିରି ପାଇବା ଆଗରୁ ଘରର ଆମେ ସମସ୍ତେ ପୁରୀ ବୁଲି ଆସିଥିଲୁ । ରହିଲୁ ଆସି ମାଉସୀଙ୍କ ଘରେ । ମନ୍ଦିରର ଉତ୍ତର କଡ଼କୁ ଗୋଟେ ଗଳି ଭିତରେ ତାଙ୍କ ଘର । ଗଳିର ରାସ୍ତା ସେତେବେଳେ ଖାଲଢ଼ିପୁଆ ଥିଲା । ଏବେ ସେଥିରେ ପିଚୁ ପଡ଼ଗଲାଣି । ଆଗେ ସାଇମୁଣ୍ଡରେ କିରାସିନୀ ବତୀ ଜଳୁଥିଲା । ଏବେ ଇଲେକ୍‌ଟ୍ରିକ ଲାଗିଛି । ପାଣି ପାଇପ୍ ବି ସାଇ ଭିତରକୁ ଆସିଗଲାଣି । ସାଇରେ ଗୋଟେ ଯୋଡ଼େ ନୂଆ ଘର ତୋଳା ହୋଇଛି । କିନ୍ତୁ ମଉସାଙ୍କ ଘରଟା ଯେମିତି ଥିଲା ସେମିତି । ପରବର୍ତ୍ତନ ଭିତରେ ସେ ଘରେ କାନ୍ଥଯାକ ଶିଉଳୀ ଲାଗିଗଲାଣି । ମଉସା ମାଉସୀ ନାହାନ୍ତି । ଆଉ କିଏ ସବୁ ସେ ଘରେ ଭଡ଼ା ଅଛନ୍ତି । ତାଙ୍କ ପାଖ ଘରଟା–ପନ୍ଦର ବର୍ଷ ତଳେ ଯେଉଁ ଘର ରୂପା ଭଳି ଦାଉ ଦାଉ ଜଳୁଥିଲା, ଘରେ ଦୁମ୍‌ଦାମ୍ ଆଉ ଖିଆପିଆର ଧୂଳା ଉଡ଼ୁଥିଲା, ସେ ଘରର କାନ୍ଥ ଏବେ ଭୁଷୁଡ଼ି ପଡ଼ିଲାଣି । ଛାତ ଆଁ କରି ରହିଛି, କେତେବେଳେ ଯେ ଅଜାଡ଼ି ହୋଇ ପଡ଼ିବ କିଛି ଠିକ୍ ନାହିଁ ।

 

ମାଉସୀଙ୍କ ଘରେ ମୁଁ ନାଁ’କୁ ମାତ୍ର ସିନା ରହୁଥିଲି; କିନ୍ତୁ ସଦାବେଳେ ମୁଁ ଚଳପ୍ରଚଳ ହୁଏ ସେଇ ପଡ଼ିଶାଘରେ । ଘର ମାଲିକ ପଦନ ବଳିଆର ସିଂ । ଖୋର୍ଦ୍ଧା ଜିଲ୍ଲାର ପାଇକସାହି ବୋଲି ଗୋଟିଏ ଗାଁରେ ତାଙ୍କର ସାବକ ଘର । ଶହ ଶହ ବାଟି ଜମି । ପୁରୁଣା କାଳିଆ ବିଭବ ଦେଖାଇବାକୁ ଗୋଟେ ଯୋଡ଼େ ଘୋଡ଼ା ବି ତାଙ୍କ ପାଚିରୀ ପାଖରେ ଚରୁଥାଆନ୍ତି । ତାଙ୍କ ନା ଶୁଣିଲେ ସେ ଅଞ୍ଚଳରେ ଲୋକେ ଚମକି ପଡ଼ନ୍ତି । କଥା ତାଙ୍କର ହେଲା ବେଦର ଗାର । ଖାଲି ପାଇକସାହି ନୁହେଁ, ପାଖଆଖର କୋଡ଼ିଏ ପଚିଶ ଖଣ୍ଡ ଗାଁର ଲୋକେ ବଳିଆରସିଂଙ୍କ ନାଁ ପଡ଼ିଲେ ଦୂରରେ ଯାଇ ଜୁହାର ହୁଅନ୍ତି । ଟଙ୍କା, ସୁନା, ଧାନ, ଚାଉଳ କଥା ତ ଛାଡ଼ିଦିଅ । ଲୋକେ କହନ୍ତି–ତାଙ୍କ ବାରିଆଡ଼ର ପାଳଗଦା ଏତେ ବଡ଼ ଯେ ତା ଉପରୁ ଜଟଣି ଷ୍ଟେସନ ଦେଖାଯାଏ । ହଳିଆମାନଙ୍କ ଭିତରୁ ଜଣେ ଅଧେ କହନ୍ତି–ବଳିଆରସିଂଙ୍କ ପାଳଗଦା ଉପରୁ ପୁରୀ ନୀଳାଚଳ ବି ଦିଶେ ।

 

ବଳିଆରସିଂ ପୁରୀରେ ଘର ଖଣ୍ଡେ ତାଙ୍କର ରଖିଥାଆନ୍ତି । ଦୋହରା ଘର । ପୁରୀ ସହରରେ ଏମିତି କେତେ କେତେ ଲୋକଙ୍କର ଦୋହରା ଘର ଦେଖିବାକୁ ମିଳେ ! ରାଜା ମହାରାଜା, ଭାରାତବର୍ଷର ଚାରିଆଡ଼ର ଶେଠ, ସାହୁକାର, ଜମିଦାର, ମହନ୍ତ ଓ ଥିଲାବାଲା ଲୋକେ ନୀଳାଚଳ କ୍ଷେତ୍ରରେ ଜାଗା ଖଣ୍ଡେ ପକାଇ ଦେଇଥାଆନ୍ତି । ଅଧିକାଂଶ ଘରଗୁଡ଼ିକ ସମୁଦ୍ର କୂଳିଆ ଅଞ୍ଚଳରେ । ବାହାର ଲୋକଙ୍କୁ ସେ ପଟଟା ହେଲା ସୁବିଧା । ଆମ ବଳିଆରସିଂଙ୍କ ଭଳି ଲୋକମାନେ ସମୁଦ୍ରକୂଳିଆ ଜାଗାରେ ଆସ୍ଥାନ ଜମାନ୍ତିନି । ଗାଳି ସାଇରେ ରହନ୍ତି । ଲୋକମାନଙ୍କ ସାଙ୍ଗେ ସେମାନଙ୍କର କାରବାର । ତା’ ଛଡ଼ା ଦେଉଳ ଓ ଜଗନ୍ନାଥଙ୍କ ସାଙ୍ଗେ ଦେଖା ସାକ୍ଷାତ । ପୁରୀ ଆସିଲେ ସେମାନଙ୍କର ବଡ଼ କାମ ହେଲ ମାଲିମକଦ୍ଦମା । କିଏ ଟଙ୍କା ନେଇଥିଲା ତା ନାଁ’ରେ ହାଣ୍ଡନୋଟ ନାଲିସ କରିବା, କାହା ଜମିକୁ ଶାଗ ମାଛ ମୂଳରେ ଜବରଦସ୍ତି ମାଡ଼ିବସିବା, କାହା ନାଁ’ରେ ମିଛ ମକଦ୍ଦମା କରି ତାକୁ ଜବତ୍ କରିବା ଓ ନିଜର କ୍ଷମତା ବଜାୟ ରଖିବା । ସେଇଥିପାଇଁ ବଳିୟାର ସିଂ କିମ୍ବା ତାଙ୍କ ଗୁମାସ୍ତା କେହି ହେଲେ ମାସକେ ଥରେ ଅଧେ ପୁରୀ ଆସନ୍ତି । ଘର ଜଗିବାକୁ ବୁଲିମା’ ବୋଲି ଜଣେ ସ୍ତ୍ରୀ ଲୋକ ଥାଏ । ପନ୍ଦର ଷୋଳ ବର୍ଷ ତଳେ ମୁଁ ଯେତେବେଳେ ପୁରୀ ଆସିଥିଲି, ବୁଲିମା’ ସେତେବେଳେ ବୟସ ଥିବା ମାଇପିଟିଏ ଭଳି ଦେଖାଯାଉଥିଲା । ପଚିଶଠୁ ତିରିଶ ବର୍ଷ ଭିତରେ ବୟସ । ବେଶ୍ କାର୍ଯ୍ୟଦକ୍ଷ । ବଳିଆର ସିଂଙ୍କର ଏଡ଼େ ବଡ଼ ଘର ହେପାଜତ୍‌ ସେ ଏକା କରେ । ସେତେବେଳେ ତା’ର ଦି’ ତିନି ବର୍ଷର ଗୋଟିଏ ଝିଅ ଥିଲା । ଝିଅଟିକୁ ଅନେକ ସମୟରେ ମୁଁ କୋଳରେ ଧରିଥାଏ । ପିଲାଟିକି ଧରିବାକୁ ମତେ ଭାରି ଭଲ ଲାଗେ । ତାକୁ ଛାତ ଉପରକୁ ବୁଲେଇ ନିଏ । କେତେ ମିଠେଇ ଓ ଖେଳଣା ଆଦି ଦେଇଛି । ଝିଅଟି ସଦାବେଳେ ବୁଲୁଥାଏ ବୋଲି ମା’ ତାକୁ ‘ବୁଲି’ ବୋଲି ଡାକୁଥିଲା । ଭଲ ନାଁ ତାର ଅନ୍ନପୂର୍ଣ୍ଣା । ଏଥରକ ମୁଁ ଆସିଲାବେଳକୁ ସମସ୍ତେ ତାକୁ ‘ଅନୁ’ ବୋଲି ଡାକୁଛନ୍ତି । ସେ ଆଉ ସାନ ଛୁଆଟିଏ ହୋଇନାହିଁ । ଅଠର ଉଣେଇଶି ବର୍ଷର ଯୁବତୀ । ବୟସର ଗୁରୁଭାବରେ ଓ ରୂପର ଝଲକରେ ସେ ଝଲସି ଉଠୁଛି । ବୁଲିମା’ର ଝିଅ ବୋଲି କେହି କେବେ ତାକୁ କହିବେନି । ଯେ କୌଣସି ଲୋକ କହିବ–ଝିଅଟି ଗୋଟିଏ ଅଭିଜାତ ଘରର ପିଲା । ମୁଁ ଯେତେବେଳେ ତାକୁ ଦେଖେ, ପ୍ରଥମେ ଚିହ୍ନିପାରିଲିନି । ବୁଲିମା’ ମତେ ଚିହ୍ନେଇଦେଲା–ଯୋଉ ବୁଲିକୁ ଦିନ ରାତି ଜାକିଧରି ବୁଲେଇ ନେଉଥିଲି, ସେ ସେଇ ବୁଲି । ବୁଲମା’ଠୁଁ ଶୁଣିସାରି ପହିଲେ ତା’ ଆଡ଼କୁ ଚାହିଁ ହସିଦେଲି । ପିଲାଦିନଠୁଁ ପନ୍ଦର ଷୋଳ ବର୍ଷ ଭିତରେ ପରିବର୍ତ୍ତନ ଲକ୍ଷ୍ୟ କଲି । ମାଇକିନିଆ ଝିଅଗୁଡ଼ାକ କେତେ ଶୀଘ୍ର ଯେ ବଢ଼ି ଯାଆନ୍ତି, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

 

ପିଲାଦିନେ ବାପାଙ୍କ ସାଙ୍ଗେ ମୁଁ ଯେତେବେଳେ ପୁରୀ ଆସିଥିଲି, ସେତେବେଳେ ବଳିଆର ସିଂଙ୍କର ପିଲାମାନେ ବି ଆସିଥିଲେ । ସ୍ତ୍ରୀଙ୍କୁ ତାଙ୍କର ବେଶି ବୟସ ହେବନି; ତିରିଶି ଏପଟେ । ଚାରି ଚାରିଟା ଛୁଆ । ସାନ ପୁଅକୁ ସେତେବେଳେ ତିନି ବର୍ଷ । ଝିଅଟି ବଡ଼ । ତେର ଚଉଦ ବର୍ଷର । ତା’ ତଳକୁ ଲାଗି ଲାଗି ତିନୋଟି ପୁଅ । ବଳଆର ସିଂଙ୍କର ସ୍ତ୍ରୀ ସେତେବେଳେ ଅନ୍ତଃସତ୍ତ୍ଵା । ଗାଁରେ କ’ଣ ଅସୁବିଧା ପଡ଼ିଲା ବୋଲି ବୋଧେ ପୁରୀ ନେଇଆସିଥିଲେ । ପୁରୀରେ ରହିଲେ କ’ଣ ହେବ, ବଳିଆର ସିଂଙ୍କର ଗାଁକୁଯିବା ଆସିବା ବନ୍ଦ ନ ଥାଏ । ଜମିବାଡ଼ି କଥା । ସେଠାରେ ଦଣ୍ଡେ ନ ରହିଲେ ନ ଚଳେ । ତା’ ଛଡ଼ା ଗାଁରୁ ସଦାବେଳେ ଲୋକ ଆସୁଥାନ୍ତି, ଯାଉଥାନ୍ତି । ଦି’ ତିନି ଦିନରେ ଥରେ ଦୁଆର ମୁହଁରେ ତାଙ୍କର ଖଣ୍ଡେ ଦି’ଖଣ୍ଡ ଶଗଡ଼ ଆସି ଲାଗେ । ବଡ଼ ଝିଅର ନାଁ ରମା । ସଦାବେଳେ ଆମ ଘରେ ସେ ଆସି ବସାଉଠା କରେ । ଝିଅଟି ଗାଁ ସ୍କୁଲରେ ମାଇନର ପାଶ୍ କରିଥାଏ । ଦେହଯାକ ତା’ର ସୁନା ଅଳଙ୍କାରରେ ଭରା । ବଳିଆରସିଂଙ୍କ ସ୍ତ୍ରୀଙ୍କୁ ମୁଁ ମାଉସୀ ବୋଲି ଡାକୁଥିଲି । ତାଙ୍କ ଦେହର ଅଳଙ୍କାରଯାକ ଜମେଇଦେଲେ ଡାଲାଏ ଖଣ୍ଡେ ହେବ । ଏପରିକି ଅଣ୍ଟାସୁତା ଆଦି ସୁନା । ଗୋଡ଼ରେ ସୁନା ଜିନିଷ ଲଗାଇବାକୁ ମନା ଅଛି ବୋଲି କେବଳ ରୂପା ଅଳଙ୍କାର ଥିଲା । ପୁରୀକୁ ଆସିଲେ ସେମାନଙ୍କ ସାଙ୍ଗେ ଗଣ୍ଡେ ଛ’ଟା ଚାକର ବାକର ଥାଆନ୍ତି । ଏସବୁ ହେଲେ ବି ସେମାନଙ୍କର ଢଙ୍ଗଢ଼ାଙ୍ଗ କେମିତି ଟିକିଏ ମଫସଲ ଧରଣର । ତାଙ୍କ ଘରକୁ ବୁଲିଗଲା ବେଳେ କେଜାଣି କାହିଁକି ମତେ ଭଲ ଲାଗେନାହିଁ । ସବୁ ଜିନିଷ ଆବୁରୁ ଜାବୁରୁ ହୋଇ ପଡ଼ିଥିବ, ଆଉ ପିଲାଠୁଁ ଆରମ୍ଭ କରି ବଡ଼ଯାଏ ସମସ୍ତେ ଖାଲି ପାଟିତୁଣ୍ଡ କରି ଘର ଫଟାଉଥିବେ ।

 

ସେମାନେ ଆମର ଏକା ଜାତି । କଥା ପ୍ରସଙ୍ଗରେ ସେମାନେ ଶୁଣିବାକୁ ପାଇଲେ–ମୁଁ ପଢ଼ାପଢ଼ି ସାରିଦେଇ ଆସିଛି ଓ ସରକାରୀ ଚାକିରିକୁ ଅପେକ୍ଷା କରିଛି । ମାଉସୀ ବୋଉ ସାଙ୍ଗରେ ଦିନେ କଥା ହେଉଥିଲା ବେଳେ, ରମା ସାଙ୍ଗରେ ମୋର ବାହାଘର ପ୍ରସ୍ତାବ ଉଠେଇଲେ । ମାଉସୀ ଭଲ ଭାବରେ ଜାଣିଥିଲେ–ଆମର ମନା କରିବାର କୌଣସି କାରଣ ନାହିଁ । ବିଭାଘର ବେଳେ ମୁଁ ଯେ ଅପର୍ଯ୍ୟାପ୍ତ ସମ୍ପତ୍ତି ଆଉ ଜମିବାଡ଼ି ପାଇବି, ଏଇଟା ଥିଲା ଅତି ଜଣାଶୁଣା କଥା । ସେଥିପାଇଁ ବୋଉ ଶୁଣୁଶୁଣୁ ହଁ କରିଦେଲା । ଏତିକି ଖାଲି କହିଲା, ଆଉ ବର୍ଷେ ଖଣ୍ଡେ ଯାଉ । ଝିଅକୁ ଷୋହଳ ପୂରିଯାଉ । କଥା ତ ଠିକ୍ ହେଲା, ଆଉ ମହାର୍ଦ୍ଦ ଟେକାର ଦରକାର କ’ଣ ଅଛି ? ରମା ଏ ବିଷୟରେ ବୋଧେ ଜାଣିଥିବ । ମୁଁ ବି ଏ କଥା ଶୁଣିବାକୁ ପାଇଲି । ରମା ଏ ଥର ମତେ ଦେଖିଦେଲେ ଓଠ କଣରେ ହସର ଛିଟିକା ଖେଳେଇ, ମୁହଁ ପୋତି ପୋତି ଚାଲିଯାଏ ବେଗେ ବେଗେ ଓଢ଼ଣା ଟାଣି ଓ ଦିହ ହାତ ଘୋଡ଼େଇ । ରମାର ଏଇ ଚାଲିଚଳନ ଦେଖିବାକୁ ମତେ ଭଲ ଲାଗେ । ଜାଣି ଶୁଣି ତା’ ଯିବା ବାଟରେ ବେଳେ ବେଳେ ମୁଁ ଛିଡ଼ା ହୋଇପଡ଼େ । ସୁବିଧା ପଡ଼ିଲେ ସମସ୍ତଙ୍କୁ ଲୁଚେଇ, କେହି ନ ଜାଣିଲା ଭଳି ରମାକୁ ମୁଁ ଭଲ ଭାବରେ ଦେଖିନିଏ । ସେ ବି ମୋ ଗତିବିଧି ଏମିତ ଲକ୍ଷ୍ୟ କରୁଥିବ । ତା’ର ପ୍ରମାଣ ପାଇଗଲି । ଥରେ ମୁଁ ଆମ ଛାତ ଉପରକୁ ଯାଇଛି, ଦେଖିଲି–ରମା ତାଙ୍କ ଘରର ଗୋଟିଏ ଫାଙ୍କ ଦେଇ ଅନ୍ୟ କେହି ନ ଜାଣିଲାଭଳି ଆମ ଘର ଭିତରକୁ ଅନାଇଛି, ଯୋଉଠି ମୁଁ ବେଶି ଚଳପ୍ରଚଳ ହୁଏ, କଥା ହୁଏ ଆଉ ପାଟିତୁଣ୍ଡ କରେ । ଛାତ ଉପରକୁ ଯାଇ ମୁଁ ଅଳ୍ପ ଜୋର୍‌ରେ କାଶିଦେଲି । ରମା ଲାଜରା ହୋଇ ଘର ଭିତରକୁ ସେଦିନ ପଳାଇଲା । ଯେଉଁ ପୁଅ ଝିଅଙ୍କ ବିଷୟରେ ବିଭାଘର ପ୍ରସ୍ତାବ ପଡ଼େ, ବିବାହ ହେଉ କି ନ ହେଉ, ଦୁହେଁ ପରସ୍ପରକୁ ଦେଖିନେବାର ସୁଯୋଗ ଉଣ୍ଡୁଥାଆନ୍ତି । ଖାଲି ସେତିକି ନୁହେଁ, ତାଙ୍କ ଘରକୁ ଦିନେ ମୁଁ ଖାଇବାକୁ ଯାଇଥିଲି । ରମା ଆଗେ ଆଣି ପରଷିଥିଲା ପୁଳି ଆଉ ସରୁଚକୁଳି । ରମାର ମୁରୁକି ହସ ସାଙ୍ଗରେ ସେତକ ମତେ ଭାରି ଭଲ ଲାଗିଥିଲା । ଏବେ ବି ସେଦିନଟି ମୋର ମନେଅଛି ।

 

ବାପାଙ୍କ କାନକୁ ଏ କଥା ଗଲା । ବୋଉ ସେମାନଙ୍କୁ କଥା ଦେଇଛି ବୋଲି କହିଲା । ବାପା ହଁ କି ନାହିଁ କିଛି କହିଲେନି । ପ୍ରସ୍ତାବ କେବଳ ଶୁଣିଲେ ଆଉ ତୁନି ରହିଲେ । ଛୁଟିସାରି ଆମେ ଟାଟା ଫେରିଆସିଲୁ । ବଳିଆର ସିଂଙ୍କ ଘରୁ ସେଇ ବିଭାଘର ପ୍ରସ୍ତାବ ନେଇ ଅନେକ ଚିଠି ଆସିଲା । ବାପା ଖଣ୍ତିଏ ହେଲେ ଚିଠିର ଉତ୍ତର ଦେଲେନି । ପ୍ରସ୍ତାବଟି ଆପେ ଆପେ ଭାଙ୍ଗିଗଲା । ବର୍ଷକ ପରେ ମୁଁ ଆଉ ଗୋଟିଏ ଜାଗାରେ ବିବାହ କଲି । ଆଜି ବୁଝୁଚି, ବାପା କାହିଁକ ସେ ବିବାହ ପ୍ରସ୍ତାବରେ ରାଜି ହୋଇ ନ ଥିଲେ !

 

ତା’ର ପ୍ରଧାନ କାରଣ ହେଲା ବୁଲିମା’ ।

 

ପ୍ରଥମେ ଆସିଥିଲା ବେଳେ ମୁଁ କିଛି ଜାଣିପାରି ନ ଥିଲି । ପରେ ବୁଝିଲି ଶୁଣାଶୁଣିରେ ।

 

ବୁଲିମା’ ବଳିଆର ସିଂଙ୍କର କେବଳ ଘର ଜଗୁଆଳି ହୋଇ ନ ଥଲା, ସେ ଥିଲା ଜମିଦାରଙ୍କର ରକ୍ଷିତା ହିସାବରେ । ପୁରୀରେ କେବଳ ସେଇ ଜଣେ ନ ଥିଲା । ଆଉ କେତେ ଜଣ ବି ଥିଲେ; କିନ୍ତୁ ବୁଲିମା’ ଭଳି ଧରାବନ୍ଧା ନୁହନ୍ତି । ତା’ ଭଳି ଭାତ ବରତନ ଖାଇ ଆଉ କେହି ନିଜର ହୋଇ ନ ଥିଲେ । ଯେଉଁମାନେ ଥିଲେ, ସେମାନେ ସଉଦା କିଣିଲା ଭଳି । ଚିହ୍ନା ଦୋକାନଟିଏ ହେଲେ କି ଦୋକାନୀଟି ଚିହ୍ନା ଗରାଖଟିଏ ପାଇଲେ, ଦି’ଜଣଙ୍କ ଭିତରେ ଯେତିକି ସମ୍ପର୍କ, ସେତିକି-। ତା’ ଛଡ଼ା ନିଜ ଗାଁରେ ବି କେତେ ଝିଅ ବୋହୂ ଅଛନ୍ତି । ବଳିଆର ସିଂ ଯୁବକ ସମୟରୁ ଯାହା ଉପରେ ଥରେ ଆଖି ପକାନ୍ତି, ଚୁମ୍ବକ ଲୁହାକୁ ଟାଣି ଆଣିଲା ଭଳି ତାଙ୍କର ଧନ ଆଉ କ୍ଷମତା ବଳରେ ତାକୁ ଘର ଭିତରକୁ ଭିଡ଼ି ଆଣନ୍ତି । ପାଟି ଫିଟାଇବାକୁ ଯୁ’ ନ ଥାଏ । ତା’ ଛଡ଼ା କଟକ, କଲିକତା, ରମ୍ଭା, ବରହମପୁର ଓ ତାଙ୍କ ଖମାରମାନଙ୍କରେ ବି ଏକା କଥା । ବଳିଆର ସିଂ ଯେ ଖରାପ ଧରଣର ଲୋକ ଥିଲେ, ଏ କଥା ନିଃସନ୍ଦେହରେ କୁହାଯାଇପାରେ ।

 

ତା’ ଛଡ଼ା ମାଇପି ରଖିବା ଓ ସେମାନଙ୍କୁ ଖୁଆଇ ପିଆଇ ଚଳେଇବା, ବୟସ ଖସିଗଲେ ସେମାନଙ୍କ ପାଇଁ ଜମିବାଡ଼ି ଖଞ୍ଜି ଦେଇ ଥଇଥାନ କରିବା, ତାଙ୍କ ଆଡ଼ୁ, ପିଲାଝିଲା ହେଲେ ସେମାନଙ୍କୁ ବେହେରାଣିଆ ପିଲା ବୋଲି ଆଖ୍ୟା ଦେଇ ସେମାନଙ୍କ ପାଇଁ ସ୍ଵତନ୍ତ୍ର ଗୋଟିଏ ଜାତି ଠିକ୍ କରିବା ଥିଲା ସେ ସମୟର ଆଭିଜାତ୍ୟ ।

 

ବଳିଆର ସିଂଙ୍କ ବାପାଙ୍କ ଅମଳରେ ଏଇଟା ଥିଲା ଗୋଟାଏ ଧରବନ୍ଧା କଥା । ଯିଏ ଯେତେ ମାଇପି ରଖି ସେମାନଙ୍କ ପିଛା ଜମିବାଡ଼ି ଖଞ୍ଜି ଦେଉଥିଲା, ସେ ସେତିକି ବଡ଼ ବୋଲି ଗଣ୍ୟ ହେଉଥିଲା । ସମାଜରେ ସେତିକି ତାର ଖାତିର ଥିଲା । ଲୋକେ ଧନୀ ଜମିଦାର ବୋଲି ମାନୁଥିଲେ । ଖାଲି ପାଇକ ସାହି ନୁହେଁ, ସାର ଦେଶରେ ବଡ଼ ବଡ଼ ଲୋକମାନଙ୍କର ଏଇଆ ଥିଲା ଚାଲ୍ ।

 

ଦ୍ଵିତୀୟ ଥର ପାଇଁ ମୁଁ ଯେତେବେଳେ ପୁରୀ ଆସେ, ଭାବିଥିଲି କେଉଁ ହୋଟେଲରେ, ଧର୍ମଶାଳାରେ ନୋହିଲେ ଭଡ଼ାଘରେ ଅଳ୍ପଦିନ ରହି ଫେରିଯିବି । ମୁଁ ଏକା ପୁରୀ ଆସିଥିଲି । ଏହା ପରେ ବାହାଚୁଡ଼ା ହୋଇ ମୁଁ କଟକରେ ଚାକିରି କରୁଛି । ତିନି ତିନିଟା ଛୁଆ । ବାପା ମରିଗଲେଣି । ଘରେ କେବଳ ବୋଉ । ଛୋଟ ଭାଇ ଭଉଣୀମାନଙ୍କୁ ଲାଳନ ପାଳନ କରି, ସେମାନଙ୍କୁ ପାଠ ପଢ଼ାଇ, ଭଉଣୀମାନଙ୍କୁ ବାହା ଦେଇ, ଭାଇମାନଙ୍କୁ ଉଡ଼େଇ ନେବା ଆଦି କାମ ଘରର ବଡ଼ପୁଅ ହିସାବରେ ଥିଲା ମୋର ଦାୟିତ୍ୱ । ତେଣୁ ଗଲା କେଇ ବର୍ଷ ଭିତରେ ବାପାଙ୍କ ମୃତ୍ୟୁ ପରେ ପରେ ନିଃଶ୍ଵାସ ମାରିବାକୁ ମୁଁ ସମୟ ପାଇନି ।

 

କଟକରୁ ପୁରୀ କେତେ ସମୟର ବାଟ । କେତେ ଅବା ପଇସା ଖର୍ଚ୍ଚ ହୋଇଥାନ୍ତା ? କିନ୍ତୁ ମୁଁ ମୋର ଜଞ୍ଜାଳ ଭିତରେ ଏତେ ବୁଡ଼ି ରହିଥିଲି ଯେ, ଘରୁ ଗୋଡ଼ କାଢ଼ିବାକୁ ହିଁ ସମୟ ମୋର ନ ଥିଲା । ଅନେକ ଦିନ ହେଲା ଭାବିଥିଲି, ଦି’ମାସ ଖଣ୍ଡେ ଛୁଟି ନେଇ କୁଆଡ଼େ ହେଲେ ବୁଲିଯିବି । ଘରୁ ମୋର ଦାୟିତ୍ୱ କମିଗଲାଣି । ଘର ଚଳେଇବାକୁ ଭାଇମାନେ ବି ବଡ଼ ବଡ଼ ଆସି ହୋଇଗଲେଣି । ଛୁଟି ମଞ୍ଜୁର ହୋଇଗଲା ପରେ ପନ୍ଦର ଷୋହଳ ବର୍ଷ ତଳର ପୁରୀ ଆସିବା କଥା ମୋ ଆଖି ଆଗରେ ନାଚିଉଠିଲା । ଠିକ୍ କଲି–ଆଗ ପୁରୀ ଯିବି । ତା’ପରେ ଯେଉଁଆଡ଼କୁ ଯିବା ନ ଯିବା କଥା ।

 

ପୁରୀ ଆସି ସିଧା ଓହ୍ଳେଇଲି ଧର୍ମଶାଳାରେ । ସଞ୍ଜବେଳକୁ ବୁଲିମା’ ଘରଆଡ଼େ ବୁଲି ଆସିଲି । ବଳିଆର ସିଂଙ୍କ ଘରକୁ ଦେଖି ଆଗ ମୁଁ ଚିହ୍ନି ପାରିଲିନି । ଘର ଫାଟିଗଲାଣି । ଚୂନ, ସିମେଣ୍ଟ ଛାଡ଼ି ପଦା ହେଲା ଭଳି ଦେଖାଯାଉଛି । ଘରେ ପାରା, ଚଟିଆ ଓ ବଣି ଆଦି ପକ୍ଷୀ ବସା ବାନ୍ଧିଛନ୍ତି । ଦୂରରୁ ଦେଖି ଭାବିଲି, ଏଠି କେହି ବୋଧେ ଆଉ ରହୁନାହାନ୍ତି । ଫେରିଯିବାକୁ ବସିଥିଲି-। ଦେଖିଲି, ତା’ ଭିତରୁ ବାହାରିଲା ଜଣେ ବୁଢ଼ୀ । କାଶି କାଶି ସେ ବେଦମ୍ ହୋଇପଡ଼ୁଛି-। ମୁଁ ଏପଟ ସେପଟ ହେଉଥିବା ଦେଖି ସେ ମତେ ଭଲରୂପେ ଚିହ୍ନି ନେଲା । ପାଖକୁ ଦଉଡ଼ି ଆସି ମୋର ହାତ ଭିଡ଼ିଲା । ସେତିକିବେଳେ ମୁଁ ଚିହ୍ନିଲି ଯେ ସେ ବୁଲିମା’ । ଯେତେ ମନାକଲେ ବି ସେ ଶୁଣିଲାନି । ଚାଲି ଚାଲି ମୋ ସାଙ୍ଗେ ଧର୍ମଶାଳାଯାଏ ଗଲା । କାଳେ ମୁଁ ନ ଆସି ପଳେଇ ଯିବି-। ତା’ କଥା ଏଡ଼େଇ ନ ପାରି ମୋର ବେଡ଼ିଂପତ୍ର ଧରି ବୁଲିମା’ ସାଙ୍ଗରେ ମୁଁ ସେଠାରେ ଆସି ରହିଲି-। ଭାବିଥିଲି–ଦି’ତିନି ଦିନ ରହି ଚାଲିଯିବି, କିନ୍ତୁ ସପ୍ତାହକ ପରେ ବି ପନ୍ଦର ଦିନ ବିତିଗଲା । ମାସେ ବି ହେଲା । ସେଠାରୁ ମୁଁ ଆସିପାରିଲିନି । ସେଠାରେ ରହିବାରୁ ମତେ ଅବଶ୍ୟ ଖର୍ଚ୍ଚ କରିବାକୁ ପଡ଼ିଥିଲା । କାରଣ ବୁଲିମା’ର କିଛି ହେଲେ ନ ଥିଲା । ଥିଲା କେବଳ ଅଠର ଉଣେଇଶ ବର୍ଷର ଝିଅ ଅନୁ । ପିଲାବେଳେ ତାକୁ ଧରିଥିଲେ ବି ଅନୁ ଥିଲା ମୋର ଅକର୍ଷଣର ବସ୍ତୁ । ତା’ଠୁ ବଡ଼ ଜିନିଷ ଥିଲା ବୁଲିମା’ର କଥା । ସେ ଖୋଲାଖୋଲି ସବୁ କିଛି ଅତୀତ ଘଟଣା ତା’ର ମୋ ଆଗରେ କହୁଥିଲା । ତା’ କଥା ସବୁ ଶୁଣିବାକୁ ମତେ ଭାରି ଭଲ ଲାଗେ–ଆମେ କଥା ହେଲାବେଳେ ଅନୁ ଆମ ପାଖରେ ବସି ରହିଥିଲେ, ଏପଟ ସେପଟ ବୁଲାଚଲା କରୁଥିଲେ କି ମୋ ଆଡ଼କୁ ଅନେଇ, ମୁରୁକି ହସା ମାରି ସବୁ କିଛି ତା’ର ମୋ ପାଖରେ ଅଜାଡ଼ି ଦେବାକୁ ଇସାରା ଦେଉଥିଲା ବେଳେ–

 

ବୁଲିମା’ ତା ବିଷୟରେ ଯାହା କିଛି ମିତେ କହିଥିଲା ସବୁ ଖଣ୍ଡଖଣ୍ଡିଆ ଭାବରେ । ଧାରବାହିକ ଭାବରେ ତା’ଠୁ ମୁଁ ଶୁଣିନି । ଯେଉଁଦିନ ଯେଉଁ କଥା ପଡ଼ିଲା । କେଉଁଦିନ ସଞ୍ଜବେଳେ ତ କେଉଁଦିନ ସମସ୍ତେ ଖାଇ ସାରିଲା ପରେ ଖରାବେଳେ । ଦିନେ ଦିନେ ସକାଳେ ଗପ କରୁ କରୁ ଖରା ଲେଉଟିପଡ଼େ । ଅନୁଟା ଖାଲି ଛଟପଟ ହେଉଥାଏ । କିଛି ହେଲେ କହିପାରେନି ।

 

ଦିନ ଖରାବେଳେ ଖିଆପିଆ ସରିଥାଏ । ଅନୁଥାଏ ଆର ଘରେ । ବୋଧହୁଏ । ଗଡ଼ତପଡ଼ତ ହେଉଥାଏ । ବୁଲି ମା’କୁ ପଚାରିଲି ଅନୁ ବିଷୟରେ । ସଦାବେଳେ ତ ତାକୁ ପାଖରେ ରଖି ହେବନି, ତା’ ବିଷୟରେ କ’ଣ କରିବାକୁ ଭାବିଛି ବୋଲି ତାକୁ ମୁଁ ପଚାରିଲି ।

 

ମୋ କଥାଟା ପୋଖରୀ ସ୍ଥିର ପାଣିରେ ଟୋକାଟିଏ ଫିଙ୍ଗି–ଦେଲା ଭଳି ହେଲା । ସବୁ କିଛି କଥା ତା’ର କହିଦେବାକୁ ସେ ଯେପରି, ବ୍ୟଗ୍ର ହୋଇପଡ଼ିଲା । ନୋତରା ପଡ଼ିଯାଇଥିବା ଓଠ ଦି’ଟା ତା’ର ଥରି ଉଠିଲା । ଆଖିରେ ଲୁହ ଛଳଛଳ ହେଲା ଭଳି ଜଣାଗଲା । କିଛି ସମୟଯାଏ ବୁଲିମା’ କଥା କହିପାରିଲାନି । ତଳକୁ ମୁହଁପୋତି ବସିରହିଲା । ତା’ପରେ ଆରମ୍ଭ କଲା–

 

‘‘ଯୋଉ ମା’ଠୁଁ ସେ ଜନ୍ମ ହୋଇଛି ଆଉ ବେଶି ଅବା କ’ଣ ସେ ହୋଇପାରି ଥାଆନ୍ତା । ମା’ ଯେମିତି ଥିଲା, ଝିଅ ବି ହେବ ସେମିତି । ହେଲେ, ମନରେ ମୋର ଅନ୍ୟ କଥା ଥିଲା । ଭାବିଥିଲି, ଝିଅଟିକି କେଉଁଠି ହେଲେ କୁଳରେ ଲଗେଇ ଦେବି । ନାତିଟିଏ ଦେଖିଥିଲେ ଶାନ୍ତିରେ ମୁଁ ମରି ପାରିଥାନ୍ତି, କିନ୍ତୁ ଇଏ କ’ଣ ସମ୍ଭବ କଥା ! ଚିଲ ଶାଗୁଣା ଭଳି ଯୋଉମାନେ ମୋ ଦେହରୁ ରକ୍ତ ମାଂସ ଭିଡ଼ିନେଇ ହାଡ଼ କେଇଖଣ୍ଡ କେବଳ ବାକି ରଖିଛନ୍ତି, ସେମାନଙ୍କ ହାବୁଡ଼ରୁ ରକ୍ଷା ମିଳିଲେ ତ !”

 

ମସିଣା ଖଣ୍ଡିକରେ ବସିରହି ମୁଁ ଚୁପ୍ ହୋଇ କେବଳ ଶୁଣୁଥାଏ । ବୁଢ଼ୀ ମୋ ଆଖିରୁ ବୋଧହୁଏ ଜାଣିପାରିଲା, ମୁଁ ତା’ର ସବୁକଛି ଶୁଣିବାକୁ ଇଚ୍ଛା କରୁଛି ।

 

ଦୀର୍ଘନିଶ୍ଵାସଟିଏ ଭିତରକୁ ନେଇ ବୁଲିମା’ କହି ଲାଗିଲା–

 

‘‘ସେତେବେଳେ ମୁଁ ପିଲା । କୋଉଠି ଜନ୍ମ ହୋଇଥିଲି, ବାପ ମା’ ମୋର କିଏ, ସେ କଥା ମୁଁ ଜାଣିନି । ହେତୁ ପାଇଲାବେଳକୁ ଥିଲି ବଳିଆର ସିଂଙ୍କ ଘରେ । ଘରେ ତାଙ୍କର ଗୁହାଳ ଗୋଟାଏ, ପିଲା କାଖାଏ, ବାସନ ମାଜେ ଆଉ ବୋଲହାକ କରେ । ପରସ୍ପରରେ କେବଳ ଶୁଣିବାକୁ ପାଇଛି–ବୋଉ ମତେ ପିଲାଦିନେ କୋଡ଼ିଏ ଟଙ୍କାରେ ବଳିଆର ସିଂଙ୍କୁ ବିକି ଦେଇଥିଲା । ତା’ପରେ ବୋଉର ଖୋଜ ଖବର ମିଳିଲାନି । ବୋଧେ ମରି ହଜିଗଲା । ସେମାନଙ୍କର କେମିତି ଗୋଟେ ଧାରଣା ଥିଲା, ବୋଉ ମତେ ଅସତ୍‌ ଉପାୟରେ ଜନ୍ମ ଦେଇଥିଲା । ମତେ ବିକ୍ରି କରିଦେଇ ତା’ ମୁଣ୍ଡରୁ ଯେପରି ବୋଝ ଗଲା ।

 

ବଳିଆର ସିଂଙ୍କ ଘରେ ମୁଁ ସିନା ଘରଆଡ଼ର କାମ ସବୁ କରେ: କିନ୍ତୁ ଖିଆପିଆରେ ମୋର କିଛି ଅସୁବିଧା ହୁଏନି । ପଦନ ବଳିଆରସିଂଙ୍କ ବୋଉ ମରିଯାଇ ଆଜି ସ୍ଵର୍ଗପୁରେ ଅଛନ୍ତି, କିନ୍ତୁ ତାଙ୍କ ଭଳି ମାଇପି ଜଣେ ମିଳିବା କଷ୍ଟକର କଥା । କୋଟିକରେ ଗୋଟିଏ । ମୁଁ ଖାଇଲି କି ନାହିଁ, ପିଇଲେ କି ନାହିଁ, କିଏ ମତେ ଗାଳିଗୁଲଜ କରିଛି କି ମୁହଁ ଶୁଖେଇ ବସିଛି, ସବୁ କଥା ମୋର ସିଏ ବୁଝନ୍ତି । ମୋର ଯାହାକିଛି କହିବାକୁ ଥାଏ କି ଅଳି କରିବାକୁ ଥାଏ, ସବୁ କଥା ମୁଁ ତାଙ୍କ ଆଗରେ କହେ ।

 

କ୍ରମେ କ୍ରମେ ମୁଁ ବଡ଼ ହେବାକୁ ଲାଗିଲି । ମତେ ଯେତେବେଳେ ଦଶ ଏଗାର ବର୍ଷ, ସେତେବେଳେ ପଦନ ବଳିଆର ସିଂଙ୍କର ବିଭାଘର ହୁଏ । ତାଙ୍କ ଘରେ କ’ଣ ବା ଅପୂରୁବ ଅଛି ? ସ୍ତ୍ରୀ ତାଙ୍କର କୁସୁପୁର ଦଳବେହେରାଙ୍କ ଝିଅ । ବିଭାଘରବେଳେ ଯାହା ଯାହା ସବୁ ଜିନିଷ ଆଣିଥିଲେ, ବଳିଆର ସିଂଙ୍କ ଘରେ ସେ ସବୁ ରଖିବାକୁ ବି ଥାନ ମିଳିଲାନି ।

 

ତୁମେ ତ ଦେଖିଥିବ, ସ୍ତ୍ରୀ ତାଙ୍କର ଦେଖିବାକୁ କେତେ ଡଉଲ ଡାଉଲ । ତୁମେ ପ୍ରଥମେ ଆସିଥିଲାବେଳେ ସେ ତିନି ଚାରିଟାର ମା’ । ତିରିଶ ବର୍ଷ ଉପରେ, କିନ୍ତୁ ବୟସ ତାଙ୍କୁ ଏତେ ହୋଇଗଲାଣି ବୋଲି କେହି ହେଲେ କହିବନି । ସେ ବି ଅତି ସୁନ୍ଦର ମଣିଷ । ଯାହାକୁ ଖାଇବାକୁ ଦେବେ, ପେଟ ଭରି ଦେବେ । ବଡ଼ଘରର ଝିଅ । ମଞ୍ଜାସ୍ ତାଙ୍କର ଛୋଟ ନୁହେଁ କି କାହାକୁ ଅସନ୍ତୋଷ କରିବାକୁ ସେ ଚାହାନ୍ତିନି । ଘରର ହଳିଆ, ଚାକର ବାକର, ଗଲା ଅଇଲା ସମସ୍ତଙ୍କ ଉପରେ ତାଙ୍କର ନଜର । କିଏ ଖାଇଲା, କିଏ ନ ଖାଇଲା, କାହାକୁ କ’ଣ ଦିଆ ହେବ, କାହା ମନରେ କଷ୍ଟ ହୋଇଛି, ସବୁ କଥା ସେ ବୁଝାସୁଝା କରନ୍ତି । ଠିକ୍ ଶାଶୁଙ୍କ ଭଳି ।

 

ପଦନ ବଳିଆର ସିଂଙ୍କ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ବାପ ମା’ ତାଙ୍କର ସଂସାରରୁ ବିଦାୟ ନେଲେ । ବିଶେଷତଃ ବୁଢ଼ୀ ଯେତେବେଳେ ମରିଗଲେ, ପାଠକ ସାହିରେ ଗୋଟେ ହଇଚଇ ପଡ଼ିଗଲା । ଲୋକେ କେତେ ମାସଯାଏ ବାହୁନି ହେବାରେ ଲାଗିଲେ । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା–ଗାଁରୁ ଲକ୍ଷ୍ମୀ ଚାଲିଗଲେ । ତାଙ୍କ ଭଳି ଆଉ ଜଣେ ଜନ୍ମ ହେବା ସମ୍ଭବ ନୁହେଁ । ପୁରୁଣାକାଳିଆ ଲୋକେ ମରି ହଜିଗଲେ ତାଙ୍କ ସ୍ଥାନ ଆଉ ପୂରଣ ହୋଇପାରେନା । ଯୁଗ ଏବେ ବଦଳିଗଲାଣି । ସେବ କାଳର ଲୋକେ ଆଉ ଦେଖାଯାନ୍ତି ନାହିଁ ।

 

ବୁଢ଼ୀ ଚାଲିଗଲେ । ମୋର ହାତ ଅବା ଗୋଟେ ଛିଣ୍ଡି ପଡ଼ିଲା । ସେ ମୋର ଥିଲେ ସାହା ଭରସା । ତାଙ୍କ ଘରେ ଚାକରାଣୀ ଭାବେ ଥିଲେ ବି ସେ ମତେ ଝିଅ ଭଳି ଦେଖୁଥିଲେ । ଥରେ ତାଙ୍କଠୁଁ ଶୁଣିଛି–ତାଙ୍କ ମନରେ ଥିଲା, କୁଆଡ଼ ଜଣେ ଠିକ୍ କରିଦେଲେ ସେ ମତେ ବାହା ଦେଇଥାଆନ୍ତେ । ମୋ ନାଁ’ରେ ଜମି ତିନି ଚାରି ମାଣ ଖଞ୍ଜି ଦେଇଥାନ୍ତେ । ସେ କଥା କିନ୍ତୁ ହୋଇପାରିଲାନି । ବୁଢ଼ୀଙ୍କର ଆରପାରିରୁ ଡାକରା ଆସିଗଲା । ସେ ଚାଲିଗଲେ ।

 

ବୟସ ବଢ଼ି ବଢ଼ି ମତେ ଆସି ସତର ଅଠର ହେଲା । ବାହାର ଆଡ଼ର କାମଦାମ ମୁଁ ଆଉ କରେନି । ଘରେ ବାସନ ମାଜିବା, ଘର ଓଳେଇବା, ଲୁଗାପଟା ଧୋଇବା, ବଳିଆର ସିଂଙ୍କ ପାଇଁ ଲୁଗା କୁଞ୍ଚିଦେବା, ତାଙ୍କ ପାଇଁ ବିଛଣା ପାରିଦେବା, ଉଠିଲାବେଳକୁ ମୁହଁ ପଖାଳିବାକୁ ପାଣି ଯୋଗେଇବା, ଦାନ୍ତକାଠି, ପାଣିଢ଼ାଳ ହାତକୁ ବଢ଼େଇଦେବା–ଏସବୁ ହେଲା ମୋର କାମ । ବୁଢ଼ୀଙ୍କ ଭଳି ବୋହୂ ବି ମତେ ଭାରି ଦେଖିପାରନ୍ତି । ମୋର ଖାଇବା ପିଇବା ବୁଝନ୍ତି l ମୋର ଯାହା କିଛି ଅଭାବ ଅସୁବିଧା, ସବୁ ମୁଁ ତାଙ୍କ ଆଗରେ କହେ । ସାଆନ୍ତାଣୀ ଓ ମାଲିକାଣୀ ସେ ନୁହନ୍ତି, ଠିକ୍ ମା’ ଭଳି ।

 

ଘରେ ଚଳପ୍ରଚଳ ହେଲାବେଳେ ଲକ୍ଷ୍ୟ କରିଛି–ବଳିଆର ସିଂଙ୍କ ଆଖି ସମୟ ସମୟରେ ଶର ଭଳି ମୋ ଦିହରେ ଆସି ବିଦ୍ଧ କରେ । ତାଙ୍କ ଆଡ଼ିକି ଅନେଇଦେଲେ ମତେ କେମିତି ସଲ ସଲ ଲାଗେ । ଡର ବି ମାଡ଼େ ! ବାହାରକୁ ପଳେଇ ଆସେ । ବଳିଆର ସିଂ କିନ୍ତୁ କିଛି ନା କିଛି କାମର ଆଳ ଦେଖାଇ ମତେ ଡକେଇ ପଠାନ୍ତି । ନାନାପ୍ରକାର କାମ ବତାନ୍ତି । ମୁଁ ଡରି ମରି କରିଲାଗେ । ଆଗେ ତାଙ୍କ ଆଖି ମୋ ଦିହରେ ଲଟେଇ ପଡ଼ୁଥିଲା । ଆସ୍ତେ ଆସ୍ତେ ତାଙ୍କର ହାତ ଓ ଦିହ ମୋ ଉପରେ ଲଟେଇବାକୁ ଆରମ୍ଭ କଲା । ପ୍ରଥମେ ପ୍ରଥମେ ମତେ ଭୟ ଲାଗୁଥିଲା । ତା’ ପରେ ମୋର ସବୁ କଥା ଦିହସୁହା ହୋଇଗଲା । କୌଣସି ହେଲେ କଥା ମୁଁ କାହା ଆଗରେ କହେନି । ଘରେ କେହି ହେଲେ ଜାଣନ୍ତିନି । ମହାବଳ ବାଘ ହାବୁଡ଼ରେ ହରିଣ ଛୁଆଟିଏ ଆସି ପଡ଼ିଲେ ତା’ର ଯେମିତି ଆଉ କିଛି କରିବାର ନ ଥାଏ, ସିଧା ଯାଇ ସେ ପଡ଼େ ବାଘ ପେଟରେ, ଠିକ୍ ସେମିତି ମୁଁ ବଳିଆର ସିଂଙ୍କର ଶିକାର ହେଲି ।

 

ତିନି ଚାରି ବର୍ଷ ଏମିତି ଚାଲିଗଲା । ଚୋରାରେ ଚୋରାରେ ବଳିଆର ସିଂଙ୍କ ସାଙ୍ଗେ ମୋର ଏମିତି ସମ୍ପର୍କ ଥାଏ । ତାଙ୍କ ଘରର ପିଲାମାନେ ବାହାରକୁ ଗଲେ ମୁଁ ହୁଏ ତାଙ୍କର ବିଳାସର ସାମଗ୍ରୀ । ତାଙ୍କ ଆଗରେ ମୋର କଥା କହିବାକୁ ଜୁ’ ନାହିଁ । ବେଳେ ବେଳେ ଜାଣିଶୁଣି ପିଲାମାନଙ୍କୁ ସେ ବାହାରକୁ ପଠେଇ ଦିଅନ୍ତି । ସେ ସମୟରେ ଏସବୁ ଉପରେ ବେଶି କେହି ଗୁରୁତ୍ୱ ଦେଉ ନ ଥାନ୍ତି । ସୁନ୍ଦରୀ ଆଉ ବୟସ ଥିବା ସ୍ତ୍ରୀଲୋକଟିର ସୃଷ୍ଟି ବଡ଼ ବଡ଼ ଲୋକଙ୍କର ଆଗ ଉପଭୋଗ ପାଇଁ । ଶୁଣିଛି–ରାଜା ମହାରାଜା, ଜମିଦାର ଆଉ ଆଗକାଳର ପୁରୋହିତମାନେ ବି ଝିଏଟିଏ ବଡ଼ ହେଲେ ପହିଲେ ସେମାନଙ୍କର ଶିକାର ହେବାକୁ ଯାଉଥିଲେ । ଦିଅଁ ଦେବତାଙ୍କୁ ଭୋଗ ଦେଲାଭଳି । ସେମାନଙ୍କ ଭଳି ବି ସେମାନଙ୍କର ଆଇନ୍ ସମାନ ଥିଲା । ଲୋକ ଦିଅଁଙ୍କୁ ଯେ କୌଣସି ଖାଦ୍ୟ ଜିନିଷ ଭୋଗ ଲଗେଇ ପରେ ଯେମିତି ଖାଏ ।

 

ପବନ ବଳିଆର ସିଂଙ୍କ ସ୍ତ୍ରୀ ଏ ବିଷୟରେ ଊଣା ଅଧିକେ ଯେ ଜାଣୁ ନ ଥିଲେ ଏମିତି ନୁହେଁ, କିନ୍ତୁ ସେ ବିଷୟରେ କିଛି ହେଲେ ସେ ପାଟି ଫିଟାନ୍ତିନି । ଛଳନା କରନ୍ତି–ସତେ ଅବା କିଛି ଜାଣନ୍ତିନି । କେତେ ଥର ବଳିଆର ସିଂଙ୍କ ଶେଯ ପାଖରେ ମୁଁ ବସିରହିଥିବାର ସେ ଦେଖିଛନ୍ତି; କିନ୍ତୁ ସେ ଆଡ଼େଇ ହୋଇ ଚାଲିଯାଆନ୍ତି । କିଛି କହିବା ତ ଦୂରର କଥା, ବରଂ ଜାଣିଶୁଣି ସେ ଘରଆଡ଼େ ଆସନ୍ତିନି । ଧନୀଲୋକେ ନିଜ ସ୍ତ୍ରୀକୁ ଛାଡ଼ିଦେଇ ଆଉ କେତେ ଜଣ ମାଇପି ଆଣି ଘରେ ରଖିବା, ସେମାନଙ୍କୁ ପୋଷିବା ଏବଂ ଶେଷରେ ସେମାନଙ୍କୁ ରକ୍ଷିତା କରି ରଖିନବା ଆଦି ସେକାଳର ଗୋଟିଏ ଧରାବନ୍ଧା ନିୟମ ଥିଲା ।

 

କଥାଟା କେତେଦିନ ଅବା ଛପି ରହିବ ? ମତେ ତେଇଶି ଚବିଶ ବର୍ଷ ହେଲା ବେଳକୁ ଗର୍ଭଲକ୍ଷଣ ମୋର ଦେଖା ଦେଲା । ଗାଁରେ, ପୁଣି ଘରେ ରଖିବାକୁ ମତେ ସେ ଆଉ ପସନ୍ଦ କଲେନି । ସେ ସମୟରେ ପୁରୀ ଘରେ ଜଣେ ଜଗୁଆଳି ରହିବାର ଦରକାର ଥିଲା । ମୋର ତିନି ଚାରି ମାସ ହେଲା ବେଳକୁ ପୁରୀ ଆସିଲି । ଜଣେ ବିଶ୍ୱସ୍ତ ଗୁମାସ୍ତା ପୁରୀରେ ମୋର ସବୁକଥା ବୁଝିଲା । ତା’ ହାବୁଡ଼ରୁ ମଧ୍ୟ ମୁଁ ବର୍ତ୍ତିନି । ମୋ ଦିହରୁ କଡ଼ କ୍ରାନ୍ତି କରି ସେ ବି ଆଦାୟ କରିଛି । ଗୁମାସ୍ତା କଥା ବଳିଆରସିଂଙ୍କ ଆଗରେ କହିବାକୁ ମୋର ସାହସ ହୁଏନି । କାରଣ ମୁଁ ଭଲଭାବରେ ଜାଣେ–କହିଦେଲେ ଫଳାଫଳ ତା’ର ଖରାପ ହେବ ପଛେ ଭଲ ହେବନି ।

 

ଠିକ୍ ସମୟରେ ମୋର ଗୋଟିଏ ଝିଅ ଜନ୍ମ ହେଲା । ଝିଅଟି ସେଇ ବୁଲି । ଯାହାକୁ ଆପଣ ଅନୁ ବୋଲି ଡାକୁଛନ୍ତି । ସେଇଦିନଠୁଁ ମୁଁ ଆଉ ଗାଁକୁ ଫେରିନି । ବଳିଆରସିଂଙ୍କର ପୁରୀ ଘର ଜଗିବା କାମରେ ମୁଁ ମୁକରୀର ହେଲି । ଝିଅଟିକୁ ଧରି ସେଇଦିନଠୁ ଏଇ ଘରେ ରହିଛି । ପଦନ ବଳିଆରସିଂ ପୁରୀ ଆସିଲେ ମୋର ଆଉ ଭୟ ଓ ଆଶଙ୍କା ନ ଥାଏ । ଦିନକ ପାଇଁ ଆସିଥିଲେ ବି ସବୁ କିଛି ବୁଝାସୁଝା କରି ମୋ ଉପରେ ଦାଉସାଧି ସେ ଗାଁକୁ ଫେରନ୍ତି । ଭାତଖିଆ ଚାକର ମୁଁ । ତାଙ୍କ ଅନ୍ନରେ ପ୍ରତିପାଳିତା । ମୋର ଭଲମନ୍ଦ, ଖା’ପିଅ ସବୁ ବିଷୟ ଗାଁରେ ଥାଇ ସେ ବୁଝନ୍ତି । ଗୁମାସ୍ତାମାନେ ପୁରୀ ଆସିଲେ ବି ମତେ ଛାଡ଼ନ୍ତିନି । ଅବଶ୍ୟ ମାଲିକଙ୍କ ଅଜଣାରେ । ଗରିବ ମାଇପି ସବୁରି.. ଶାଳୀ । କାହାକୁ କିଛି ମୁଁ ମନା କରେନି । ଧରି ନେଇଗଲି ଏଇଥିପାଇଁ ମୋର ଜନ୍ମ । ହେଲେ ଅନ୍ତର ଭିତରେ ସେସବୁ ମତେ ଭଲ ଲାଗେନି । ମନେ ମନେ ସମସ୍ତଙ୍କୁ ଘୃଣା କରେ; କିନ୍ତୁ ସେସବୁ ଘଟଣା ମୋର ଦିହସୁହା ହୋଇଗଲା ! ଧରିନେଲି–ସେମାନଙ୍କୁ ସନ୍ତୁଷ୍ଟ କରିବା ମୋର କାମ । ତା’ ଭିତରେ ମୁଁ ଆଉ ଗୋଟିଏ କାମ କରିଦେଲି । ମନରେ ଭୟ ହେଉଥିଲା, ଆଉ ପିଲାଛୁଆ ହେଲେ ତାକୁ ଚଳେଇବି କେମିତି ? ଜଣେ ପୁରୁଣାକାଳିଆ ମାଇପିଠୁଁ ଔଷଧ ଖାଇଲି । ସେ କୋଉ ଗୋଟିଏ ଗଛର ଚେର ଆଣି ମତେ ଦେଲା । ତାକୁ ଖାଇଥିବାରୁ ଅନୁ ପରେ ପରେ ମୋର ଆଉ ଗର୍ଭଲକ୍ଷଣ ଦେଖାଯାଇନି । ବେଳେ ବେଳେ ମୁଁ ଭାବେ ଭୁଲ୍ କରିଛି । ପୁଅଟିଏ ଅବା ଜନ୍ମ ହୋଇଥିଲେ ମତେ ପୋଷିଥାଆନ୍ତା । ଦିନେ ଏମିତି ସମୟ ଆସିବ ବୋଲି ଭାବିବି ଅବା କାହିଁକି ?

 

ସବୁବେଳେ ସବୁ କଥା ରହେନି । ବଳିଆରସିଂଙ୍କର ଧନସମ୍ପତ୍ତି ଆସ୍ତେ ଆସ୍ତେ କମିବାକୁ ଲାଗିଲା । ପ୍ରତିବର୍ଷ ଚାଲିଲା ଜମି ବିକା । ଦିନ ଥିଲା–ବଳିଆରସିଂ ଦାଣ୍ଡପିଣ୍ଡାରେ ବସିଥିଲେ ତାଙ୍କ ଆଗ ଦେଇ କେହି ହେଲେ ଚାଲିଯାଆନ୍ତିନି । ଡାକଟିଏ ମାରିଦେଲେ ଗାଁ କମ୍ପି ଉଠେ । ଘଡ଼ଘଡ଼ି ଚଡ଼ଚଡ଼ି ମାରିଲାବେଳେ, ଲୋକେ ଯେମିତି ଛାତିରେ ଛେପ ପକେଇ ଘର ଭିତରକୁ ପଶିଯାଆନ୍ତି । ବଳିଆରସିଂଙ୍କ ପାଟି ଶୁଣି ଲୋକେ ସେମିତି ତ୍ରାହି ତ୍ରାହି ଡାକନ୍ତି । ସମୟ ଆସିଲା–ସେଇ ଲୋକେ ତାଙ୍କୁ ଜବାବ ଦେଲେ । କଥା କହିଲେ ଶୁଣିଲେନି । ଧାନ କାଟିଲାବେଳେ ବେଶି ମୂଲ ନ ପାଇଲେ ଆସିବେନି ବୋଲି ମେଳି ବାନ୍ଧିଲେ । ସମସ୍ତେ ଦଳଦଳ ହୋଇ ତାଙ୍କ ଦୁଆରେ ଆସି ଜମାହେଲେ । ଆଗେ ଯୋଉ ଲୋକମାନେ କୁକୁର ବିରାଡ଼ି ଭଳି ବ୍ୟବହାର ପାଉଥିଲେ, ସେଇ ଲୋକେ ବଳିଆରସିଂଙ୍କର କଥାକୁ ପାସଙ୍ଗରେ ପକେଇଲେନି । କୌଣସି ଗୋଟିଏ ଦଙ୍ଗା–ହାଙ୍ଗାମା, କଳିକଜିଆ କି ଜମିବାଡ଼ି ସତ୍ୱାସତ୍ୱ ନେଇ ଫଇସଲା ଆଉ ଗାଁରେ ହେଲାନି । ଲୋକେ ଅଦାଲତ, କିଲଟରୀରେ ଆଶ୍ରୟ ନେଲେ । ଅନ୍ୟ ଗାଁରେ ସାଇ ମାମଲତକାର ଖୋଜିଲେ । ତା’ ସାଙ୍ଗକୁ ଭାଗଚାଷ ଆଇନ ଆଉ ଜମିଦାରୀ ଉଚ୍ଛେଦ । ଜମିସବୁ ବିକି ଭାଙ୍ଗି ନ ଦେଲେ ରକ୍ଷା ନାହିଁ । ଯାହା ବି ରହିବ ତାକୁ ଜଣକ ନାଁରେ ରଖି ହେବନି । ତା’ ସାଙ୍ଗକୁ ଜଣେ ଲୋକ ହାତରେ ବର୍ଷ ବର୍ଷ ଧରି ବି ଜମି ଦେଇ ହେବନି । ଶେଷକୁ ଜମି ହେବ ତା’ର । ସେଇ ଲୋକ ମାଲିକତ୍ୱ ଦାବି କରିବ । ତା’ ସାଙ୍ଗକୁ ସେମାନଙ୍କ ସାଙ୍ଗେ ମାଲିମକଦ୍ଦମା ଓ ଫଉଦାରୀ । ଫଉଦାରୀ କରିବାକୁ ଲୋକ ମିଳିବା ପୁଣି ଦରକାର । ଏଇସବୁ କାରଣରୁ ବଳିଆରସିଂଙ୍କର ଶହ ଶହ ବାଟି ଜମି ଟୁକୁରା ଟୁକୁରା ହେଲା । କେତେ ହସ୍ତାନ୍ତର ହୋଇଗଲା । ଆଗର ସେ କରାମତି ଆଉ ରହିଲାନି । ସମୟର ଗତି ଅନୁସାରେ ଲୋକେ ବି ତାଙ୍କୁ ଖାତରକୁ ଆଣିଲେନି ।

 

ତା’ ସାଙ୍ଗକୁ ମୋର ବି ଦୁର୍ଦ୍ଦିନ ନ ଆସି ପହଞ୍ଚିଲା । ଝିଅ ମୋର ଯେତିକି ଯେତିକି ବଢ଼ିବାକୁ ଲାଗିଲା, ବୟସ ମୋର ତେତିକି ତେତିକି ଖସିବାକୁ ଲାଗିଲା । ତା’ ସାଙ୍ଗକୁ କମିଆସିଲା ବଳିଆରସିଂଙ୍କର ସାହାଯ୍ୟ, ମୋ ଉପରେ ତାଙ୍କର ହେପାଜତ୍ । ଆଗେ ମାସକୁ ମାସ ଯେତେ ପରିମାଣ ଟଙ୍କା ଆଉ ଧାନ ମୋ ପାଇଁ ସେ ଖଞ୍ଜି ଦେଇଥିଲେ ସେ ଅଧାକରୁ କମି କମି ଚଉଠେ ଆସି ହେଲା । ସେଇତକ ବି ନିୟମିତ ଭାବରେ ସବୁ ମାସରେ ମୁଁ ପାଇଲିନି ।

 

ବୁଲି ମା’ ଏସବୁ କହିଯାଉଥିବା ବେଳେ ମୁଁ ଲକ୍ଷ୍ୟ କରିଛି ଆଖି ତା’ର କେମିତି ଛଳଛଳ ହୋଇ ଆସୁଥିଲା । କିଛି ସମୟ ଆଉ ସେ କହିପାରିଲାନି । ଅନୁ ଏଣେ ବାହାରେ ଚଲାବୁଲା କରୁଥିଲା । ଝିଅ ବୋଧେ ଠାରରେ ମା’କୁ ଡାକିଦେଲା । ମୁଁ ଦେଖିନି । ବୁଲିମା’ ମୋତେ ବସିବାକୁ କହିଦେଇ ଅଳ୍ପ ସମୟ ପାଇଁ ବାହାରକୁ ଚାଲିଗଲା ।

 

ୟା’ଭିତରେ ଏତେ ସମୟ ଯେ ବିତିଗଲାଣି ମୋର ଖିଆଲ ନାହିଁ । ବୁଲି ମା’ ଉଠିଗଲା ପରେ ମୁଁ ବାହାରକୁ ଅନେଇଲି । ଦେଖିଲି–ଛାତ ଉପରେ କମଳା ରଙ୍ଗର ଖରା । ସଞ୍ଜବେଳ ଆସି ହେଲାଣି । ତା’ କଥା ଶୁଣି ଶୁଣି ବେଳ ବି ଜାଣିହେଲାନି ।

 

ବୁଲି ମା’ ଝିଅ ସାଙ୍ଗରେ କ’ଣ କଥା ହୋଇ ଫେରିଆସିଲା । କହିଲା–ସମୟ ହୋଇଗଲାଣି । ମୁଁ ହେଇଟି ସାଙ୍ଗେ ସାଙ୍ଗେ ଆସୁଛି । ଏହା କହି ସେ ଲୁଗା ପିନ୍ଧି ବାହାରିଲା । ଠିକ୍ କଲି, ବୁଲି ମା’ ଫେରିଲେ ମୁଁ ବାହାରକୁ ଯିବି ।

 

ଘରେ ରହିଲୁ ଆମେ ଦି’ଜଣ । ମୁଁ ଆଉ ଅନୁ ।

 

ମନଟା ମୋର କେମିତି ଛଟପଟ ହେଲା । ବାରିଆଡ଼କୁ ଗଲି । ପରିସ୍ରା କରି ଫେରିଆସିଲି । ଯୋଉ ବଖରାଟିରେ ମୁଁ ଥିଲି, ଅଳ୍ପ ସମୟ ମୁଁ ସେଠି ବସିଛି କି ନାହିଁ, ଦାଣ୍ଡଦୁଆରକୁ ଆସିଲି । ଦାଣ୍ଡଦୁଆରେ ଠିଆ ହେଲି ପାଞ୍ଚ ମିନିଟଯାଏ । ଦୁଆରରେ ଶିକୁଳି ଦେଇ ଘର ଭିତରକୁ ଆସିଲି । ମନ ଲାଗିଲାନି । ଛାତ ଉପରକୁ ଗଲି । ସାଙ୍ଗେ ସାଙ୍ଗେ ତଳକୁ ଓହ୍ଲେଇ ଆସିଲି । ମନ ଭିତରେ ମୋର ଖେଳୁଥାଏ–ଯେତେବେଳେ ମୁଁ ପ୍ରଥମେ ପୁରୀ ଆସିଥିଲି, ଅନୁକୁ କାଖେଇ କେତେଥର ଏମିତି ଛାତ ଉପରକୁ ଯାଇଛି ।

 

ତଳକୁ ଓହ୍ଲେଇଗଲାବେଳେ ଦେଖିଲି–ଅନୁ ଆର ଘରେ ଚୁପ୍‌ଟି ହୋଇ ବସିଛି । ଥରୁଟିଏ ଅନେଇଥିଲେ ବି ଆଖି ମୋର ଦିହସାରା ତା’ର ଯେପରି ଚରିଗଲା । ପିଲାଦିନର ଅନୁ ମନରୁ ମୋର ପାଶୋର ଗଲା । ଛାତି ଭିତର ମୋର ସେତେବେଳେ ପଡ଼ାଉଠା ଆରମ୍ଭ କଲା । ତୋଟି ପାଖ ଶୁଖି ଶୁଖି ଆସିଲା ।

 

ସେତେବେଳେ ମୋତେ ଶୋଷ କରୁ ନ ଥିଲା; ତଥାପି ପାଣି ପିଇବାକୁ ଇଚ୍ଛା ହେଲା । ଡାକିଲି–ଅନୁ !

 

କିଛି ନ କହି ସେ ଦୁଆରମୁହଁରେ ଆସି ଠିଆ ହେଲା ।

 

ଲକ୍ଷ୍ୟ କରିଛି–ତା’ ଆଖି ଦି’ଟିରେ ଉଇଁ ଆସୁଥିଲା ଅବା ଚନ୍ଦ୍ର ।

 

–ଗ୍ଲାସେ ପାଣି ଆଣିଲୁ ।

 

ପାଣି ଆଣି ମୋ ପାଖରେ ରଖିଲା ଅନୁ । ମୁହଁରେ ତା’ର ଉଛୁଳି ଉଠୁଥିଲା ହସ, କିନ୍ତୁ ସେ ହସୁ ନ ଥିଲା । ବାଧ୍ୟ ପିଲାଟିଏ ଭଳି ଗ୍ଲାସ ନେବ ବୋଲି ଅପେକ୍ଷା କରି ଠିଆ ହୋଇଥିଲା ।

 

–ପାଠଶାଠ ପଢ଼ିଛୁ ? ମୁଁ ପଚାରିଲି ।

 

–ତୃତୀୟ ଶ୍ରେଣୀଯାଏ ।

 

–ଆଉ ପଢ଼ିଲୁନି ।

 

–ବୋଉ ପଢ଼େଇଲାନି ।

 

–ଆଉ ପଢ଼ିବାକୁ ମନ ଥିଲା ?

 

–ହଁ ।

 

–ବର୍ତ୍ତମାନ କ’ଣ କରୁଚୁ ?

 

–ବୋଉ ପାଖରେ ଅଛି ।

 

–ତା’ତ ମୁଁ ଜାଣେ । କ’ଣ କରିବୁ ବୋଲି ଭାବିଚୁ ?

 

–କିଛି ନାଇଁ । ଏତକ କହି ଅନୁ ଫେଁ କରି ହସିଦେଲା । ଆଉସିଧା ଯାଇ ବସିଲା ଆର ଘରେ ।

 

ଦାଣ୍ଡଦୁଆରକୁ ମୁଁ ଅନେଇଲି ଶିକୁଳି ବନ୍ଦ ଥିଲା ।

 

ପୁଣି ଡାକିଲି–

 

ଆଉ ଥରେ ସେ ଆସିଲା । ଦୁଆରମୁହଁରେ, ସେମିତି ଠିଆ ହୋଇ ରହିଲା ।

 

କହିଲି–ଘରକୁ ଆ–

 

ଘର ଭିତରକୁ ଆସି ସେମିତି ସେ ଠିଆ କେବଳ ହେଲା ।

 

ତାକୁ ବସିବାକୁ କହିଲି ।

 

କଥା ମାନ ସେ ବସିପଡ଼ିଲା । ମସିଣାରେ ନୁହେଁ, ତଳେ ।

 

ମସିଣାରେ ବସିବାକୁ କହିଲି ।

 

ସେ ବସିଲାନି ।

 

ମୋ ମନ ଭିତରେ ପଶୁ ଲାଙ୍ଗୁଡ଼ ପିଟି, ନିଶ ଫୁଲେଇ, ରୋମ ଝାଙ୍କୁରେଇ ତା’ଉପରେ ଝାମ୍ପ ଦେବାକୁ ବସିଥିଲା । କେତେଗୁଡ଼ିଏ ଅବାନ୍ତର ପ୍ରଶ୍ନ ତ ପୁଣି ଅଛି–ମୋ ପାଣିକି ତୁ କାଇଁ ଗୋଳିଆ କରୁଛୁ ? କାଇଁ ଛ’ମାସ ତଳେ ମତେ ଗାଳି ଦେଇଥିଲୁ ? ତୁ ଗାଳି ଦେଇ ନ ଥିଲେ ତୋ ମା’ ଗାଳି ଦେଇଥିଲା–ମହାବଳ ବାଘ ଛେଳିଛୁଆକୁ ପ୍ରଶ୍ନ କଲା ଭଳି ।

 

ସେତେବେଳେ ମତେ ସବୁଆଡ଼ ଅନ୍ଧାର ଦିଶିଲାଣି । କେବଳ ଅନୁ ଆଉ ମୁଁ । ଆମେ ଦି’ଜଣ ଦାଣ୍ଡଆଡ଼ ବାରିଆଡ଼ ଦୁଆର ବନ୍ଦ । ବୁଲି ମା’ ଯାଇ ଦେଉଳରେ । ବୟସର ଭାରି ଅନୁର ଦିହ ସମ୍ଭାଳିପାରୁନି । ଠିକ୍ ଯେମିତି ଡେମ୍ଫଟିଏ ଫୁଟିଲା ଫୁଲର ଭାରାକୁ ସମ୍ଭାଳିପାରେନି । ଗୋରା ତକତକ ଦିହ । ଆଖିରେ ତା’ର ତୃଷ୍ଣା । ଆକଣ୍ଠ ପିଇବା କଥା । ହାତ ପାଖରେ ଅନୁ । ନିକଟରେ । ଅତି ନିକଟରେ ।

 

ମୋ ଆଡ଼ିକି ଥରୁଟେ ଚାହିଁଦେଇ ସେ ହସିଦେଲା । ଯାହା ଦେଖିଲି, ଅନୁ ଉଠିଯିବାକୁ ବସିଛି । ସେ ଦଉଡ଼ିଯିବ ଓ ମୁଁ ଯାଇ ତାକୁ ଧରିନେବି ।

 

ଆଗ ପଛ ନ ଭାବି କାନ୍ଧ ଉପରେ ତା’ର ହାତ ପକେଇ ଦେବି ବୋଲି ଭାବୁଥିଲି, ଅନେଇଦିଏ ତ–ଶାଢ଼ୀରେ ତା’ର ନଥା ପଡ଼ିଛି । ବ୍ଲାଉଜଟା ବି ଚିରା । ମୁଣ୍ଡର ବାଳଗୁଡ଼ାକ ନୁଖୁରାରେ ମୁହଁ ଉପରେ ଦୋଳି ଖେଳୁଛି । ତେଲ ବାଜିନି ।

 

ହାତଟା ତଳେ ମୋର ବାଡ଼େଇହେଲା ଭଳି ଅନୁଭବ କଲି । ମନଟା କେମିତି ମରିଗଲା-

 

ଆଖିରେ ଶର ଯୋଚି ଓ ହସରେ ପିଚିକାରୀ ମାରି ଅନୁ ପଚାରିଲା–ଆଉ କ’ଣ ଦରକାର ?

 

ତା’ଆଡ଼ିକି ମୁଁ କେବଳ ଚାହିଁ ରହିଲି ।

 

ଚା’ କରିବି ?

 

କଲେ ଭଲ ହୁଅନ୍ତା । କଥାଟା ପାଟି କେବଳ କହିଲା । ମନ ପାଇ ବୁଲୁଥିଲା ଅନ୍ୟଆଡ଼େ ।

 

ଚା’ କରିବ ବୋଲି ଉଠିପଡ଼ିଲା ।

 

ପୁଣି ସେଇ ନିଶା । ସବୁ କଥା ମୋର ପାଶୋର ଗଲା । ମୁଁ ବି ଠିଆ ହୋଇପଡ଼ଲି । ଚାରିଆଡ଼ ସତେ ଥିବା ଅନ୍ଧାର । ଗୋଟାସୁଧା ତାକୁ ଅକ୍ତିଆର କରିନେବି ବୋଲି ଆଗେଇ ଗଲି ।

 

ଦାଣ୍ଡଦୁଆର କିଏ ଜଣେ ଖଡ଼୍‌ଖଡ୍ କଲା । ଭାବିଲି–ବୁଲି ମା’ । ଦୀର୍ଘନିଃଶ୍ଵାସଟିଏ ମାରି କବାଟ ଖୋଲିବାକୁ ଗଲି । ଦିହସାରା ମୋର ଗୋଟାସୁଧା ଥରୁଛି । ସାରା ଶରୀରରୁ ଝାଳ ବୋହି ସାରିଲାଣି ।

 

ଖୋଲିଦେଲାବେଳକୁ ବୁଲି ମା’ ନୁହେଁ, ଆଉ କିଏ ଜଣେ ।

 

ପଚାରିଲି–କାହାକୁ ଖୋଜୁଛ ?

 

–ବୁଲି ମା’କୁ ।

 

–ସେ ଦେଉଳ ଯାଇଛି ।

 

ଦେଉଳ ଯାଇଛି ଶୁଣି ମୁହଁର ରଙ୍ଗ ତା’ର ବଦଳିଗଲା ।

 

–ଆଚ୍ଛା, ଅନୁ ?

 

–ଘରେ ।

 

–କ’ଣ କରୁଛି ?

 

–ଡାକି ଦେବି ?

 

କିଛି ନ କହି କେବଳ ମୁଣ୍ଡ ଟୁଙ୍ଗାରିଦେଲା ସେ ।

 

ଲେକାଟାକୁ ବାଇଶି ତେଇଶି ଭିତରେ ହେବ । ହାଡ଼ୁଆ ମୁହଁ । ଚିକ୍‌କଣ ହୋଇ ଖିଅର ହୋଇଥିବାରୁ ଜଣାପଡ଼ୁ ନ ଥିଲା । ଦିହରେ ଖଣ୍ଡେ ମଠା ପଞ୍ଜାବୀ ଆଉ ଧୋତି । କଥା ହେଲାବେଳେ ଦିହରୁ ଅତର ବାସ୍ନା ମୋ ନାକରେ ବାଜୁଥୁଲା । କାଗଜ ଗୁଡ଼େଇ କ’ଣ ଗୋଟେ ସେ ଧରିଥିଲା । ଲୋକଟା କିଏ ହୋଇପାରେ ବୋଲି ମନେ ମନେ ମୁଁ ଭାବୁଥିଲି ।

 

ଅନୁକୁ ଡାକିଦେବାକୁ ମୁହଁ ବୁଲେଇଛି କି ନାହିଁ, ଦେଖିଲି–ସେ ଆସି ମୋ ପଛଆଡ଼େ ଠିଆ ହୋଇଛି । କହିଲି–କିଏ ଜଣେ ଡାକୁଛନ୍ତି ।

 

କିଛି ପଚାରୁ ନ ଥିଲେ ବି ଅନୁ ମତେ କହିଲା–ସେ ମୋର ଲେଖା–ଯୋଖାରେ ଭାଇ । ବେଳେ ବେଳେ ଆସନ୍ତି ।

 

ଅନୁଠୁ ଏ କଥା ଶୁଣିବାକୁ ମୁଁ ଆଶା କରୁ ନ ଥିଲି । ଭାଇ ହେଉ କି ଯିଏ ହେଉ, ମୋର କ’ଣ ଦରକାର ଅଛି ? ତରତରରେ ମୋ କୋଠରୀ ଭିତରକୁ ଚାଲିଗଲି । ଠିକ୍ କଲି–ବଜାରଆଡ଼େ ଅଳ୍ପ ବୁଲିଆସିବି । ଦିନକଯାକ ମୁଁ ଘରୁ ବାହାରି ନ ଥାଏ ।

 

ସାର୍ଟ ପିନ୍ଧି ମୁଁ ଗଲାବେଳକୁ ଅନୁ ଚାହା ଧରି ଦୁଆର ପାଖରେ ଠିଆ ହୋଇ ରହିଥିଲା । ଚା’ଖାଇବାକୁ ଆଉ ମନ ନ ଥିଲା । ତଥାପି ଚା’ ତିଆରି କରିବାକୁ ଖବର ଦେଇଥିଲି । ମନା କରୁଛି ଅବା କେତେକେ ?

 

ଚା’କପ୍‌ରେ ଓଠ ଲଗେଇ ମୁଁ ଅନୁ ଆଡ଼ିକି ଚାହିଁଲି ।

 

ସେ ଅନୁରୋଧ କରି କହିଲା–ବୋଉ ଆସିଯାଉ ।

 

ଅନୁର ପଟିପକା ଶାଢ଼ୀକି ଦେଖି ହେଉ, ଆଉ ଜଣେ କିଏ ତା’ ସାଙ୍ଗରେ କଥାହବାର ଦେଖି ହେଉ, ବଜାରକୁ ବୁଲିଯିବି ବୋଲି ହେଉ କି ମନଟା ମୋର କେଜାଣି କାହିଁକି ଖରାପ ହୋଇ ଯାଇଥିବାରୁ ହେଉ, ସେ ଘରେ ରହିବାକୁ ମତେ ଆଉ ଭଲ ଲାଗିଲାନି ।

 

ଖାଲି ଚା’କପଟା ହାତରୁ ନେଇଗଲା ବେଳେ ଅନୁ ମୋ ପାଖକୁ ଏତେ ଜୋରରେ ଲାଗିଆସିଲା ଯେ ବାହାଟା ମୋର ତା’ଦିହରେ ବାଜିଗଲା । ମତେ କେମିତି ଚାଉଁକରି ଲାଗିଲା । ଶାଢ଼ୀର ଘୋଡ଼ଣୀ ଭିତରେ ମୁଁ ଅନୁଭବ କଲି ତା’ଶରୀରର ସ୍ଥାପତ୍ୟ । ଦାଣ୍ଡକୁ ଯିବାକୁ ଯାଇଥିଲେ ବି ଯାଇପାରିଲିନି ।

 

ସେଇ ଘରେ ବସିରହି ସେମାନଙ୍କର କଥାବାର୍ତ୍ତା ଶୁଣିବାକୁ ପାଇଲି । ହସରେ ସେମାନେ ଫାଟିପଡ଼ୁ ଥାଆନ୍ତି ।

 

ଏକେଲା ଘରଟାରେ ବସି ରହିବାକୁ ଭଲ ଲାଗିଲାନି । ଅନୁକୁ ନ କହି ମୋ ବଖରାରେ ଚାବି ପକେଇଲି । ଦାଣ୍ଡଦୁଆର ମୁହଁରେ ହେଲାବେଳକୁ ଦେଖିଲି–ଆସୁଛି ବୁଲି ମା’ ।

 

ମତେ ସେ ପଚାରିଲା–ଯାଉଚ କୁଆଡ଼େ ?

 

ବଜାର ।

 

ଅନୁ କ’ଣ ଏକେଲା ।

 

ଆଉ ଜଣେ କିଏ ଅଛନ୍ତି ।

 

ବୁଢ଼ୀ କହିଲା–ଗୋଲଖ ବୋଧେ ଆସିଥିବ ।

 

କହିପାରିବନି ।

 

ବୁଲି ମା’ ମତେ ରହିବାକୁ ଆଉ ବାଧ୍ୟ କଲାନି ।

 

ଚାଲିଲି ବଜାରଆଡ଼େ । ଦି’ତିନି ଘଣ୍ଟା ବାହାରେ ଯାଇ ବୁଲିଲା । କେଜାଣି କାହିଁକି ସଞ୍ଜବେଳଟା ମତେ ଭଲ ଲାଗିଲାନି । ଭାବିଲି–କ’ଣ ଯେମିତି ଗୋଟିଏ ହଜେଇଛି !

 

ଆରଦିନ ସକାଳୁ ଉଠୁ ଉଠୁ ଆଠଟା । ରାତିରେ ଅନେକ ବେଳଯାଏ ବାହାରେ ବୁଲିଲି-। ସେକେଣ୍ଡ ସୋ’ସିନେମା ଦେଖିବାକୁ ଚାଲିଗଲି । ବୁଲିମା’ ଦୁଆର ଖୋଲିଦେଲା-। ମୁଁ ଫେରିଲାବେଳକୁ ମା’ଝିଏ ଅପେକ୍ଷା କରିଥିଲେ । ଶୋଇ ନ ଥିଲେ । ଅନୁ ରନ୍ଧାବଢ଼ା କରିଥିଲା । ଧର୍ମଶାଳାରୁ ଆସିଲାଦିନୁ ସେଇଠି ମୋର ଖା’ପିଆ । କେବଳ ମୁଁ ତ ନୁହେଁ । ଯାହା ମୁଁ ବଜାରରୁ ଆଣେ ଆମ ତିନିଜଣ ଖାଉ । ସେଦିନ ରାତିରେ କିଛି ହେଲେ ଖାଇଲିନି । ବୁଲି ମା’ ବହୁତ ଅନୁରୋଧ କଲେ । ଅନୁ ମୁହଁପୋତି ହସ ହସ ଆଖିରେ ଖାଇବାକୁ ଡାକିଲା । ଖାଇବାକୁ ଆଉ ଇଚ୍ଛା ହେଲାନି । ଆସିଲାବେଳେ ହୋଟଲରୁ ଖାଇକରି ଆସିଥିଲି ।

 

ସକାଳୁ ଦାନ୍ତକାଠି ଖଣ୍ଡେ ଧରି ମୁଁ ଦାଣ୍ଡପିଣ୍ଡାରେ ଆସି ଟହଲ ମାରିଲି । ଘଣ୍ଟେଯାଏ ଏପଟ ସେପଟ ହେଲି; ତଥାପି ଦାନ୍ତଘଷା ମୋର ସରିଲାନି । ବୁଲି ମା’ ଥରୁଟିଏ ଅନେଇ ଦେଇ ଚାଲିଗଲା । ଅନୁ ଆସିନି । ଘରକାମରେ ବୋଧେ ବ୍ୟସ୍ତ । ସେଦିନ ସକାଳୁ ବେଶି ମୋର ମନେପଡ଼ିଲା ଘର କଥା । ପିଲାପିଲିମାନେ କ’ଣ କରୁଥିବେ ? କେମିତି ଚଳୁଥିବେ ? ସେମାନେ ମୋତେ ଖୋଜୁଥିବେ କି ନାହିଁ ? ମୋ ବିଷୟ କଥା ହେଉଥିବେ କି ନାହିଁ ? ଏମିତି ବାର ପ୍ରକାର ଭାବନା ମୋ ମନ ଭିତରେ ଖାଲି ଚକାଭଉଁରୀ ଖେଳିଲା । ବେଶିଦିନ ଏଠେଇ ଆଉ ନ ରହିବାକୁ ଠିକ୍ କଲି । ଟହଲ ମାରୁ ମାରୁ ଦେଖିଲି–ଅନୁ ନଳାମୁହଁରେ ବାସନ ମାଜିବାରେ ଲାଗିଯାଇଛି । ମୁଣ୍ଡବାଳ ତା’ର ଆଲୁରୁ ବାଲୁରୁ । ଲୁଗାପଟାରେ ଠିକ୍ ନାହିଁ । ତା’ ଅଜଣାରେ ଆଖି ଦି’ଟି ମୋର ସାରା ଶରୀରରେ ତା’ର ଲଟେଇ ଯାଇଥିଲା । ଆଖି ଫେରେଇ ଆଣିବାକୁ ମନ ଡାକୁ ନ ଥିଲା । ଏତେଦିନକେ ଅନୁକୁ ଅବା ଭଲ ଭାବରେ ମୁଁ ଦେଖିଲି । ତା’ ଦିହର ବର୍ତ୍ତୁଳ ବିଭବରେ ନିଜକୁ ପାଶୋରି ଦେଲି । ଘର କଥା, ପିଲାପିଲିଙ୍କ କଥା ଶୀଘ୍ର ସେଠାରୁ ସ୍କୁଲଯିବା କଥା ଆଦି ଯାହା ଯାହା ମୁଁ ଭାବୁଥିଲି ସବୁକଛି ଭୁଲିଗଲି ।

 

ଦାନ୍ତଘଷି ସାରି ଘରେ ଯାଇ ଦେଖିଲି–ଅନୁ ଚାହା ବନେଇ ସାରିଛି । ଦାନ୍ତଘଷି ସାରିଲା ପରେ ଚା’କପେ ନିହାତି ଦରକାର । ମୋ ହାତକୁ ଅନୁ କପ୍ ପିଆଲା ବଢ଼େଇଦେଲା । ସକାଳର କଅଁଳ ଖରା ଟାଣ ଧରି ଆସୁଥିଲା । ଚାରିଆଡ଼ର ପିଜୁଳିଗଛ ସନ୍ଧିରୁ ବିଞ୍ଚିଦେଲା ଭଳି ପଡ଼ିଥିଲା ଛଟଛଟକିଆ ସୂର୍ଯ୍ୟକିରଣ । ଗଛ ଛାଇଟା ମୋ ଆଗରେ ଅବା ନାଚୁଥିଲା । ତା’ ସାଙ୍ଗେ ତାଳଦେଇ ମନ ଭିତରେ ନାଚୁଥିଲା ଅନୁ ।

 

ଦାଣ୍ଡଦୁଆରେ ଠିଆ ହୋଇଛି । ଦେଖିଲି–ମେଘୁଆ ରଙ୍ଗର ଗୋଟିଏ କାର୍ ସେଇ ବାଟ ଦେଇ ଚାଲିଗଲା । ଦଶ ବାରଟା ଘର ଡେଇଁଗଲେ ଗୋଟେ ଦୋ’ମହଲା କୋଠା । ସେଇ ଘରର ଦୁଆରମୁହଁରେ ଯାଇ ଲଗିଲା । ମୁଁ ଅନେଇଛି–ସେଥିରୁ ଓହ୍ଳେଇଗଲେ ତିନି ଚାରିଜଣ ଲୋକ । କେତେ ସମୟଯାଏ ଦୁଆରେ କଥା ହେଲେ । ଦି’ଟା ଆଲ୍‌ସେସିଆନ୍ କୁକୁର ସେମାନଙ୍କୁ ଦେଖି ଏପଟ ସେପଣ ଦୌଡ଼ା ଦୌଡ଼ି କରୁଥାଆନ୍ତି । ସେଇ ଘର ଭିତରୁ ଭାସି ଆସୁଥାଏ ଗୀତ । ରେଡ଼ିଓରେ କିଏ ଜଣେ ଗାଉଥାଏ । ସେଆଡ଼ିକି ଅନେଇ ମୁଁ ଭାବିବାରେ ଲାଗିଲି । ମନେ ପକେଇଲି–ପନ୍ଦର, ଷୋଳ ବର୍ଷ ତଳେ ଏ କୋଠା ତ ଏଠି ନ ଥିଲା । ଥିଲା କେବଳ ଭଙ୍ଗା ଚାଳଘର ଖଣ୍ତିଏ । ସେ ଜାଗାଟାକୁ ଆଉ କିଏ ଜଣେ ଧନୀଲୋକ କିଣିନେଇ କୋଠା ବନେଇଚି ? ମନେ ମନେ ଏମିତି ଭାବୁଚି, ଦେଖିଲି–ବୁଲି ମା’ ଦାଣ୍ଡ ଦୁଆମୁହଁରେ ଠିଆ ହୋଇଛି । ମୁଁ, ଯେ ସେ ନୂଆ କୋଠାଆଡ଼ିକି ଓ ମଟର ଆଡ଼ିକି ଅନେଇଛି, ବୁଢ଼ୀ ମୋ ହାବଭାବରୁ ଜାଣିପାରିଥିଲା ।

 

ପଚାରିଲା–ଏ ନୂଆଘରଟା କାହାର କି ?

 

–ଯାହାର ଥିଲା ।

 

–ଆଗେ ତ ସେଠି କୋଠା ନ ଥିଲା ?

 

–ନାଁ ଚାଳଘର ଥିଲା ।

 

–ଘରଟା କାହାର ?

 

–ମିଶ୍ରବାବୁଙ୍କର ।

 

–କୋଉ ମିଶ୍ରବାବୁ ?

 

ଓକିଲାତି କରନ୍ତି । ନାଁ’କୁ ମାତ୍ର ଓକିଲ । ଅଳ୍ପକିଛି ଓକିଲାତିରୁ ପାଆନ୍ତି । ରୋଜଗାରର ଆଉ ଅନେକ ପନ୍ଥା ତାଙ୍କର ଅଛି ।

 

ଆଗେ ବୋଧେ ସେମାନେ ବଡ଼ ଖରାପ ଅବସ୍ଥାରେ ଚଳୁଥିଲେ ?

 

ହଁ, ବାପା ତାଙ୍କର ସିଂହଦ୍ଵାର ମୁହଁରେ ନଡ଼ିଆ ବକ୍ରି କରୁଥିଲେ, ଗାଁରୁ ବୋହିଆଣି କାନ୍ଧରେ ।

 

ବର୍ଷ ପନ୍ଦରଟାରେ ଏତେ କେମିତ ବଦଳିଗଲା ?

 

ତାଙ୍କ ବିଷୟରେ ବେଶି କିଛି ମୁଁ ଜାଣେନି । ଏତିକି ଜାଣେ ମିଶ୍ରବାବୁ ଶଶୁର ଘର ଟଙ୍କାରେ ପାଠ ପଢ଼ିଥିଲେ । ତାଙ୍କର ଧନରେ ସେ ଆଜି ମଣିଷ । ଥରେ ଜେଲ ଯାଇଥିବାର ମୁଁ ଶୁଣିଛି ।

 

ଜେଲ୍ କାଇଁ ଯାଇଥିଲେ ? ଚୋରି କରିଥିଲେ ନାଁ । ମଣିଷ ମାରିଥିଲେ ?

 

ତା’ ମୁଁ କହି ପାରିବିନି । ମାସ ଛ’ଟାରେ ସେ ଯେତେବେଳେ ଜେଲରୁ ଫେରିଆସିଲେ, ଲୋକେ ତାଙ୍କୁ ଫୁଲମାଳ ଦେଇ ପାଛୋଟି ଆଣିଲେ । ତାଙ୍କୁ ଆଗରେ ରଖି ଲୋକେ ଧାଡ଼ିବାନ୍ଧି ସହରଯାକ ପରିକ୍ରମା କଲେ । କେତେ କେତେ ସଭା ସମିତି ହେଲା । ସବୁଆଡ଼େ ତାଙ୍କର ପ୍ରଶଂସା-। ଲୋକେ ତାଙ୍କୁ ବଡ଼ ମଣିଷ ବୋଲି ମାନିଲେ । ଦେଶ ପାଇଁ, ଲୋକମାନଙ୍କ ପାଇଁ ଜେଲ ଯାଇଥିବାରୁ ତାଙ୍କ ନାଁ’ରେ ବହି ଲେଖା ବି ହେଲା । ଯାହାକିଛି ଦୁଃଖ ଅସୁବିଧା ପଡ଼ିଲେ ଲୋକେ ତାଙ୍କର ପାଖକୁ ଦଉଡ଼ିଲେ । ମିଶ୍ରବାବୁ ଭୋଟ ପାଇଁ ଠିଆହେଲେ । ଲୋକଙ୍କ ପାଇଁ ସେ ଜେଲ ଯାଇଥିଲେ । ସିଏ ଭୋଟ ନ ପାଇ ଆଉ ପାଇବ ବା କିଏ ? ଲୋକଙ୍କର ବିଶ୍ଵାସ ମିଶ୍ରବାବୁଙ୍କ ଉପରେ ଜମାଟ ବାନ୍ଧିବାକୁ ଲାଗିଲା । କେବଳ ତାଙ୍କରି ଜରିଆରେ ଦୁଃଖରୁ ସେମାନେ ଉଦ୍ଧାର ପାଇବେ । ଅସୁବିଧା କ’ଣ ଜାଣିବେନି ।

 

ସତରେ କ’ଣ ସେ ଲୋକଙ୍କ ପାଇଁ ଇଏ ସବୁ କରିଛନ୍ତି ? ସମୟ ପାଆନ୍ତି କେତେବେଳେ ? ଓକିଲାତି ପଇସାରେ କ’ଣ କୋଠାବାଡ଼ି ଓ ମଟରଗାଡ଼ି ଇତ୍ୟାଦି କରିଛନ୍ତି ?

 

ବୁଲି ମା’ କଛି ସମୟ ତୁନି ରହିଲା । ଚାରିଆଡ଼େ ଥରୁଟେ ଆଗ ଆଖି ବୁଲେଇ ଆଣିଲା । କହିଲା–ଘର ଭିତରକୁ ଆସନ୍ତୁ ।

 

ଅଗଣା ବାରଣ୍ଡାରେ ମସିଣା ଖଣ୍ଡେ ପଡ଼ିଥିଲା । ମୁଁ ଯାଇ ସେଥିରେ ବସିଗଲି । ବୁଲିମା’ ତଳେ ବସିଲା । ଅନୁ ହାଣ୍ଡିଶାଳେ ରନ୍ଧାବଢ଼ାରେ ବ୍ୟସ୍ତ ଥିଲା । ବେଳେ ବେଳେ ଅନୁ ଉପରେ ଆଖିକି ମୋର ଲହରେଇ ଆଣୁଥିଲି । ମନଦେଇ ଏଣେ କାନ ପାରିଥିଲି ।

 

‘ବୁଲି ମା’ ଆରମ୍ଭ କଲା–

 

ଠିକ୍ କି ଭୁଲ ମୁଁ କହିପାରିବିନି । କେତେ ଲୋକ ଫୁସ୍‌ଫାସ୍ ହେଉଥିବାର ଶୁଣିଛି–ମିଶ୍ରବାବୁ ଓକିଲାତିରୁ ମାସକୁ ଟଙ୍କା ଦି’ଶ ବି ପାଆନ୍ତିନି । ତାଙ୍କର ଆଉ ଆଉ ଅନେକ ଫନ୍ଦିଫିକର ଅଛି । ଆଗ ସେ ଟାଉନ୍ ମୁନସିପାଲିଟିରେ ଥିଲେ । ସେଇଥିରୁ ଟଙ୍କା ଚାଳିଶ ପଚାଶ ହଜାର ପକେଇଦେବା କଥା ସବୁ ଲୋକେ ଜାଣନ୍ତି । ତାଙ୍କ ପଛଆଡ଼େ କଥା କୁହନ୍ତି । କିନ୍ତୁ ମୁହଁକୁ ଅନେଇ କେହି କେବେ ଏ କଥା କହି ପାରିବେନି । ଯେଡ଼େ ଶତ୍ରୁଟିଏ ହୋଇଥିଲେ ବି ପଦେ ଦି’ପଦ କଥା ହେଲେ ତାକୁ ସେ ବଶ କରିନିଅନ୍ତି । କାନ୍ଧରେ ହାତ ପକେଇ ସବୁକିଛି ତା’ର ଶୁଣନ୍ତି । ଉପର ହାକିମଠୁ ମନ୍ତ୍ରୀଙ୍କଯାଏ ସବୁ ଜାଗାରେ ତାଙ୍କର ହାତ ଅଛି । ବ୍ୟବସାୟୀମାନେ ବି ତାଙ୍କୁ ହାଡ଼େ ହାଡ଼େ ଡରନ୍ତି । ଯାହା ଯେତେବେଳେ ଦରକାର ନ ପଚାରି ଦେଇଯାଆନ୍ତି । ମିଶ୍ରବାବୁ ମନା ମନା କରୁଥାଆନ୍ତି । ଦେଖି ନ ଦେଖିଲା ଭଳି ଅନ୍ୟ କାମରେ ମନ ଦିଅନ୍ତି । ତାଙ୍କର ଏ ଯୋଉ ଘରଦ୍ଵାର ସେ ସବୁ ପାଇଁ ଗୋଟିଏ ହେଲେ ପଇସା । ସେ ଖର୍ଚ୍ଚ କରି ନାହାନ୍ତି । ଇଟା, ସିମେଣ୍ଟ, ଲୁହାଛଡ଼ ଆଦି ସବୁ ଜିନିଷ ଅନ୍ୟମାନଙ୍କଠୁ ପାଇଛନ୍ତି । ଯାହା କିଛି ଅଳ୍ପ ବହୁତେ ଦେଇଛନ୍ତି ମୂଲିଆ ମଜୁରୀ-। କାହାର ଲାଇସେନ୍‌ସ ଦରକାର, କାହାର ଦରକାର ସିମେଣ୍ଟ ପରିମିଟ୍ କୋଉ ଚାକିରିଆର ବଦଳି ହେଇଯାଇଛି, ସେ ଯିବାକୁ ଚାହୁନି, କାହା ଗାଁରେ ସ୍କୁଲ, କି ଡାକ୍ତରଖାନା ବସିବ, କିଏ ମନ୍ତ୍ରୀଙ୍କ ସାଙ୍ଗେ ଦେଖା କରିବାକୁ ଚାହିଁଲା, କଣ୍ଟ୍ରାକଟର ଟଙ୍କା ପାଉନି, ବ୍ୟବସାୟୀର ଟିକସ ଫାଙ୍କିଦେବାକୁ ଇଚ୍ଛା, କିଏ ମାଲମକଦ୍ଦମାରେ ପଡ଼ିଛି, ଚାକିରି ଖଣ୍ଡିଏ କାହାର ଦରକାର–ଏଇସବୁ କାମରେ ମିଶ୍ରବାବୁ ଏକା ସାହାଭରସା । ସମସ୍ତଙ୍କୁ ସାହାଯ୍ୟ କରିବାକୁ ସେ ହିଁ’ ଭରନ୍ତି । କାହାକୁ ମନାକରିବା କଥା ମିଶ୍ରବାବୁଙ୍କ ଜାତକରେ ନାହିଁ । ଅସଲ କଥା ହେଲା ଟଙ୍କା । କାହାଠୁଁ ସେ ନିଜେ ଟଙ୍କା ନେବାର ଶୁଣା ନାହିଁ; କିନ୍ତୁ ନାନା ସୁବିଧା ଅସୁବିଧା ନେଇ ଲୋକେ ତାଙ୍କ ପାଖକୁ ଆସିଲେ, ଟଙ୍କା ଆପେ ଆପେ ତାଙ୍କ ବାକ୍‌ସରେ ଯାଇ ପଶେ । ଲୋକେ ଘରେ ଆସି ଦେଇଯାଆନ୍ତି-। ଦେଶପ୍ରେମର ବାନା ଉଡ଼େଇ, ସଭା ସମିତି ଆଦିରେ ବକ୍ତୃତା ଦେଇ ହସ ହସ ମୁହଁରେ ସବୁକିଛି ସେ କରିପାରନ୍ତି । ପ୍ରତିବାଦୀ ପକ୍ଷ କିଛି ଗୋଟେ କାମ ନ କରିବାକୁ ଆସି କହିଲେ, ମିଶ୍ରବାବୁ ଟଙ୍କା ମୁହଁରେ ସାଙ୍ଗେ ସାଙ୍ଗେ ବଦଳି ଯାଆନ୍ତି । ଯୋଉ ଆଡ଼ିକି ବର୍ଷା, ତାଙ୍କର ସେଇ ଆଡ଼ିକି ଛତା-। ପୋହଳା ଏଣ୍ଡୁଅ ଭଳି ସେ ସମୟ ଦେଖି ରଙ୍ଗ ବଦଳେଇ ପାରନ୍ତି । ସେ ଯୋଉ ମଟରଗାଡ଼ିଟା–ସେଇଟା କ’ଣ ତାଙ୍କ ରୋଜଗାରରେ କିଣା ହୋଇଛି ବୋଲି ଭାବୁଛ ? ଉପର ମହଲରେ କୁହାବୋଲା କରି କଟକର କୋଉ ଜଣେ ବ୍ୟବସାୟୀକି ଲକ୍ଷ ଲକ୍ଷ ଟଙ୍କାର ଲାଭ ଉଠେଇବାକୁ ସେ ସାହାଯ୍ୟ କରିଥିଲେ । ବ୍ୟବସାୟୀର ସମୁଦ୍ର କୂଳରେ କୋଉଠି ଗୋଟେ ଦୋକାନ ଅଛି । ପ୍ରତି ସଞ୍ଜବେଳେ ସେଇଠିକି ୟାଙ୍କର ଦଉଡ଼ା । ସେଇ ଦେଇଥିଲା ମଟରଗାଡ଼ି । ବେଶି ଲାଭ ପାଇବା ଆଶାରେ । ମିଶ୍ରବାବୁଙ୍କ କୁହାବୋଲାରେ ଆଖି ପିଛୁଳାକେ ପାଇବ ଲକ୍ଷ ଲକ୍ଷ ଟଙ୍କା, ଏଣେ ଜିନିଷରେ ଚଢ଼ା ଦାମ୍ ପକେଇ ଲୋକଙ୍କର ତଣ୍ଟି ଚିପିବ । ଏଇସବୁ ହେଲା–ଏ ଯୁଗର କାରବାର-। ବଡ଼ ବଡ଼ ଲୋକଙ୍କର ନିତିଦିନିଆ କଥା । ସେଇମାନେ ପୁଣି ନେତା ଓ ଆମମାନଙ୍କର ସୁଖଦୁଃଖ ବୁଝିବେ ସେଇମାନେ ।

 

ବୁଲି ମା’ଠୁଁ ଏ ସବୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । ତାକୁ ପଚାରିଲି–ଏତେ କଥା ତୁ ଜାଣିଲୁ କୁଆଡ଼ୁ ?

 

ଦାସିଆଠୁଁ ।

 

ଦାସିଆ କିଏ ?

 

ମିଶ୍ରବାବୁଙ୍କ ଘର ଚାକର, ଏଠେଇକି ଆସେ । ତାଙ୍କ ଘରେ କୋଡ଼ିଏ ବର୍ଷ ହେଲା ରହିଲାଣି । ତାଙ୍କ ଘରର ସବୁ କଥା ଦାସିଆ ଭଲ ଭାବରେ ଜାଣେ । ମିଶ୍ରବାବୁଙ୍କ ବାପା କାନ୍ଧରେ ନଡ଼ିଆ ନେଇ ବିକ୍ରି କରୁଥିଲାବେଳେ ସେ ତାଙ୍କ ଘରେ ଥିଲା । ଦାସିଆ ତାଙ୍କର ହଳିଆ । କହୁଥିଲା ସେତେବେଳେ ତାଙ୍କ ଘର ତାକୁ ଭଲ ଲାଗୁଥିଲା । ସେତେବେଳେ ସେମାନେ ଦୁଃଖ ଅସୁବିଧାରେ ଚଳୁଥିଲେ । ନିଜ ଘର ଭଳି ସେ ଚଳୁଥିଲା । ଏବେ ଘରେ ତାଙ୍କର ସମସ୍ତେ ଇନ୍ଦ୍ର ଚନ୍ଦ୍ର ଆଉ ମାନୁ ନାହାନ୍ତି । ମୁହଁ ଉପରକୁ । ଦାସିଆ କହୁଥିଲା–ଏଥରକ ସେ ଚାଲିଯିବ । ତାଙ୍କ ଘରର ଯାହା ଯାହା କଥା ସବୁ ସେ ଖୋଲି କହେ । ବିଚାରା ବୁଢ଼ା ଆସି ହେଲାଣି । ପୁଅମାନେ ତା’ର କିଏ କୁଆଡ଼େ ବାହାରେ ଅଛନ୍ତି । ସେଇଥିପାଇଁ ଘର ଛାଡ଼ିପାରୁନି । ସେଇ ଆସି ତାଙ୍କ ଘର କଥା ଗପିହୁଏ । ତା’ରିଠୁଁ ଏସବୁ ଶୁଣିଛି । ତା’ଛଡ଼ା ସାଇର ତ ପୁଣି ଲୋକ । କଥାକୁ ଯେତେ ଲୁଚେଇଲେ କ’ଣ ସେ ଲୁଚି ରହେ ? ଦିନେ ନା ଦିନେ ବାହାରି ପଡ଼େ । ମତେ କ’ଣ ସେ କମ୍ ହଇରାଣ କରିଛନ୍ତି । ଛାଡ଼ ସେ କଥା । ମଇଳା ଘାଣ୍ଟି ଲାଭ ନାହିଁ ।

 

ତତେ କ’ଣ ହଇରାଣ କଲେ ?

 

ବୁଲି ମା’ ତୁନି ରହିଲା ।

 

ବୁଝିଲି–ସେ କହିବାକୁ ଇଚ୍ଛା କରୁନି ।

 

ଘରଆଡ଼େ ସେ ଆଖି ବୁଲେଇ ଆଣିଲା ।

 

ଅନୁ ଥିଲା ବାରିଆଡ଼େ । କ’ଣ ଗୋଟେ କାମରେ ବୋଧେ ବ୍ୟସ୍ତ ଥିଲା ।

 

ଅନୁକୁ ଦେଖିବାକୁ ମୁଁ ବି ଆଖି ଘୂରେଇ ଆଣିଲି । ତାକୁ ପାଇଲିନି ।

 

ବୁଲିମା’ ଖୁବ୍ ଆସ୍ତେ କରି କହିବାକୁ ଆରମ୍ଭ କଲା–

 

ତା’ ନିକଟକୁ ମୁଁ ଅଳ୍ପ ଘୁଞ୍ଚଗଲି ।

 

ମୋତେ ଆସି ସେଇ ମିଶ୍ରବାବୁ ଲୋଭ ଦେଖେଇଲେ–ଝିଅଟାକୁ ଘରେ କାଇଁ ବାନ୍ଧି ରଖିଛୁ ? ତାକୁ ଛାଡ଼ିଦେ । କିଛି ନା କିଛି କାମ କରିବ ।

 

ସେଥିରୁ ଯାହାକିଛି ପାଇବ, ମା’ ଝିଏଁ ପୋଷି ହେବ । ପ୍ରଥମେ ମୁଁ ମନା ମନା କରୁଥିଲି-। ଦିନେ ସଞ୍ଜବେଳେ ମଟରରେ ଆସି ମତେ ଟଙ୍କା ପଚାଶଟା ଧରେଇ ଦେଲେ । କହିଲେ ଏଇ ଟଙ୍କାରେ ଚଳୁଥା । ଝିଅ ଚାକିରି କରି ଟଙ୍କା ପଠେଇବ । ଦି’ତିନିଦିନ ପରେ ପୁଣି ସେ ଫେରି ଆସିବ । ଆଶ୍ରମରେ ଅନ୍ୟ ସ୍ତ୍ରୀ ଲୋକେ ଅଛନ୍ତି । ଅନୁର କିଛି ହେଲେ ଅସୁବିଧା ହେବନି-। ଛାଡ଼ିବାକୁ ମୋର ଇଚ୍ଛା ନ ଥାଏ । ବାଧ୍ୟ ହୋଇ ତାଙ୍କ କଥାରେ ହଁ ଭରିଲି । ଅନୁ ଲୁଗା ପିନ୍ଧି ମଟରରେ ଚଢ଼ିଲା । ମଟରରେ ଆଉ ତିନି ଚାରିଜଣ କିଏ ବସିଥିଲେ । ତାଙ୍କୁ ମୁଁ ଚିହ୍ନିନି-। ଦି’ଦିନରେ ଝିଅକୁ ଛାଡ଼ିଦେବେ ବୋଲି କହିଥିଲେ । ହପ୍ତେ ଯାଇ ପନ୍ଦରଦିନ ଗଲା । ସବୁଦିନ ତାଙ୍କ ଦୁଆରେ ଯାଇ ଅଧିଆ ପଡ଼େ । ତାଙ୍କ ଦୁଆରକୁ ଗଲେ ଦାସିଆଠୁଁ ମୁଁ ଶୁଣିଛି ଘରେ ସ୍ତ୍ରୀ ସ୍ଵାମୀଙ୍କ ଭିତରେ କଳିକଜିଆ ଲାଗେ । ମାସେ ପୂରିବାକୁ ଦିନ କେଇଟା ଆଉ ବାକି ଅଛି, ଦିନେ ରାତିରେ ଏଇ ମିଶ୍ରବାବୁ ଅନୁକୁ ଆଣି ମୋ ପାଖରେ ଛାଡ଼ିଦେଲେ । ସେତେବେଳେ ଅନୁର କାନ୍ଦ ଆଉ ଦେଖେ କିଏ ? ଯାହା ଯାହା ସବୁ ଝିଅ ଆସି ମତେ କହିଲା–ସେସବୁ କହିବାକୁ ମୋର ଜିଭ ନେଉଟୁନି । ମା’ଝିଏ କାନ୍ଦି କାନ୍ଦି କେତେଦିନ ଏମିତି କଟେଇଲୁ । କହିବୁ ଅବା କାହାକୁ ? କିଏ ଆମର ସାହାଭରସା ଅଛି ? ତାଙ୍କୁ ମୁଁ ଗାଳିଦେଉଛି ଶୁଣି ଦିନେ ଆସି ଧମକ ଦେଲେ । କହିଲେ–ବେଶି ପାଟିଫାଟି କଲେ ଏ ସାଇରୁ ବାହାର କରିଦେବି । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆଟିଏ ପକେଇ ତୁନି ରହିଲି । ଝିଅ ପାଇଁ ଚାକିରି ତ ଯାହା ସେମାନେ ଠିକ୍ କରିବେ, କରିବେ । ସିଆଡ଼ୁ ଆସି ଝିଅ ମୋର କେତେଦିନ ଜରରେ ପଡ଼ିଲା । କହିଲା–ସେ ଯୋଉ ଆଶ୍ରମରେ ଥିଲା, ସେ ଜାଗା ନର୍କଠାରୁ ବି ହୀନ । ଯେତେ ଯେତେ ଅଘଟଣ କଥାସବୁ ସେଇ ଜାଗାରେ । ଏଇ ମିଶ୍ରବାବୁ ହେଉଛନ୍ତି ସେଇ ଲୋକ । ଯାହାଙ୍କୁ ଏତେ ଲୋକ ମାନନ୍ତି ଓ ଲୋକଙ୍କ ପାଇଁ ସାହାଯ୍ୟ କରୁଛନ୍ତି ବୋଲି ଚାରିଆଡ଼େ ତାଙ୍କ ନାଁରେ ବାନା ଉଡ଼େ ।”

 

ବୁଲି ମା’ ଆଉ କେତେ କ’ଣ କହିବ ବୋଲି ଯାଉଥିଲା ।

 

ଅନୁ ଆସି ପାଖରେ ଆମର ଠିଆ ହେଲା । ଇଚ୍ଛା ଥିଲା ପଚାରିବାକୁ–ଏତେ ସମୟ ଧରି କ’ଣ ଆମେ କଥା ହେଉଛୁ । ହାବଭାବରୁ ଜଣା ପଡ଼ୁଥିଲା–ସେଥିରେ ତା’ର କିଛି ଯାଏ ଆସେ ନାହିଁ । ତଥାପି ସେ କାନପାରି ଶୁଣୁଥିଲା । କାନରେ କାଳେ ପଦେଅଧେ ବାଜିଯିବ ।

 

ଅନୁ ଏସବୁ ଶୁଣୁ–ଏକଥା ବୁଲିମା’ ବୋଧେ ଇଚ୍ଛା କରୁ ନ ଥିଲା । ଅନୁ ଦୂରେଇ ଠିଆ ହେବାର ଦେଖି ସେ ବାହାନା କରି ଚାଲିଗଲା ବାରିଅଡ଼େ ।

 

ଅନୁ ଉପରେ ଥରୁଟିଏ ଆଖି ପକେଇଛି କି ନାହିଁ, ମିଶ୍ରବାବୁଙ୍କ କଥା ପାଶୋରି ଗଲି । ମନ ମୋର ଆଖି ଭିତରେ ଲହଡ଼ା ଭାଙ୍ଗି ସାରା ଶରୀରରେ ତା’ର ନାଚିବାକୁ ଲାଗିଲା । ଅନୁର ଫୁଙ୍ଗୁଳା ବାଳ ଆଉ ଲଙ୍ଗଳା ବାହା, ଚମ୍ପା ରଙ୍ଗର ଦିହ ସାଙ୍ଗକୁ ଧାରୁଆ ମୁହଁ, ଦାଢ଼ୁଆ ଆଖି ଓ ମୁରୁକା ହସ ସବୁଯାକ ଏକାଠି ମିଶି ମତେ ବାନ୍ଧି ରଖିଥିଲା । ଭାବୁଥିଲି–ବାହାରେ ଯାଇ ବୁଲି ଆସିବି । ଯାଇପାରୁ ନ ଥିଲି । ଅନେକ କିଛି ତା’ ସାଙ୍ଗେ କଥା ହେବି ଓ କେତେ କଣ କହିବି କହିବି ହେଉଥିଲି, କିନ୍ତୁ ପଚାରିବି ବା କ’ଣ ? ମିଶ୍ରବାବୁ ତାକୁ କେତେଦିନ ପାଇଁ ନେଇଯିବା, ସେମାନଙ୍କର ଅସହାୟ ଅବସ୍ଥା, ବୁଲିମା’ କିଛି ନ ଲୁଚେଇ ସବୁକଥା ମୋ ଆଗେ ଖୋଲି କହଦେବା ଏସବୁ ଏକାଠି ମିଶି ମୋ ମନ ଭିତରେ କେମିତି ଗୋଟେ ଉଠାପଡ଼ା ଆରମ୍ଭ କରିଥିଲା-। ଅଜାଣତରେ ତା’ଆଡ଼ିକି ଡଙ୍କେଇ ଯାଉଥିଲା ମୋର ମନ । ଅସହାୟ ମା’ ଝିଅଙ୍କ ପାଇଁ ମୋ’ ଭିତରେ ମଣିଷ ଦୟା ଆଉ କରୁଣାରେ ଭିଜି ଯାଉଥିଲା । ମୋର ଛୁଆପିଲା, ମୋର ସ୍ତ୍ରୀ, ଘରସଂସାର ଓ ଜଞ୍ଜାଳ ଆଦି ଯେ ଆଉ ଗୋଟିଏ ସ୍ଵତନ୍ତ୍ର ସତ୍ତା ଓ ଆଉ ଗୋଟିଏ ମୋର ଅଲଟା ଜୀବନ–ସେ କଥା ସେତେବେଳେ ଭୁଲିଯାଇଥିଲି । ଆପେ ଆପେ ଭାବନା ଆସୁଥିଲା–ଏମାନଙ୍କୁ କ’ଣ ସାହାଯ୍ୟ କରି ହେବନି ?

 

ଆସିଗଲା ବୁଲି ମା’ ।

 

ଅନୁ ପଚାରିଲା–ଖାଲି ଚା’ ତ ଖାଇଲେ । ଜଳଖିଆ ?

 

ଦେଲେ ତ !

 

ଅନୁ ତୁନି ରହିଲା ।

 

ମୁଁ ବୁଝିନେଲି–ଯାହା ଆଣିଥିଲି ବୋଧେ ସରିଗଲାଣି । ଅନୁ ଆଣିବାକୁ କହିପାରୁନି; ଅଥଚ ଜଳଖିଆ ବି କରିପାରୁନି ।

 

କହିଲି–ବାହାରେ ଖାଇନେବି ।

 

ତଳକୁ ମୁହଁପୋତି ଅନୁ କେବଳ ଠିଆ ହୋଇ ରହିଲା ।

 

ଆଚ୍ଛା ବ୍ୟାଗ୍‌ଟା ଆଣିଲୁ ।

 

ବୁଲି ମା’ ସାଙ୍ଗେ ଅନୁ ବି ଭିତରକୁ ଗଲା ।

 

ବଜାର ସଉଦା କରିବାକୁ ପଡ଼ିବ ବୋଲି ମୋର ମନେ ନ ଥିଲା । ବୁଲି ମା’ କଥାରେ ସେସବୁ ମୁଁ ଭୁଲି ଯାଇଥିଲି ।

 

ପୁରୀର ଆଉ କେତେ ଜାଗାକୁ ବୁଲିଯିବି ବୋଲି ଆଗୁଆ ଠିକ୍ କରିଥିଲି; କନ୍ତୁ ବଜାର ସଉଦାଟା ଯେ ଆଗ ଦରକାର । ବ୍ୟାଗ୍ ଖଣ୍ଡକ ଧରି ବାହାରଲି ବଜାରଆଡ଼େ !

 

ଖିଆପିଆ ସାରିଦେଇ ଖରାବେଳେ ମୋ କୋଠରୀଟିରେ ବସି ଖବର କାଗଜରେ ଆଖି ପକେଇଲାବେଳେ ଦାଣ୍ଡଦୁଆରେ କେତେ ଲୋକଙ୍କର ପାଦଶବ୍ଦ ଶୁଣିବାକୁ ପାଇଲି । ଅଳ୍ପ ପାଟିତୁଣ୍ଡ ବି ହେଲା । ବୁଲି ମା’ ମୋ ପାଇଁ ପାନ ତିଆରି କରୁଥିଲା । ଅନୁ ବ୍ୟସ୍ତଥିଲା ହାଣ୍ଡିଶାଳେ-। ବୋଧେ ହାଣ୍ଡିଆଟିକା ଧୁଆଧୋଇ କରୁଥିଲା ।

 

ଗୋଳମାଳ ଶୁଣି ମୁଁ ବାହାରକୁ ଗଲି । ବୁଲି ମା’ ଚାଲିଲା ମୋ ପଛେ ପଛେ । ଦେଖିଲି ଦି’ଚାରିଜଣ ଛତରା ଟୋକା କଳକଜିଆ କରିବାରେ ବ୍ୟସ୍ତ । ସେଦିନ ସନ୍ଧ୍ୟାବେଳେ ଯୋଉ ଗୋଲଖକୁ ଏଠିକି ଅସିବାର ଦେଖିଥିଲି ସେ ସମସ୍ତଙ୍କୁ ଚବିଶିପଳିଆ ବିଧା ସବୁ ଛେଚିବାରେ ଲାଗିଛି । ଗୋଲଖ ଜଣେ । ସେମାନେ ତିନିଜଣ । ସମସ୍ତେ ମିଶି ଏକା ଗୋଲଖକୁ ପାରୁ ନ ଥାନ୍ତି-

 

ଶେଷକୁ ସମସ୍ତେ ଏକାଠି ହୋଇଗଲେ ଓ ତିନିଆଡ଼ୁ ଛକିଯାଇ ଗୋଲଖକୁ ଯାକି ଧରିଲେ । ମୁଁ ଆଉ କାଳବିଳମ୍ବ ନ କରି ସେମାନଙ୍କ ମଝିକି ଚାଲିଗଲି ଓ କଳି ଭାଙ୍ଗିଦେବାକୁ ଚେଷ୍ଟା କଲି । ମୋର ସାହାଯ୍ୟ ପାଇ ଗୋଲଖ ଖସି ଆସିଲା ଓ ସାଙ୍ଗେ ସାଙ୍ଗେ ସେ ସମସ୍ତଙ୍କୁ ମାରିବାକୁ ଆଗେଇଗଲା ।

 

ମୋ କଥା ଅନୁସାରେ ସମସ୍ତେ ଛାଡ଼ବାଡ଼ ହୋଇଗଲେ । ସେମାନେ ତିନିହେଁ ଗୋଲଖକୁ କେତେ କ’ଣ ଗାଳିମନ୍ଦ ଦେଇ ସେଠାରୁ ବିଦାୟ ନେଲେ ।

 

ଗୋଲଖକୁ ମୁଁ ଘର ଭିତରକୁ ଡାକିନେଲି । ବୁଲିମା’ ବି ଆଗେଇ ଅସିଲା । ଅନୁ ସେତେବେଳକୁ ଦାଣ୍ଡଦୁଆରେ ଆସି ଠିଆ ହେଲେଣି । କଥାଟା କ’ଣ ମୁଁ ବୁଝି ପାରିଲିନି ।

 

ଗୋଲଖଠୁଁ ଯାହା ବୁଝିଲି–ସେମାନେ ସମସ୍ତେ ସାଙ୍ଗ ହୋଇ ଜୁଆ ଟେଡ଼ିଥିଲେ । ଗୋଲଖ ଜିତିଗଲା ଶହେ ଟଙ୍କା । ସେଇଥିପାଇଁ ତା’ ଉପରେ ସମସ୍ତଙ୍କର ରାଗ । ଗୋଲଖ ଖେଳରେ ଜିତିଛି । ଟଙ୍କା ଅବା ସେ ଦେଇଦେଉଛି କେତେକେ ।

 

ସେତେବେଳେ ସେ ରାଗରେ ତମତମ । କେତେ ଥର ଖେଳରେ ସେ ହାରିଛି । କେବେ ତ ଜିତିଥିବା ଲେକଙ୍କ ସାଙ୍ଗରେ କଳିକଜିଆ କରିନି ? ଗୋଲଖ ସେତେବେଳେ ଚାଲିଯିବାକୁ ତରତର ହେଉଥିଲା । ଅସଲ କାରଣଟା ହେଲା ସେମାନଙ୍କୁ ଦେଖିଲେ । ପୁଣି ନିର୍ଦ୍ଧୂମ ଛେଚିବ । ବୁଲି ମା’ ତା’ ଉଦ୍ଦେଶ୍ୟ ବୁଝିପାରି ଦାଣ୍ଡଦୁଆରେ ଶିକୁଳି ଦେଇଗଲା । ବାହାରକୁ ଯିବାକୁ ମୁଁ ବି ବାରଣ କଲି । ଗୋଲଖ ଆମମାନଙ୍କ କଥା ଶୁଣିଲା । ଅଧ ଘଣ୍ଟେ ଖଣ୍ଡେ ହାଲିଆ ମାରି, ଯିବାକୁ ବାହାରିଲା । ଗଲାବେଳେ ବୁଲି ମା’ ହାତକୁ ବଢ଼େଇଦେଲା ପଚାଶଟା ଟଙ୍କା । ବୁଲିମା’ ପ୍ରଥମେ ପ୍ରଥମେ ନବାକୁ ଅମଙ୍ଗ ହେଉଥିଲା, ବୋଧେ ମୁଁ ଥିବାରୁ । ତା’ପରେ ଟଙ୍କାଟା ରଖିନେଇ ତାକୁ ଯିବାକୁ କହିଲା । ରିକ୍‌ସାରେ ଯିବାକୁ ଆଦେଶ ଦେଲା ।

 

ଗୋଲଖ ହୁଁ କି ଚୁଁ କହିଲାନି ।

 

ମୁଁ ବି କହଲି–ସେମାନେ ବାଟରେ ହୁଏ ତ ଛକିଥିବେ ।

 

ଗଲାବେଳେ ବୁଲି ମା’ କହଲା–ସନ୍ଧ୍ୟାବେଳେ ଆସିବୁ ଗୋଲଖ ।

 

ଆସିବ କି ନାହିଁ ଗୋଲଖ କଥାରୁ କିଛିହେଲେ ଜଣା ପଡ଼ିଲାନି । ଝଡ଼ ଭଳି ସେ ଘରୁ ବାହାରିପଡ଼ିଲା । ବଡ଼ ବଡ଼ ପାହୁଲ ପକେଇ ଚାଲିଲା ରାସ୍ତାଆଡ଼େ । ଗଳିଟା ଡେଇଁଗଲେ ସିଧା ବାଟ ପଡ଼ିଛି । ଗାଡ଼ି ଘୋଡ଼ାର ଯା’ଆସ । ରାସ୍ତା କଡ଼ଯାକ ଦୋକାନ ବଜାରରେ ଭର୍ତ୍ତି ।

 

ମୁଁ ମନେ ମନେ ଗୋଲଖ କଥା ଭାବିବାରେ ଲାଗିଥାଏ । କିଏ ସେ ଇଏ ? ସେଦିନ ସନ୍ଧ୍ୟାବେଳେ କି ଉଦ୍ଦେଶ୍ୟ ନେଇ ଆସିଥିଲା ? କେମିତି ସେ ୟାଙ୍କର ଲେଖାଯୋଖାରେ ଭାଇ ? ଜୁଆ ଖେଳିବା ଆଉ ମାଡ଼ଗୋଳ କରିବା କ’ଣ ଇଆର କାମ ? ମାଡ଼ଗୋଳଟା ପୁଣି ଏଠି କାହିଁକି-? ବୁଲି ମା’କୁ କାହିଁକି ଅବା ସେ ପଚାଶ ଟଙ୍କା ଦେଲା ? ଏ ସବୁର କାରଣ କ’ଣ ? ମନେ ମନେ ଭାବୁଥାଏ; କିନ୍ତୁ ପଚାରିବାର ଉପାୟ ନାହିଁ ।

 

କଥାଟା ନ କହିଲେ ବି ମନରୁ ଚିହ୍ନିହୁଏ, କଥା କହିବାର ଭଙ୍ଗୀରୁ ଜାଣିହୁଏ ଲୋକ କ’ଣ ଇଚ୍ଛା କରୁଛି । ବୁଲି ମା’ ମୋ ହାବଭାବରୁ ହୁଏତ ଅସଲ କଥାଟା ଜାଣିଗଲା । ଘର କାମରେ ଲାଗିଯିବାକୁ ଝିଅକୁ ଇଶାରା ଦେଲା । ମତେ ଡାକିନେଲା ବାରିଆଡ଼େ । ଦି’ ପହରର ପ୍ରଚଣ୍ଡ ଖରା ଚାରିଆଡ଼େ ଅଜାଡ଼ି ହୋଇ ପଡ଼ୁଥିଲା । ବୁଲି ମା’ ଓ ମୁଁ କାନ୍ଥକରର ଗୋଟିଏ ଛାଇ ଜାଗାରେ ଯାଇ ଠିଆ ହେଲୁ ।

 

ବୁଲି ମା’ କହିବାକୁ ଆରମ୍ଭ କଲା–

 

ଏ ଯୋଉ ଗୋଲଖ ବୋଲି ଟୋକାଟାକୁ ଦେଖିଲେ, ସେମାନେ ଆଗେ ଏଇ ସାଇରେ ରହୁଥିଲେ । ମିଶ୍ରବାବୁଙ୍କ ଘରକୁ ଲାଗି ତାଙ୍କର କୋଠା ଖଣ୍ଡିଏ ଥିଲା । ଗୋଲଖର ବାପା ସୁରବାରୁ ବେଶ୍ ଭଦ୍ରଲେକ । କ’ଣ ଚାକିରି ବାକିରି କରୁଥିଲେ । ଗୋଲଖ ତାଙ୍କର ଗୋଟିଏ ବୋଲି ପୁଅ । ବାପା ଥିଲାବେଳେ ବଡ଼ ଅୟସରେ ସେ ବଢ଼ିଥିଲା । ସୁରବାବୁଙ୍କର ବେଶ୍ ରୋଜଗାର ବି ଥିଲା, କିନ୍ତୁ ଥିଲା ଗୋଟିଏ ବଦ୍‌ଗୁଣ । ସେ ଭାରି ଅଫିମଖୋର ଥିଲେ । ଅଫିମର ମାତ୍ରା ଦିନକୁ ଅଣେ ଦି’ଅଣାଠୁ ଆରମ୍ଭ ହୋଇ ଆଠଅଣା । ଟଙ୍କେ ଯାଏ ବି ଗଲା । ନିଶାପାଣିର ଶିକାର ହେଲେ ଯେତେ ବଡ଼ ଘରଟିଏ ହେଉ ପଛକେ ଭାଙ୍ଗିପଡ଼େ । ଲକ୍ଷ୍ମୀ ସାଆନ୍ତାଣୀ ଆପେ ଆପେ ଛାଡ଼ି ପଳାନ୍ତି । ସେତେବେଳେ ରୋଜଗାର ଥିଲା, ଜଣାପଡ଼ୁ ନ ଥିଲା । ସୁରବାବୁଙ୍କର ଯେତେବେଳେ ବୟସ ଖସିଆସିଲା, ରୋଜଗାର କମିଗଲା ଓ କୌଣସି କାମକୁ ପାରିଲେନି, ସେତେବେଳେ ସେ ବିକିବାକୁ ଲାଗିଲେ ଜମିବାଡ଼ି । ଗୋଲଖର ବୋଉ କେଇ ବର୍ଷ ପରେ ମରିଗଲେ । ତଥାପି ସୁରବାବୁଙ୍କର ସେଇ ନିଶା ଅଭ୍ୟାସ ଛାଡ଼ିଲାନି । ସେ ଧାର ଉଧାର କରି ଚାଲିଲେ । ମିଶ୍ରବାବୁଙ୍କ ଘର ସେତେବେଳେ ଉଠି ଆସୁଥିଲେ । ନାନା ପନ୍ଦିଫିକର କରି ଅନ୍ୟର ଘରଦ୍ଵାର ଓ ଜମିବାଡ଼ି କିପରି ନିଜର କରିବେ ସେଇ ଥିଲା ତାଙ୍କର ଭାବନା । ତା’ଛଡ଼ା ସେ ଉଡ଼ାଉଥିଲେ ଦେଶପ୍ରେମର ବାନା । ମିଶ୍ରବାବୁଙ୍କର ସମାଜରେ ସମ୍ମାନ ଅଛି । ଖାତିର ଅଛି । ସମସ୍ତେ ତାଙ୍କୁ ମାନନ୍ତି । ସୁରବାବୁ ହାଣ୍ଡନୋଟ ଲେଖି ମିଶ୍ରବାବୁଙ୍କଠୁ ପାଞ୍ଚଶ ଟଙ୍କା ଧାର ଆଣିଥିଲେ । କେତେ ଲୋକ କହିବାର ମୁଁ ଶୁଣିଛି–ମିଶ୍ରବାବୁ କୋର୍ଟରେ ପାଞ୍ଚ ହଜାର ଟଙ୍କା ପାଇଁ ନାଲିସ୍ କଲେ । ସୁରବାବୁ ବିଚରା ଏତେ ଟଙ୍କା ଅବା ଆଣିବେ କୁଆଡ଼ୁ ? ଅନେକ ଥର ଯାଇ ମିଶ୍ରବାବୁଙ୍କୁ ନେହୁରା ହେଲେ । ସିଏ କି ଶୁଣିବା ଲୋକ ? ସୁରବାବୁଙ୍କୁ ଧରାଛୁଆଁ ଦେଲେନି । ଅନ୍ୟ ଉପାୟ ନ ଦେଖି ସୁରବାବୁ ତାଙ୍କ ଗାଁ ଆଡ଼େ ବାହାରିଲେ ଟଙ୍କା ଠିକ୍‌ କରିବାକୁ; କିନ୍ତୁ ବାଟରେ ଗୋଟିଏ ଦୁର୍ଘଟଣା ଘଟିଲା । ରେଲରେ ଯାଉଥିଲାବେଳେ ସେ ଗାଡ଼ିରୁ ଖସିପଡ଼ିଲେ । ତାଙ୍କ ଉପରେ ଗାଡ଼ି ଚଢ଼ିଗଲା । କେତେ ଲୋକ କହନ୍ତି–ସୁରବାବୁ ରେଲ ତଳେ ଶୋଇ ଅତ୍ମହତ୍ୟା କଲେ । ପ୍ରକୃତ କଥାଟା କ’ଣ ସଠିକ୍‌ରୂପେ ଜାଣି ହେଲାନି । ଗୋଲଖକୁ ଅନାଥ କରି ବାପ ମା’ ତା’ର ଚାଲିଗଲେ । ଯେତେ ହଲେ ବି ମିଶ୍ରବାବୁଙ୍କର ଚକ୍ରାନ୍ତରୁ ରକ୍ଷା ମିଳିଲାନି । ତାଙ୍କର ଡିଗ୍ରୀ ହେଲା । ଟଙ୍କା ବାବଦକୁ ସୁରବାବୁଙ୍କ ଘରକୁ ସେ ଦଖଲ କଲେ । ଗୋଲଖ ସେତେବେଳେ ସତର ଅଠର ବର୍ଷର ପିଲା । କ’ଣ ପଢ଼ାପଢ଼ି କରୁଥିଲା । ସମସ୍ତେ ମିଶ୍ରବାବୁଙ୍କୁ କୁହାବୋଲା କରିବାରୁ ସେ ହଜାରେ ଟଙ୍କା ଦେବେ ବୋଲି ରାଜି ହେଲେ, କିନ୍ତୁ ନାବାଳକ ଗୋଲଖକୁ ଦେବେ ଅବା କେମିତି ? ଶେଷକୁ ଗୋଲଖର ମାମୁଁଙ୍କ ହାତରେ ଟଙ୍କାଟା ଦଆଗଲା । ଏ ଦୁନିଆ । କିନ୍ତୁ ବଡ଼ ବିଚିତ୍ର । ଗୋଲଖର ନିଜର ମାମୁଁ ଟଙ୍କାଟା ଯେମିତି ନେଇଛନ୍ତି ସେତକ ଖର୍ଚ୍ଚ କରିଦେଇ ବସିଲେ । ଭଣଜାକୁ ଧରାଛୁଆଁ ଦେଲେନି । ଗୋଲଖ ବିଚରାର ସାହାଭରସା କେହି ହେଲେ ନାହାନ୍ତି । ପାଠପଢ଼ା ତା’ର ବନ୍ଦ ହୋଇଗଲା । କିନ୍ତୁ ପିଲାଟା ଭାରି ଚାଲାକ୍ । ନାନା ଉପାୟ କରି ସେ ଦିନକୁ ଟଙ୍କା ପାଞ୍ଚଟା କରି ଯେମିତ ହେଲେ ରୋଜଗାର କରେ । ଆଗ ଗୋଟିଏ ପ୍ରେସରେ କମ୍ପୋଜିଟର କାମ କଲା । ସେ କାମ ତାକୁ ପୋଷେଇଲାନି । ତା’ପରେ ଗୋଟିଏ ଚା’ କମ୍ପାନୀରେ ଚା’ ବିକିବା କାମରେ ଯାଇ ରହିଲା । ଛ’ ମାସ ବର୍ଷେ ପରେ କୋଉ କମ୍ପାନୀରେ କ’ଣ ଗୋଟାଏ ଏଜେଣ୍ଟ ହେଲା । ଦିନସାରା ବୁଲିବା ହେଲା ତା’ର କାମ ।

 

ତମ ଘର ସାଙ୍ଗେ ତା’ର ସମ୍ପର୍କ କେମିତି ହେଲା ?

 

ବୁଲି ମା’ କହିଲା–ସେମିତି ସମ୍ପର୍କ କିଛି ନାହିଁ । ଘର ତାଙ୍କର ମିଶ୍ରବାବୁ ଯେତେବେଳେ ନେଇଗଲେ, ମାମୁଁ ଟଙ୍କା ଦେଲେନି, ଦୁନିଆରେ କେହି ତା’ର ନ ଥିଲେ ଓ ଅସହାୟ ପିଲାଟିଏ ଭଳି ଏଣେତେଣେ ସେ ଘୂରି ବୁଲୁଥିଲା, ସେତେବେଳେ ମୁଁ ତାକୁ ପାଖରେ ଆଣି ରଖିଥଲି । ପ୍ରାୟ ଛ’ମାସ ଖଣ୍ଡେ ଆମ ସାଙ୍ଗରେ ସେ ରହିଛି । ଅନୁକୁ ତା’ର ସାନଭଉଣୀ ଭଳି ସେ ଦେଖି ଆସିଛି । ତା’ପରେ ସେ ଏଠୁ ଚାଲିଗଲା । ଅଳ୍ପ କିଛି ରୋଜଗାର ହେବାରୁ ଭଡ଼ାଘର ନେଇ ଅନ୍ୟ ଜାଗାରେ ଯାଇ ରହିଲା । କିନ୍ତୁ ଦି’ତିନି ଦିନରେ ଥରେ ଆମ ଘରଆଡ଼େ ନ ଅସିଲେ ତାକୁ ଭଲ ଲାଗେନି । ଆଉ ଗୋଟିଏ କଥା–ସେ ଖାଲି ହାତରେ କେବେହେଲେ ଏଠିକି ଆସେନି । ଆମ ଅବସ୍ଥା ତାକୁ ଭଲ ଭବରେ ଜଣା । ଯେତେ ମନାକଲେ ବି ଶୁଣେନି । କିଛି ନା କିଛି ନିଶ୍ଚେ ହେଲେ ଆସି ଦେଇଯିବ । ପିଲାଟା ଭଲ; କିନ୍ତୁ କହିବାକୁ କେହିହେଲେ ନାହାନ୍ତି । ବଡ଼ବଡ଼ିଆ ଲୋକ ନ ଥିଲେ ଯାହା ଅବସ୍ଥା ହୁଏ ସେଇଆ । କୋଉଠି ଯାଇ ଜୁଆ ଖେଳୁଥିଲା । ଜିତିଛି ବୋଲି ଟଙ୍କାଟା ସେ ସେମାନଙ୍କୁ ଦେଇଦେବ ? ସେମାନେ ତାକୁ ଭଲରେ ମାଗିଥିଲେ, ସେ ଯୋଉ ପିଲା ଦେଇ ଦେଇଥାଆନ୍ତା । ଏମାନେ ବୋଧେ ଆଖି ଦେଖେଇଥିବେ । ପାଟିତୁଣ୍ଡ କରିଥିବେ କି କଳିକଜିଆ ଆରମ୍ଭ କରିଥିବେ । ଗୋଲଖଟା ଗୋଟେ ଅବାଗିଆ ପିଲା । ତାକୁ ବିଗିଡ଼େଇ ଦେଲେ, ସେ କାହାର ନୁହେଁ । ଏଡ଼େ ପିଲାଟେ ଆସି ହେଲାଣି, କିନ୍ତୁ ତା’ର ପିଲାବୁଦ୍ଧି ଯାଇନି । ଖାଲି–

 

ଅନୁ ବାରିଆଡ଼କୁ କ’ଣ ନବ ବୋଲି ଚାଲିଆସିଲା ।

 

ବୁଲି ମା’ ଆଉ କ’ଣ କହିବ କହିବ ହେଉଥିଲା । କଥାଟା ତା’ର ଆପେ ଆପେ ବନ୍ଦ ହୋଇଗଲା ।

 

ଖରାବେଳର ପ୍ରଚଣ୍ଡ ଖରା ଆମଆଡ଼ୁ ଘୁଞ୍ଚି ଘୁଞ୍ଚି ଯାଉଥିଲା । ବେଶି ସମୟ ଠିଆ ହୋଇ ରହିବାକୁ ମତେ ଭଲ ଲାଗିଲା । ଘର ଭିତରକୁ ମୁଁ ପଶିଆସିଲି । ବୁଲି ମା’ ବି ମୋ ପଛେ ପଛେ ଆସିଲା ।

 

ମୁଁ ଲକ୍ଷ୍ୟ କରିଛି–ଅନୁ ଥରୁଟେ କେବଳ ହସିଦେଇ ତା’ କୋଠରୀ ଭିତରକୁ ପଶିଗଲା-। ବୋଉ ପାଖକୁ ।

 

ଅନୁ ହସିଦେଇ ଚାଲିଗଲାନି ଯେ ପାଖକୁ ଅବା ମୋର–ଘୁଞ୍ଚିଆସିଲା । ତା’ରି ବିଷୟ ଭାବି ଭାବି ମୋ ମନ ଭିତରଟା କେମିତି ରବେଇ ଖବେଇ ହେଉଥିଲା । ବୁଲିମା’ଠୁ ଗୋଟିଏ ଗୋଟିଏ ନୂଆ କଥା ଶୁଣି ମୁଁ ଦିନକୁ ଦିନ ସେମାନଙ୍କର ଅବସ୍ଥା, ଅଭାବ ଅଭିଯୋଗ ଆଦିରେ ବେଶି ଜଡ଼ି ଯାଉଥିଲି । ମାଟି ଖୋଳି ପୁରୁଣା ଦେଉଳ ଓ କେତେ କେତେ ଅତୀତ ଘଟଣା ବାହାର କଲା ଭଳି ମୁଁ ଯେତେଦିନ ସେମାନଙ୍କ ପାଖେ ରହୁଥିଲି, ସେତିକି ସେତିକି ମା’ ଝିଅ ଦିହିଁଙ୍କି ଅବା ଅବଷ୍କାର କରୁଥିଲି । କଥାଛଳରେ ବୁଲି ମାଠୁଁ ସେମାନଙ୍କର ଓ ସାଇରେ ରହୁଥିବା ଲୋକବାକଙ୍କ କଥା ଶୁଣି ମନ ମୋର କେମିତି ଗୋଳମାଳିଆ ହୋଇ ଯାଇଥିଲା । ବେଳେ ବେଳେ ଘର କଥା ମନେପଡ଼ୁଥିଲା । କେମିତି ଘରକୁ ଯିବି । ପିଲକବିଲାଙ୍କୁ କୋଳରେ ଧରିବି, ସେମାନଙ୍କ ସାଙ୍ଗେ ଗେଲ ହେବି, ଚୁମା ଦେବି, ସେମାନଙ୍କ ଭିତରେ ଅନବରତ ଲାଗିରହିଥିବା କାଳିକଜିଆର ମୀମାଂସା କରିବି, କାହାକୁ ଆଖି ଦେଖେଇଲେ, କାହାକୁ କାଖେଇବି–ଏଇସବୁ କଥା ବେଳେ ବେଳେ ମୋ ମନ ଭିତରେ ଆସି ଘୁଣ ଖାଉଥିଲା । ଏଇସବୁ ସତ୍ତ୍ୱେ ବୁଲି ମା’ ପାଖରୁ ଚାଲିଯିବାକୁ ଇଚ୍ଛା ହଉ ନ ଥିଲା । ହୋଇପାରେ–ଅନୁ ଥିଲା ମୋର ଆକର୍ଷଣର ବସ୍ତୁ, କିନ୍ତୁ ବୁଲିମା’ର ଗପ ବି ମତେ କମ୍ ବାନ୍ଧିରଖି ନ ଥିଲା । ତାଙ୍କ ଘରେ ଆସି ରହିବା ଦିନୁ ତା’ଠୁ ସବୁଦିନ ଗୋଟିଏ ଗୋଟିଏ ନୂଆ କଥା ମୁଁ ଶୁଣିବାକୁ ପାଉଥିଲି । ବୁଲିମା’ର ସେ ତ ସବୁ ଗପ ନୁହେଁ । ଯାହା ଯାହା ସବୁ ସିଏ ଦେଖିଥିଲା ଆଉ ଶୁଣିଥିଲା, ସେଇ ସବୁ କଥା ।

 

ସେଦିନ ଖରାବେଳଟା । ନାନାଆଡ଼ୁ ନାନାକଥା ଭାବି ଭାବି ବିତିଗଲା । ଖରାବେଳେ ଅଳ୍ପେ ବହୁତେ ମୁଁ ଆଖି ପକେଇଦିଏ । ସେଦିନ ନିଦ ଆସିଲାନିକି ମୁଁ ହାଲିଆ ବୋଧ କଲିନି ।

 

ଅନୁ ବେଳେ ବେଳେ କିଛି ନା କିଛି କାମର ବାହାନା ନେଇ ବାହାରକୁ ଆସିବାରେ ଲଗିଥାଏ । ବୋଧହୁଏ ସେଦିନ ଥୟ ହୋଇ ସେ ବସିପାରୁ ନ ଥିଲା । ବାରମ୍ବାର ଘରକୁ ବାହାର ହେବାରେ ଲାଗିଥାଏ । ଯେତେଥର ସେ ଆସେ ମୋ ଆଡ଼ିକି ଚାହିଁଦିଏ । ବେଳେ ବେଳେ ମୁହଁପୋତି ଦେଇ ଘର ଭିତରେ ଯାଇ ପଶେ । ନିମିଷେ ପାଇଁ ମୋ ଉପରକୁ ହସର ପିଚିକାରୀ ମାରିଦେଲେ ମନ ମୋର ରଙ୍ଗ ବେରଙ୍ଗ ହୋଇଯାଏ, କିନ୍ତୁ ତା’ପରେ ପରେ ମନେ ପଡ଼ନ୍ତି ମୋର ପିଲାପିଲି । ଅନୁ ମୁହଁ ପୋତି ପୋତି ଚାଲିଗଲେ ତା’ ପଛେ ପଛେ ମନ ଭଅଁର ମୋର ଧାଇଁବୁଲେ-। ମୋ ନିଜର ଘରଦ୍ୱାର ଓ ପିଲାପିଲି ଆଦି ମୁଁ ଭୁଲିଯାଏ । ଅନୁ ମନ ଭିତରେ ଆସ୍ଥାନ ଜମେଇ ବସେ । ଘର ଜଞ୍ଜାଳ ମନରୁ ପାସୋର ଯାଏ ।

 

ଏମିତି ଏମିତି ଦି’ ତିନି ଘଣ୍ଟା ବିତିଗଲା । ଠିକ୍ କଲି–ସମୁଦ୍ର କୂଳଆଡ଼େ ବୁଲି ବାହାରିବି-। ଅନୁକୁ ଡାକିଥିଲେ ସେ ବି ଆସିଥାନ୍ତା । ତାକୁ କିନ୍ତୁ ସାଙ୍ଗରେ ନେବାକୁ ଇଚ୍ଛା ହେଲାନି-। ପାଞ୍ଚଟା ସାଢ଼େ ପାଞ୍ଚଟା ବେଳକୁ ସେଦିନ ବୁଲି ବାହାରିଲି ।

 

ଦିନେ ଦି’ଦିନ ସେମିତି ଖାଲିରେ ଖାଲିରେ ବିତିଗଲା । ବୁଲି ମା’ ପାଖରେ ବସିନି କି ତା’ସାଙ୍ଗେ କଥା ହେଇନି । ସେଠିକି କେବଳ ଦିନକେ ଦି’’ଦି ଥର ଯାହା ଖାଇବାକୁ ଆସିଛି । ବାକି ସମୟ କଟେଇଲି ଯାଇ ବାହାରେ, ସମୂଦ୍ରକୂଳେ ଓ ଦେଉଳରେ । ତା’ଛଡ଼ା କେତେଜଣ ପୁରୁଣା ବନ୍ଧୁଙ୍କ ସାଙ୍ଗେ ଦେଖା ହେଲା । ସେମାନେ ତାଙ୍କ ଘରେ ଯାଇ ମତେ ରହିବାକୁ ବଳେଇଲେ । ମୁଁ କହିଲି ଦିନକ ପାଇଁ ଆସିଛି, ଚାଲିଯିବି । ମୁଁ ଯେ ବୁଲିମା’ ପାଖରେ ରହୁଛି, ଏ କଥା କହିବାକୁ ମତେ ଭଲ ଲାଗିଲାନି । ଲୁଚେଇବାର ସେମିତି କିଛି କାରଣ ନ ଥିଲା । ଏତିକି କେବଳ ଭାବୁଥିଲି–ସେ ସ୍ଥାନଟା ପ୍ରତି ସମସ୍ତଙ୍କର କାଳେ ଖରାପ ଧାରଣା ଥିବ !

 

ସମସ୍ତଙ୍କର କାହିଁକ ମୋର ବି ଭଲଧାରଣା ନ ଥିଲା । ବୁଲିମା’ ଜୀବନର ଇତିହାସ ଓ ତା’ ସହିତ ଅନୁର । ବୁଲି ମା’ ଯାହା ଯାହା ସବୁ କହିଥିଲା, ସେ ସବୁକୁ କାଣିଚାଏ ହେଲେ ମିଛ ବୋଲି ମୁଁ ଭାବୁ ନ ଥିଲି । ସେମାନଙ୍କ ପ୍ରତି ମୋର ସହାନୁଭୂତି ଆସୁଥିଲା, ସମବେଦନା ଆସୁଥିଲା ଓ ତା’ ସାଙ୍ଗେ ସାଙ୍ଗେ ଆସୁଥିଲା ବି ଘୃଣା । ସେଇଥିପାଇଁ ମଣିଷ ଅନେକ ସମୟରେ ନିଜର ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏପରିକ ଅତି ଆପଣାର ଲୋକ, ଯୋଉମାନଙ୍କ ସାଙ୍ଗେ ତା’ର ରକ୍ତଗତ ସମ୍ପର୍କ ଥାଏ, ସେମାନଙ୍କ ଆଗେ ନିଜର ବ୍ୟକ୍ତିଗତ କଥା ସବୁ କହିବାକୁ ପଛେଇଥାଏ । ଯେତେ ନିଜର ଲୋକ ହେଲେ ବି ସେ ମଣିଷ । ଅନ୍ୟ ଲୋକର ଦୁଃଖ ଓ ଦୁର୍ଦ୍ଦଶା ପାଇଁ ସମବେଦନା ଜଣାଇବାକୁ ସାହାଯ୍ୟ ସହାନୁଭୂତି ଦେଖାଇବା, କେବଳ ଅଳ୍ପକ୍ଷଣସ୍ଥାୟୀ ଓ କ୍ଷଣିକ । କିନ୍ତୁ ତା’ ସାଙ୍ଗେ ସାଙ୍ଗେ ତା’ର ଅବଚେତନ ମନରେ ଦୁଃଖୀ ଲୋକଟି ପାଇଁ ଘୃଣା ଜମି ଆସୁଥାଏ । ଅନ୍ୟର ହୃଦୟ ଖୋଲା ଦୁଃଖଦୁର୍ଦ୍ଦଶାର କଥା ଶୁଣିଲେ ନିଜର ସୂକ୍ଷ୍ମ ମନଟି କେବଳ ତାକୁ ଭଲପାଏ; କିନ୍ତୁ ତା’ ସହିତ ମଣିଷର ସ୍ଥୂଳ ମନ ଯେ କି ତା’ ଉପରେ ବେଶି ପ୍ରଭାବ ବିସ୍ତାର କରିଥାଏ ସେଥିରେ ଭରିଯାଏ ଘୃଣା । ଘୃଣାର ବୀଜାଣୁ ତା’ ମନ ଭିତରେ ପଶିଯାଇ ଦୁଃଖୀ ଲେକଟି ପାଖରୁ ଦୂରରେ ରହିବାକୁ ଇଚ୍ଛା ହୁଏ । ମୋ ମନ ଭିତରେ ସେମିତି ବୋଧ କିଛି ନା କିଛି ଦ୍ଵନ୍ଦ୍ୱ ସଦାବେଳେ ଲାଗି ରହିଥିଲା । ବେଳେ ବେଳେ ଇଚ୍ଛା ହେଉଥିଲା ସେ ଜାଗା ଛାଡ଼ି ଚାଲିଯିବାକୁ । ପୁରୀରେ ଅନ୍ୟ କୋଉଠି ଯାଇ ରହିବି । ପିଲାପିଲିଙ୍କି ଅନେକ ଦିନ ହେଲା ଛାଡ଼ି ବାହାରେ ଆସି ରହିଲିଣି । ତାଙ୍କ ପାଖକୁ ଫେରିଯିବାକୁ ବେଳେ ବେଳେ ଇଚ୍ଛା ହେଉଥିଲା; କିନ୍ତୁ ଏତେ ବର୍ଷ ପରେ ବିନା ବାଧା ଓ ବନ୍ଧନରେ ବାହାରେ ଆସି କେତେଦିନ ରହିବାକୁ ଅନେକଦିନ ହେଲା ଭାବିଥିଲି । ସଂସାର ଜଞ୍ଜାଳ ଭିତରେ ଏତକ ସୁବିଧା ଆଉ ହୁଏତ କେବେ ଜୁଟି ନପାରେ ? ସେଇଥିପାଇଁ ମୁଁ ଯାଉ ନ ଥିଲି । ତା’ଛଡ଼ା ଅନୁର ଭାବନା ମତେ କହିଁକି କେଜାଣି ସେଇ ଜାଗାଟାରେ ବାନ୍ଧି ରଖୁଥିଲା । ମୋର ଅନ୍ୟ କିଛି ଅବଶ୍ୟ ଉଦ୍ଦେଶ୍ୟ ନ ଥିଲା; କିନ୍ତୁ ବେଳେ ବେଳେ ଏମିତି ଘଟିଯାଏ–ଭଲ ଝିଅପିଲାଟିଏ ଦେଖିଲେ ସେ ଜାଗା ଛାଡ଼ି ଚାଲିଯିବାକୁ ଇଚ୍ଛା ହୁଏନି । ସେମାନେ ବଳେଇଲେ ରହିଯିବାକୁ ଇଚ୍ଛା ହୁଏ । କେତେ କେତେ ଜରୁରୀ କାମ ଥିଲେ ବି ସେ ସବୁ ଜଣାପଡ଼େ ଛୋଟ, ପରେ କରିହେବ । ସେ ସ୍ଥାନରେ ରହିଲେ ବେଶି କିଛି ଉପକାର ଯେ ହୁଏ ତା’ ନୁହେଁ; ବରଂ ପରେ ମନସ୍ତାପ କରିବାକୁ ପଡ଼େ–କାହିଁକି ମିଛରେ ସମୟ ଗୁଡ଼ାକ ନଷ୍ଟ କଲି । ଏସବୁ ସତ୍ତ୍ୱେ’ଇ ସେ ଜାଗାଟା ଛାଡ଼ି ଯାଇ ହୁଏନି । ସେ ଆକାଶର ରଙ୍ଗ, ପତ୍ରର ସବୁଜିମା, ପାଣି ପବନ ଓ ଗୋଡ଼ି ମାଟି ଆଦିରେ କେମିତି ଗୋଟିଏ ଆକର୍ଷଣ ଥିଲା ଭଳି ଜଣାପଡ଼େ ।

 

ସେ ଯାହାକିଛି ହେଉ ଦି’ଦିନ ଯାଏ ମୁଁ ପ୍ରାୟ ବାହାରେ ବାହାରେ ଥିଲି ।

 

ତା’ ଆରଦିନ ସକାଳେ ।

 

ମୁଁ ଚା’ ଜଳଖିଆ ଖାଇ ଭାବୁଛି ଗାଧୁଆ ପାଧୁଆ ସାରିଦେବାକୁ । ତା’ପରେ ବଜାରଆଡ଼େ ବୁଲି ବାହାରିବି । ଘରେ ମା’ ଝିଏ କ’ଣ ଗୋଟେ କାମ ନେଇ ବ୍ୟସ୍ତ । ମୁଁ ଅଛି ଦାଣ୍ଡଆଡ଼େ । ଦେଖିଲି–ସାଇର ସେଇ ମିଶ୍ରବାବୁଙ୍କ ଘର ଆଗରେ ଅନେକ ଲୋକ ଜମା ହୋଇଛନ୍ତି । ଗୋଟାକୁ ଗୋଟା ମଟର ସେଇ ବାଟଦେଇ ତାଙ୍କ ଦୁଆର ମୁହଁକୁ ଛୁଟିଛି । ସମସ୍ତଙ୍କ ଭିତରେ ଚାଲିଛି ଖାଲି ହସାହସି ଆଉ କେତେ କ’ଣ କଥାବାର୍ତ୍ତା । ଘଟଣାଟା କ’ଣ ମୁଁ ଜାଣିପାରିଲିନି । କ’ଣ ତାଙ୍କ ଘରେ ହେଉଛି ସେ ବିଷୟ ଜାଣିବାକୁ ମୋର ଇଚ୍ଛା ହେଲା । ପର ବିଷୟରେ ମୁଣ୍ଡ ଖେଳେଇ କିଛି ଲାଭ ନାହିଁ । ବୁଲି ମା’ଠୁଁ ତାଙ୍କ ଘର ବିଷୟରେ କିଛି ଶୁଣି ନ ଥିଲେ ମୁଁ ହୁଏତ ଜାଣିବାକୁ ଇଚ୍ଛା କରି ନ ଥାଆନ୍ତି । ସେଇଥିପାଇଁ ଦାଣ୍ଡ ଦୁଆରେ ବୁହେ ସମୟ ଯାଇ ଠିଆ ହେଲି । ଏପଟ ସେପଟ ହେଲି । ଦାଣ୍ଡପିଣ୍ଡାରେ ଥିବା ସିମେଣ୍ଟ ବେଞ୍ଚ ଉପରେ କେତେବେଳଯାଏ ବସିରହିଲି । ଘଟଣାଟା କ’ଣ, ଜାଣି ହେଲା ନାହିଁ । ଭାବୁଥିଲି ବୁଲି ମା’କୁ ପଚାରିବି । ତାକୁ ପଚାରିବା ଅପେକ୍ଷା ନିଜେ ଜାଣିବା’ଇ ଭଲ । ଜିନିଷଟାର ସୋରାକ ପାଇବି ବୋଲି ଅପେକ୍ଷା କଲି ।

 

ଆସ୍ତେ ଆସ୍ତେ ଲୋକସବୁ ଜମିବାରେ ଲାଗିଲେ । ଯୋଉମାନେ ସେଇ ବାଟଦେଇ ଯାଉଥିଲେ ସେମାନେ ଯେ ପୁରୀର ନାମଜାଦା ଲୋକ–ଅଫିସର, ଓକିଲ ଓ ସମସ୍ତେ ଖ୍ୟାତନାମା–ଏକଥା ଜାଣିବାକୁ ମୋର ଆଉ ବାକି ନ ଥିଲା । ଅନେକ ବେଳଯାଏ ଅପେକ୍ଷା କଲି-। ଜାଣି ପାରିଲିନି । ସାର୍ଟ ଖଣ୍ଡକ ଗଳେଇ ସାଇମୁଣ୍ଡଯାଏ ଗଲି । ଯୋଗକୁ ଜଣେ ଲୋକ ସାଙ୍ଗେ ଦେଖା ହେଲା । ଯାହାଙ୍କ ସାଙ୍ଗେ ମୋର ଆଳାପ ଆଲୋଚନା ଥିଲା । ମୁହଁ ଚୁହାଁଚୁହିଁ ବନ୍ଧୁତା ଥିଲା-। ଅଳ୍ପ ସମୟଯାଏ ଇଆଡ଼ୁ ସିଆଡ଼ୁ ତାଙ୍କ ସାଙ୍ଗେ କଥାବାର୍ତ୍ତା ହୋଇ ମିଶ୍ରବାବୁଙ୍କ ଘର ବିଷୟରେ ପଚାରିଲି । ପଚାରୁ ପଚାରୁ ସେ ମତେ କହିଲେ–ମିଶ୍ରବାବୁଙ୍କର ଜଣେ ସାନଭାଇ ଆଇ.ଏ.ଏସ୍‌. ପାଇଛନ୍ତି । ପଢ଼ିଲାବେଳେ ସେମିତି କିଛି ଭଲ ଛାତ୍ର ସେ ନ ଥିଲେ । ତାଙ୍କ ଭଳି ଆଉ କେତେ କେତେ ଛାତ୍ର ଅଛନ୍ତି ଯୋଉମାନେ ଛୋଟ ଛୋଟ ଚାକିରି ଖଣ୍ତିଏ ଖଣ୍ଡିଏ ଧରି ଆଉଜି ଯାଇଛନ୍ତି-। କହୁ କହୁ ସେ ମୋତେ ପ୍ରଶ୍ନ କଲେ–ସେ କ’ଣ ମିଶ୍ରବାବୁଙ୍କର ନାଁ ବିକି ଆଇ.ଏ.ଏସ୍. ପାଇଗଲେ-?

 

ମୁଁ ମନାକଲି–ନାଁ, ସେମିତି କେବେ ହେଇପାରେନା ।

 

ତାଙ୍କ ସାଙ୍ଗେ କିଛି ସମୟଯାଏ ବଜାରଆଡ଼େ ଗଲି । ଯିବାର କାରଣଟା ହେଲା–ତାଙ୍କୁ ମୋ ରହିବା ଜାଗାଟା ଜଣେଇ ନ ଦେବା ।

 

ବନ୍ଧୁ ଜଣକ ବି ପଚାରିଲେ–କାହିଁକି ଆସିଛନ୍ତି ? କୋଉଠି ରହୁଛନ୍ତି ? କେତେ ଦିନ ରହିବେ ? ଏମିତି ନାନାପ୍ରକାର ପ୍ରଶ୍ନ ।

 

ତାଙ୍କ କଥାକୁ ଆଡ଼େଇ ଦେଇ ମୁଁ କହିଲି–ଏଇ ପୁରୀକି ବୁଲି ଆସିଥିଲି । ସେମିତି କିଛି କାମ ନ ଥିଲା । ଚାଲିଯିବି ।

 

କେତେ କେତେ ଲୋକଙ୍କୁ ମୁଁ ଏମିତି କେବଳ କହୁଥିଲି । ଏ ଧରଣର କଇଫିୟତ୍ ଦେଇ ଦେଇ ଭଲ ଲାଗୁ ନ ଥିଲା । କିନ୍ତୁ ବୁଲିମା’ ଘର ଛାଡ଼ି ଅନ୍ୟଆଡ଼େ ଯାଇପାରୁ ନ ଥିଲି ।

 

ଖରାବେଳଟା ସେମିତି ସେମିତି ବିତିଗଲା । ବୁଲି ମା’ ପଚାରିଲା ମୋ ପିଲାଛୁଆଙ୍କ କଥା । ଅନୁ ପଚାରିଲା ସ୍ତ୍ରୀ କଥା । କହିଲା–ନୂଆବୋଉଙ୍କୁ ଥରେ ପୁରୀ ବୁଲେଇ ଆଣନ୍ତୁ । ଆମେ ସବୁ ଦେଖିବୁ ।

 

ତାଙ୍କ କଥା ଭାଙ୍ଗି ନ ପାରି କହିଲି–ଆଉ ବେଳେ ସୁବିଧା ହେଲେ ଆଣିବି । ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ସଦାବେଳେ ଲଗେଇଛନ୍ତି ।

 

ଏମିତି ନାନାପ୍ରକାର ପ୍ରଶ୍ନ ଉତ୍ତର ଭିତରେ କେତେବେଳେ ଆସି ଚାରି ବାଜିଗଲା । ମୁଁ ସେମାନଙ୍କ ସାଙ୍ଗେ କଥା ହେଉଥିଲାବେଳେ ବି ଖବର କାଗଜରେ ଆଖି ପକେଇଥାଏ ।

 

ଆମେ ତିନିହେଁ ବସି କଥା ହେଉଚୁ–ଚାରିଟାବେଳକୁ କିଏ ଜଣେ ଘର ଭିତରକୁ ପଶି ଆସିଲା । ଦେଖିଲି–ଦାଣ୍ଡଆଡ଼ୁ ପଶିଆସୁଛି ଗୋଲଖ ।

 

କାହାକୁ କିଛି ନ କହି ସେ ଘର ଭିତରକୁ ପଶି ଆସିଲା । ସିଧା ଚାଲିଲା–ଛାତ ଉପରକୁ-। କି କାମ ନେଇ ଯେ ସେ ଛାତ ଉପରକୁ ଗଲା ମୁଁ କିଛି ଜାଣିପାରିଲିନି । ମା’ଝିଏ ବି ବୁଝିପାରିଲେନି । ଆମେ କେହି ଛାତ ଉପରକୁ ଉଠୁ ନ ଥାଉ । ଗୋଲଖ ଦଶ ପନ୍ଦର ମିନିଟ ଯାଏ ଛାତ ଉପରେ ଠିଆ ହେଲା । ତା’ପରେ ତଳକୁ ଚାଲିଆସିଲା । ମୁଁ ଲକ୍ଷ୍ୟ କରିଛି ଫେରିଆସିଲାବେଳେ ତା’ମୁହଁଟା ଲାଲ୍ ଟହଟହ ଦେଖାଯାଉଥିଲା । ଗମ୍ଭୀର ରହି କିଛି ଗୋଟିଏ ଜିନିଷ ସେ ଅବା ଚିନ୍ତା କରୁଥିଲା ।

 

ତଳକୁ ଓହ୍ଲେଇ ଆସିଲା ପରେ ବୁଲି ମା’ ପଚାରିଲା–

 

କିରେ ଗୋଲଖ–କଥା କ’ଣ ?

 

କିଛି ନାହିଁ ।

 

କ’ଣ କିଛି ନାହିଁ ?

 

ମୁଣ୍ଡ ଖରାପ ନା କ’ଣ ? ଅନୁ ପଚାରିଲା ।

 

ଅନୁ କଥାର ସେ ଉତ୍ତର ଦେଲାନି ।

 

ଛାତ ଉପରକୁ ଗଲୁ କାହିଁକି, ପୁଣି ଆସିଲୁ କାହିଁକି ? ବୁଲି ମା’ ପଚାରିଲା ।

 

କହିଲି ପରା କିଛି ନାହିଁ ।–ଗୋଲଖ ଗର୍ଜିଉଠିଲା । ତା’ପରେ ଦୁମ୍‌ଦୁମ୍ ପାଦ ପକେଇ ବାହାରକୁ ଚାଲିଗଲା ।

 

ସେ ଚାଲିଗଲା ପରେ ଅନେକ ସମୟଯାଏ ଗୋଲଖ କଥା ଭାବିଲି । ଏ ଯେ ଗୋଟେ କି ଧରଣର ଲୋକ ମୁଁ ଜାଣିପାରିଲିନି । ମୋର ଆଗରୁ କେଜାଣି କାହିଁକି ଗୋଟେ ଧାରଣା ଥିଲା–ଅନୁ ସାଙ୍ଗରେ ଗୋଲଖର କିଛି ବୋଧେ ସମ୍ପର୍କ ଅଛି; କିନ୍ତୁ ତା’ର ବ୍ୟବହାର ଯାହା ଦେଖିଲି, ସେ କଥା ମନରୁ ମୋର ପୋଛି ହୋଇଗଲା । ବୁଲି ମା’କୁ ପଚାରିଲି–ଗୋଲଖ ସେଦିନ ଯୋଉ ପଚାଶ ଟଙ୍କା ଦେଇଗଲା, ସେ କ’ଣ ତାକୁ ନେଇଯିବ ନା କ’ଣ ?

 

ସେ ଯାହା ଥରେ ଦିଏ ଆଉ ନିଏନି । ଖାଲି ଟଙ୍କା ନୁହେଁ, ଲୁଗାପଟାଠୁଁ ଆରମ୍ଭ କରି ଯାବତୀୟ ଜିନିଷ ସେ ଆପେ ଆପେ ଆସି ଦେଇଯାଏ । ଏମିତି ଭୂତ ଭଳି ଆସେ, ଭୂତ ଭଳି ଯାଏ । ବାହାଚୂଡ଼ା ହୋଇ ଘରଦ୍ୱାର କରିବାକୁ ବୁଝେଇଲେ ବୁଝେନି । ଶୁଣିଲେ ଖାଲି ହସେ । ବଡ଼ ଖାମଖିଆଳି ଆଉ ଏକବାଗିଆ ଲୋକ । ମନ ମାନିଥିବ ତ ଆସି ଗୁହଲୁଣ୍ଡା ସଫା କରୁଥିବ । ଥରେ ଯେବେ ମନ ତା’ର ବିଗିଡ଼ିଗଲା, ଗୋଲଖ ଆଉ କାହାର ନୁହେଁ । ମୁଣ୍ଡକୁ ତା’ର ଥରେ ପିତ୍ତ ଉଠିଗଲେ ସେ ଇନ୍ଦ୍ର ଚନ୍ଦ୍ର ବି ମାନିବନି ।

 

ବଡ଼ ଆଶ୍ଚର୍ଯ୍ୟ ଲୋକ ! ମୁଁ ବାହାରକୁ ବୁଲିଯିବାକୁ ଝାଡ଼ାଝପଟ ସାରି ସଜବାଜ ହେଉଥିଲା ବେଳେ ବି ଗୋଲଖ କଥା’ଇ ଭାବୁଥିଲି । ଗଲାବେଳକୁ କେବଳ ତା’ଛଡ଼ା ଆଉ କେହି ମୋ ମନ ଭିତରେ ପଶି ପାରୁ ନ ଥିଲେ ।

 

ସେଦିନ ସନ୍ଧ୍ୟାବେଳେ ସମୁଦ୍ର କୂଳଆଡ଼େ ବୁଲିଗଲି । ସମୁଦ୍ର କୂଳରେ ଅସଂଖ୍ୟ ଲୋକଙ୍କର ଭିଡ଼ । ଲୋକମାନଙ୍କ ସାଙ୍ଗେ ଗୋଟିକ ପରେ ଗୋଟିଏ ଲହରୀମାଳା ଲମ୍ବେଇ ସମୁଦ୍ର ଖାଲି ନାଚିବାରେ ଲାଗିଛି । ଚାହୁଁ ଚାହୁଁ ପଶ୍ଚିମ ଆକାଶରେ ସୂର୍ଯ୍ୟ ଲୁଚିଗଲେ । କୂଳର ବାଲି ଉପରକୁ ପିଚିକାରୀରେ ରଙ୍ଗ ବେରଙ୍ଗ କରି ନେଳିଆ ପାଣି ଭିତରେ ସେ ଅଦୃଶ୍ୟ ହେଲେ । ସେତେବେଳେ ମୋ ମନ ଭିତରେ ଅନୁ ଆଉ ନ ଥିଲା, ଥିଲା ଗୋଲଖ । ସେ ଯେ ଗୋଟିଏ କି ଧରଣର ପିଲା–ମୁଁ ଏଇ କଥା କେବଳ ଭାବୁଥିଲି । ଏତେ ଟଙ୍କା ପଇସା ରୋଜଗାର କରୁଛି । ଇଚ୍ଛା କଲେ ଭଲରେ ଚଳିପାରନ୍ତା । ସେ ଏମିତି ହେଉଛି କାହିଁକି ? ବୁଲି ମା’ କେବେ ତାକୁ ସାହାଯ୍ୟ କରିଥିଲା । ବାପ ମା’ ତା’ର ମରିଗଲା ବେଳେ ଆହା କରି ପାଖରେ ଆଣି ରଖିଥିଲା । ୟା ବୋଲି କ’ଣ ସେ ସବୁଦିନେ ଏମିତି କରୁଥିବ ? ନାଇଁ, ୟା ଭିତରେ କିଛି ନା କିଛି ରହସ୍ୟ ଅଛି-। ଆଉ କେତେଦିନ ରହିଲେ ଯାଇ ଜଣାପଡ଼ିବ । ତଥାପି ଗୋଲଖଟା ଯେ ଏକଦମ୍‌ ଖରାପ ଲୋକ ନୁହେଁ, ଏ କଥା ମୋ ମନ ଭିତରେ କିଏ ଜଣେ ଅବା କହୁଥିଲା । ତା’ ମୁହଁକୁ ଅନେଇଲେ ଜଣାପଡ଼ୁଥିଲା–ଧରଣଟା ତା’ର ଖରାପ ନୁହେଁ । ଲୋକର ମୁହଁକୁ ଚାହିଁ ତା’ ଭିତରଟା ଚିହ୍ନିହୁଏ-। କଥାବାର୍ତ୍ତାରୁ ନୁହେଁ ।

 

ସେଦିନ ଅଳ୍ପ ସମୟ ସମୁଦ୍ରକୂଳରେ ବୁଲାଚଲା କରି ଫେରି ଆସିଲି । ଭାବିଥିଲି–ଘରଆଡ଼େ ଫେରିବି । ଅଧବାଟରେ ମନ ହେଲା–ସନ୍ଧ୍ୟାବେଳୁ ଯାଇ କ’ଣ ଅବା କରିବି ? ଭଲ ଛବିଟିଏ ଆସିଥିଲା । ଚାଲିଲି ସିନେମା । ସମୟଟା ଅନ୍ତତଃ କଟିଯିବ । ତା’ ଛଡ଼ା ଛବିଟା ଭଲ ବୋଲି ପତ୍ରପତ୍ରିକାରେ ତା’ର ପ୍ରଶଂସାରୁ ଜାଣିଥିଲି ।

 

ସିନେମା ଦେଖିଲାବେଳେ ଗୋଲଖ କଥା ବେଳେ ବେଳେ ମନେ ପଡ଼ୁଥିଲା । ଅନୁ ବିଷୟରେ ଯେ ମୁଁ ଭାବୁ ନ ଥିଲି, ଏମିତି ନୁହେଁ । ସିନେମାର କଥାବସ୍ତୁ ଭିତରେ ବୁଲି ମା’ ଘରର କଥାବସ୍ତୁ ଓ ଘରେ ପିଲାଛୁଆଙ୍କୁ ଛାଡ଼ି ଏତେଦିନ ଆସି ରହିବା ଆଦି ସବୁ ବିଷୟ ମୁଁ ଗୋଳିଆ ପୋଳିଆ କରି ଭାବୁଥିଲି ।

 

ଛବିଟା ଦେଖିସାରି ମୁଁ ସାଢ଼େ ନ’ ଦଶ ବେଳକୁ ଘରଆଡ଼େ ଫେରିଲି । ସାଇ ମୁଣ୍ଡରେ ଆସି ଯାହା ଯାହା ସବୁ ଦେଖିଲି–ସେଥିରେ ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲିନି । ଭାବିଲି–ଏତେ ଲୋକବାକ ଜମିଛନ୍ତି । ବୋଧହୁଏ ମିଶ୍ରବାବୁଙ୍କ ଘରୁ ଖିଆପିଆ ସାରି ସମସ୍ତେ ଫେରୁଛନ୍ତି । କିନ୍ତୁ ସାଇ ଭିତରକୁ ଆସି ଦେଖିଲି ଗଣ୍ଡା ଗଣ୍ଡା ନାଲି–ପଗଡ଼ିଆ । ଦମକଳ ବି ଲାଗିଛି । ମିଶ୍ରବାବୁଙ୍କ ପକାଘରେ ନିଆଁ ଲାଗିଥିଲା । ନିମନ୍ତ୍ରଣ କରାଯାଇଥିବା ଲୋକଙ୍କ ଭିତରେ କିଏ ଜଣେ ହାତବୋମା ସାଙ୍ଗରେ ଆଣିଥିଲା । ଅସଲ ମତଲବ ଥିଲା–ଚୋରି କରିବା । ସେତକ ହୋଇ ପାରିଲାନି, କିନ୍ତୁ ଅସଲ କଥାଟା ଜଣାପଡ଼ିଗଲା ।

 

ମୁଁ ଯେତେବେଳେ ବୁଲି ମା’ ପାହାଚ ଉପରେ ଗୋଡ଼ ଦିଏ, ଜଣେ ସବ୍–ଇନ୍‌ସପେକ୍‌ଟର ମତେ ପଚାରିଲେ, ଆପଣ ଏଠି ରହୁଛନ୍ତି ?

 

ମୁଁ କହିଲି–ହଁ ।

 

କୁଆଡ଼େ ଯାଇଥିଲେ ?

 

ସିନେମା ଦେଖି ।

 

ସବ୍–ଇନ୍‌ସପେକ୍‌ଟର ମୋତେ ବୋଧେ ସନ୍ଦେହ କରୁଥିଲେ । ମୁଁ ବିଦେଶୀ ଲୋକ ବୋଲି ।

 

ପକେଟରୁ ସିନେମା ଟିକେଟର ଅଧାଖଣ୍ଡକ ତାଙ୍କୁ ଦେଖେଇଲି ।

 

ତାଙ୍କର ଆଉ କିଛି ପଚାରିବାକୁ ନ ଥିଲା । ହସି ହସି ସେ ମୋ ପାଖରୁ ବିଦାୟ ନେଲେ-

 

ମତେ କିନ୍ତୁ ଭାରି ଖରାପ ଲାଗିଲା । ଏଠି ରହିବାରୁ ସିନା ସେମାନେ ମତେ ପଚାରିଲେ, ନ ଥିଲେ କିଏ କାହିଁକି ମତେ ପଚାରିଥାଆନ୍ତେ ? ଏଠୁ ଯେତେ ଶୀଘ୍ର ଚାଲିଯିବ, ସେତିକି ମଙ୍ଗଳ । ଭାବିଲି–କାଲିଆଡ଼ିକି ଚାଲିଯିବି ।

 

ମୋ ବଖରାଟିର ଚାବି ଖୋଲି କିଛି ସମୟଯାଏ ତୁନି ହୋଇ ବସି ରହିଲି । ଠିକ୍ କଲି, ହଠାତ୍‌ ଚାଲିଯିବାଟା ଭଲ ହେବନି । ଲୋକେ ସନ୍ଦେହ କରୁ ନ ଥିଲେ କରିବେ । ଆଉ ତିନି ଚାରିଦିନ ରହି ଫେରିଯିବି ବୋଲି ମନସ୍ଥ କଲି ।

 

କିଛି ସମୟ ପରେ ବୁଲି ମା’କୁ ପାଖକୁ ଡାକିଲି । ପଚାରିଲି–ଆଉ କିଏ ଘର ଭିତରକୁ ଆସିଥିଲା କି ?

 

ବୁଲି ମା’ କହିଲା, ସେ ଦେଉଳ ଯାଇଥିଲା ।

 

ଅନୁକୁ ଡାକି ପଚାରିଲି ।

 

ଅନୁ କହିଲା–ଆସିଥିଲା ଗୋଲଖ । ଦଉଡ଼ିଲା ଭଳି ଦାଣ୍ଡଆଡ଼ୁ ଆସି ଛାତ ଉପରକୁ ଚାଲିଗଲା । ମୁଁ ଅପେକ୍ଷା କରି ଫେରିଆସିଲି । ଆଉ ତ କାହିଁ ଫେରିଲାନି !

 

ଅନୁକୁ ପାଖକୁ ଡାକି ମୁଁ ଆସ୍ତେ ପଚାରିଲି–ସେ ଗୋଲଖ ବୋଲି ଠିକ୍ ଚିହ୍ନିଛୁ ତ ?

 

ଗୋଲଖକୁ ମୁଁ ଚିହ୍ନିନି !

 

ତା’ପରେ ମା’ଝିଅକୁ ମୁଁ ଆର ଘରକୁ ଚାଲିଯିବାକୁ କହିଲି । ମୋ ବଖରାଟିର ଦୁଆର ଦେଇ ମୁଁ ଅନ୍ଧାର ଭିତରେ କେବଳ ଭାବି ଲାଗିଲି । ଚାରିଟାବେଳେ ଗୋଲଖ ଆସି ଘର ଉପରକୁ ଯିବା, ପୁଣି ଥରେ ଆସିବା ଓ ମିଶ୍ରବାବୁଙ୍କ ଘରେ ଏସବୁ ଘଟଣା ଘଟିବା ସେ ପରସ୍ପର ସହିତ ସଂଯୁକ୍ତ, ଏ କଥାରେ ନିଶ୍ଚିତ ହେବାକୁ ମୋର ଆଉ ବାକି ନ ଥିଲା ।

 

ତା’ ଆରଦିନ ସକାଳୁ ଉଠି ମୁଁ ନିତ୍ୟକର୍ମଟା ଆଗ ସାରିଦେଲି । ଗଲା ରାତିରେ ଖିଆପିଆରେ ମୋର ମନ ନ ଥିଲା । ରାତି ଅଧବେଳକୁ ମା’ଝିଏ ଆସି ବାହାରୁ ଶିକୁଳି ଖଡ଼୍‌ଖଡ଼୍‌ କରିଥିଲେ । ଦି’ତିନିଥର ଡାକିଥିବାର ମଧ୍ୟ ମୁଁ ଶୁଣିଛି । ମନଟା ଏତେ ଖରାପ ଥିଲା ଯେ ମୁଁ ଦୁଆର ବି ଖୋଲିଲିନି । ସକାଳୁ ଉଠି ଲୁଗାପଟା ପିନ୍ଧିକରି ପଦାକୁ ବାହାରିପଡ଼ିଲି । ବୁଲି ମା’ ଆଉ ଅନୁ ମୋର ଶୀଘ୍ର ବାହାରିବା ଦେଖି ବୋଧେ ଜାଣିପାରିଲେ–ମୁଁ କୁଆଡ଼େ କିଛି କାମରେ ଯାଉଛି । ସେଥିପାଇଁ ସେମାନେ କିଛି ଆଉ ପଚାରିଲେନି । ଗଲାବେଳେ ଅନୁ କେବଳ କହିଲା–ଚା’ଟା ଖାଇଦେଇ ଯିବାକୁ । ମୁଁ କହିଲି–ବାହାରେ ଖାଇବି । କାମ ଅଛି ବୋଲି ମିଛରେ ତାକୁ କହିଲି ।

 

ପ୍ରକୃତରେ ମୋର କିଛିହେଲେ କାମ ନ ଥିଲା । ସେ ଜାଗାରେ ଆଉ ନ ରହିବି ବୋଲି ମୁଁ ଏକରକମ ଠିକ କରି ନେଇଥିଲି । ସାଙ୍ଗେ ସାଙ୍ଗେ ଚାଲିଗଲେ ଅସୁବିଧା । ଲୋକେ ମିଛଟାରେ ମୋତେ ସନ୍ଦେହ କରିବେ । ସେଇଥିପାଇଁ ଆଉ କେଇଟା ଦିନ ମାଡ଼ିମକଚି ହୋଇ ରହିବି ବୋଲି ଭାବିଥିଲି । ସକାଳୁ ସକାଳୁ ଉଠି ବଜାରଆଡ଼େ ବାହାରି ପଡ଼ିଲି । ସେତେବେଳେ ପୁରୀ ସହରଟା ଶୋଇ ରହିଥିଲା । ଗାଢ଼ ନିଦରେ ଶୋଇ ନ ଥିଲେ ବି ଦୋକାନ ବଜାର ବନ୍ଦ ଥିଲା । କାଁ–ଭାଁ ଜଣେ ଅଧେ ଲୋକ ଯା’ ଆସ କରୁଥିଲେ । ବାରବୁଲା ମାଗିଖିଆ ଲୋକେ ଦୋକାନ ବାରଣ୍ଡାରେ ରାତିରେ ବିଶ୍ରାମ ନେଉଥିଲେ । ସେତେବେଳଯାଏ ସେମାନଙ୍କର ନିଦ ଭାଙ୍ଗି ନ ଥିଲା । ବାର ଅଳିଆ ଅସକରାରେ ଦାଣ୍ଡ ଭରି ରହିଥିଲା । କେଇଟା ଅପରଛନିଆ ପିଲା ଦୋକାନ କଡ଼ର ଅଳିଆ ଗଦାରୁ କେତେ କ’ଣ ଖୋଜି ଲାଗିଥିଲେ । ଭେଳା ଭେଳା କୁଆ ଆଉ କୁକୁରଙ୍କର ମେଳା ବସିଥିଲା ମଝି ଦାଣ୍ଡରେ । ଗୋଟେ ଅଧେ ଚା’ ଦୋକାନରୁ ଗାଢ଼ କଳାରଙ୍ଗର କୋଇଲା ଧୂଆଁ, ଗୁଡ଼େଇ ହୋଇଥିବା ଗୋଲାକାର ତାର ଭଳି ଉପରକୁ ଉଠି ଆକାଶରେ କୁଆଡ଼େ ମିଶିଯାଉଥିଲା । ସକାଳର ଗୋଲାପୀ ସୂର୍ଯ୍ୟକିରଣ ଦେଉଳ ଉପରକୁ କୁଦାମାରି ଆସ୍ତେ ଆସ୍ତେ ତଳକୁ ଓହ୍ଲେଇଯିବାରେ ଲାଗିଥିଲା । ଘଣ୍ଟି ବଜେଇ ଏଣେ ତେଣେ ଧାଇଁ ବୁଲୁଥାଆନ୍ତି କେଇଟା ରିକ୍‌ସାବାଲା । ଖାଲିଟାରେ । ଲୋକବାକର ଦେଖା ନାହିଁ । ଭଡ଼ା କୁଆଡ଼ୁ ପାଇବେ ?

 

ମୁଁ ବଜାର ଭିତର ଦେଇ ଚାଲିଗଲାବେଳେ କେଇଜଣ ରିକ୍‌ସାବାଲା ନିଜକୁ ପ୍ରସ୍ତୁତ କରି ଜିଜ୍ଞାସୁ ଆଖିରେ ମୋ ଆଡ଼ିକି ଚାହିଁ ରହିଥାଆନ୍ତି । ଦି’ଚାରିଜଣ ରିକ୍‌ସା ଧରି ବି ଆଗେଇ ଆସିଲେ । କୁଆଡ଼େ ? ଷ୍ଟେସନ ? ମଟର ଷ୍ଟାଣ୍ଡ ?

 

ଇଚ୍ଛା ହେଉଥିଲା ରିକ୍‌ସା ଖଣ୍ଡେ ଧରି ବେଡ଼ିଂପତ୍ର ଯାଇ ନେଇଆସିବି ଓ ଚାଲିବି ମଟରଷ୍ଟାଣ୍ଡ । ତିନି ଚାରି ଘଣ୍ଟା ଭିତରେ କଟକରେ ଯାଇ ପହଞ୍ଚିଯିବି । ଏଠୁ ଚାଲିଗଲେ କେମିତି ଯାଏ । ପରମୁହୂର୍ତ୍ତରେ ଭାବିଲି–ଏମାନଙ୍କୁ ସବୁ କହିନି । ହଠାତ୍ ଚାଲିଗଲେ ସେମାନେ ଭାବିବେ ଅବା କ’ଣ ? ତା’ଛଡ଼ା ବୁଲି ମା’ ଓ ଅନୁ ଏମାନଙ୍କର ଦୋଷ ବା କ’ଣ ? ସେମାନେ ଗରିବ ଅସହାୟ ହୋଇଥାଆନ୍ତୁ ବା ସେମାନଙ୍କ ପାଖେ ଟଙ୍କା ପଇସା କିଛି ନ ଥାଉ; କିନ୍ତୁ ମୋ ଆସିବା ଦିନୁ କେବେହେଲେ ତ ସେମାନେ ମତେ ଖରାପ ବ୍ୟବହାର ଦେଖାଇ ନାହାନ୍ତି; ବରଂ ମା’ଝିଏ ଉଭୟେ ସଦାବେଳେ ମୋର ମନ ନେଇ କିପରି ମତେ ଖୁସି ରଖିବେ ଏଇ ବିଷୟରେ ସେମାନେ ଲାଗିଥାଆନ୍ତି । କୋଉ ପିଲାଦିନେ ମୁଁ ଏଠାକୁ ଆସିଥିଲି ? ଇଆ ବୋଲି କିଏସେ କାଇଁ ବୁଲିମା’ ଭଳି ମତେ ଧର୍ମଶାଳାରୁ ଡାକିଆଣି ପାଖରେ ରଖିବ ଓ ନିଜର ଲଜ୍ଜା ଓ ସଙ୍କୋଚ ଛାଡ଼ି ସବୁ କିଛି କଥା ତା’ର କହିଯିବ ? ସେ ଯାହାକିଛି ହେଉ–ସେ ଜାଗାରୁ ମୋର ଚାଲିଯିବା ଦରକାର । ମନ ଭିତରର ଯୁକ୍ତି ଓ ବାହାରେ ଘଟିଯାଉଥିବା ଘଟଣାର ପ୍ରବାହ, ଏ ଦୁଇଟି ଅଲଗା ଅଲଗା ଜିନିଷ । କାହା ସହିତ କାହାର ସମ୍ପର୍କ ନ ଥାଏ । ଲଗାମ୍ ଧରି ମନକୁ ସିନା ବାନ୍ଧି ହୁଏନି ? କିନ୍ତୁ ସମାଜରେ ଚଳପ୍ରଚଳ ହେବାକୁ, କଥା କହିବାକୁ ଓ ଅନ୍ୟାନ୍ୟଙ୍କ ସାଙ୍ଗେ ସମ୍ପର୍କ ରଖିବାକୁ ହେଲେ କେତେ ରକମର ଘୋଡ଼ଣୀ ଦରକାର । ଅରଣା ମଇଁଷି ଭଳି ମଣିଷର ମନ ସାଙ୍ଗେ ତା’ର କିଛି ହେଲେ ସମ୍ପର୍କ ନ ଥାଏ । ହଜାର ହଜାର କି ଲକ୍ଷ ଲକ୍ଷ ବର୍ଷର ପରମ୍ପରା ଭିତରେ ମଣିଷର ଆଚାର ବ୍ୟବହାର ଓ ଚଳଣି ଆଦି ଯେତିକି ଯେତିକି ମାର୍ଜିତ ହେବାରେ ଲାଗିଛି, ସେତିକି ସେ ନିଜକୁ ଘୋଡ଼େଇବାକୁ ଚେଷ୍ଟା କରିଆସିଛି । ମିଥ୍ୟାର ଆବରଣ ଭିତରେ ସତ୍ୟର ବିଲୟ ଘଟିଛି । କୃତ୍ରିମତା ଉପରେ ହିଁ ମଣିଷର ସଭ୍ୟତା ପୁଟ ଦେଇ ଚାଲିଛି । ନାନାରକମର ଆଦବ କାଇଦା ତାକୁ ତିଆରି କରି କରି ଚାଲିଛି ଗୋଟି ଏ ଭିନ୍ନ ରୂପରେ । ଭଲ ଦିଗରେ କି ମନ୍ଦ ଦିଗରେ କହି ହେବନି । କିନ୍ତୁ ଦିନକୁ ଦିନ ମଣିଷ ତା’ର ତଥାକଥିତ ସଭ୍ୟତାର ପାହାଚ ଚଢ଼ିବାରେ ଲାଗିଛି । ବର୍ଷ ବର୍ଷ ଧରି, ଯୁଗ ଯୁଗ ଧରି ।

 

କୋଉ ଆଡ଼ିକି ଯିବି, କ’ଣ କରିବି ସେମିତି କିଛି ମୋର ଲକ୍ଷ୍ୟ ନ ଥିଲା । ସିଂହଦ୍ୱାର ମୁହଁକୁ ଆସି ନାକସିଧା ଚାଲିଲି । କୁଆଡ଼ୁ କିଛି ଭାବୁ ନ ଥିଲେ ବି ପାଦ ଦୁଇଟା ମୋର ଚାଲିଥିଲା ସମୁଦ୍ରକୂଳ ଆଡ଼େ । ଅବଚେତନ ମନରେ ବୋଧହୁଏ ମୁଁ ପୁରୀର ସମୁଦ୍ରକୂଳ ପ୍ରତି ବେଶି ଆକୃଷ୍ଟ ଥିଲି । ପ୍ରକୃତରେ ସକାଳେ ସଞ୍ଜେ ଖାଲି ସେ ଜାଗାରେ ଅଳ୍ପ ବୁଲି ଆସିଲେ ଲୋକ ସବୁ କିଛି ଭୁଲିଯାଏ । ସମୁଦ୍ରର ଅବିରାମ ଉଠପଡ଼ ଲହରୀମାଳା ଭିତରେ ମନ ଗୁଡ଼େଇ ତୁଡ଼େଇ ହୋଇ ନାଚିବାକୁ ଆରମ୍ଭ କରେ । ବେଳେ ବେଳେ ଲହରୀଗୁଡ଼ାକୁ ଗଣିବାକୁ ଇଚ୍ଛା ହୁଏ । ଠିକ୍ ଯେମିତି ମଣିଷ ସମୟ ସମୟରେ ତା’ମନ ଭିତରୁ କେତେ କେତେ ମଧୁର ସ୍ମୃତିକି ଛାଣି ଆଣି ଆନନ୍ଦରେ ଉଲୁସି ଉଠେ । ସଦାବେଳେ ମନର ସେଇ ଅବସ୍ଥାକୁ ଜାବୁଡ଼ି ଧରି ରଖିବାକୁ ସେ ସ୍ୱପ୍ନର ଜାଲ ବୁଣିବାରେ ଲାଗେ । ସମୁଦ୍ରର ଲହରୀ ସବୁ ଗୋଟିକପରେ ଗୋଟିଏ କୁଦାମାରି ମାଡ଼ି ଆସୁଥିଲା ଭଳି ମନ ଭିତରୁ ଅତୀତର ଘଟଣା ସବୁ କୁଦା ମାରେ; କିନ୍ତୁ ଫେରି ଚାଲିଲେ ସେ ସବୁ ଆସ୍ତେ ଆସ୍ତେ ପାସୋରି ଯାଏ । କିଛି ବାଟଯାଏ ସମୂଦ୍ରର ଗର୍ଜନ ଶୁଭୁଥିଲା ଭଳି ସେ ସବୁ କେତେବେଳଯାଏ ମନ ଭିତରେ ଧକ୍‌କା ମାରେ । ତା’ପରେ ଜଞ୍ଜାଳ ଓ ଲୁଣ–ତେଲର ସଂସାର ଭିତରେ ହଜିଯିବାକୁ ହୁଏ । ଲୋକ କିଛି ସମୟଯାଏ ସେ ସବୁକୁ ଭୁଲିଯିବାକୁ ସମୁଦ୍ରକୂଳକୁ ବୁଲି ଆସେ । ଯେତେଦିନ ମୁଁ ପୁରୀରେ ରହିଛି, କୋଉଦିନ ଯେ ମୁଁ ସେଠିକି ବୁଲି ନ ଆସିଛି, ଏମିତି ନୁହେଁ । ପ୍ରକୃତରେ ମୁଁ ସେ ସମୟରେ ମୋର କଟକ ଘର, ପିଲାଛୁଆ, ମୋର ସଂସାର, ଚାକିରି, ଅନୁ, ବୁଲି ମା’ ଆଦି ସମସ୍ତଙ୍କୁ ପାସୋରି ଦେଉଥିଲି । ତା’ ସହିତ ନିଜକୁ ବି ଭୁଲିଯିବା ପାଇଁ ପୁରୀର ସମୁଦ୍ରକୂଳ ଏକମାତ୍ର ସ୍ଥାନ ।

 

ସେଦିନ ସକାଳୁ ମୁଁ ଚା’ ଖାଇ ନ ଥିଲି । ରାସ୍ତାକଡ଼ର ଗୋଟେ ଚା’ ଦୋକାନକୁ ଯାଇ ମନ ସାଙ୍ଗେ ପାଟିକି ମୋର ଓଦା କରିଦେଇ ଆସିଲି । ସିଗାରେଟ୍‌ରେ ଅଗ୍ନି ସଂଯୋଗ କରି ସିଧା ଚାଲିଲି ସମୁଦ୍ର କୂଳଆଡ଼େ ।

 

ରସ୍ତାକଡ଼ର ଧାଡ଼ି ଧାଡ଼ି ଝାଉଁଗଛ ଭିତରୁ ସଳାଳ ସମୁଦ୍ରର ନେଳିଆ ପାଣି ମତେ ଅବା ହାତଠାରି ଡାକୁଥାଏ ।

 

ଦିଗବାରଣ ଖୁଣ୍ଟି ପାଖରୁ ରାସ୍ତାଟା ସ୍ଵର୍ଗଦ୍ଵାର ଶ୍ମଶାନ ଆଡ଼େ ଘୂରିଯାଇଛି । ମତେ ଆଉ ରାସ୍ତାରେ ରାସ୍ତାରେ ଯିବାକୁ ଭଲ ଲାଗିଲାନି । କୂଳକୁ ଓହ୍ଲେଇ ଗଲି । ବାଲି କୁଦି କୁଦି ଚାଲିଲି ବିପରୀତ ଦିଗରେ, ସମୁଦ୍ରର ଧାରେ ଧାରେ । ଜୋତା ହଳକ ହାତରେ ଓହଳେଇ ଧରିଥାଏ ଓଦା ହୋଇଯିବା ଭୟରେ । ତା’ସାଙ୍ଗେ ସମୁଦ୍ରର ଲହଡ଼ି ମାଡ଼ିଆସି ପୁଣି ଫେରି ଯାଉଥିଲାବେଳେ ପାଦରେ ଅନୁଭବ କରିବାକୁ ମତେ ଭାରି ଭଲ ଲାଗୁଥିଲା । ତା’ସହିତ ଅସଂଖ୍ୟ ଛୋଟ ଛୋଟ କଙ୍କଡ଼ାମାନଙ୍କର ଦଉଡ଼ା–ଦଉଡ଼ି ଖେଳ । ଲହଡ଼ି ମାଡ଼ି ଆସିଲାବେଳେ ସେମାନଙ୍କର ଗାତସବୁ ବାଲିରେ ପୋତି ହୋଇ ଯାଉଥାଏ । ପାଣି ଛାଡ଼ିଗଲେ ପୁଣି ସେମାନେ ବାଲି ଉଖାରି ମୁଣ୍ଡ ଟେକନ୍ତି । ମତେ ଦେଖିଦେଇ ଦଉଡ଼ି ଦଉଡ଼ି ପଳାନ୍ତି ରହି ରହି । ଜୋତା ହଳକ ବାଲି ଉପରେ ଥୋଇ ଦେଇ ମୁଁ କେତେ ସମୟଯାଏ ସେମାନଙ୍କ ସାଙ୍ଗେ ଦଉଡ଼ା ଦଉଡ଼ି ଖେଳିଲି । ସବୁ ପରିଶ୍ରମ ମୋର ବୃଥା ହେଲା । ସେଥିରୁ ଗୋଟିଏ ହେଲେ ଧରିପାରିଲିନି । ହତାଶାରେ ଫେରିଆସି ଜୋତା ହଳକ ପିନ୍ଧିଲାବେଳକୁ ଦେଖିଲି–ଛୋଟ ଛୋଟ ଅସଂଖ୍ୟ ଶିପ ବାଲି ଉପରେ ଅବେଇଛତର ହୋଇ ପଡ଼ିଛି । ସକାଳର କଅଁଳିଆ ସୁର୍ଯ୍ୟକିରଣ ବାଲି ଉପରେ ଖଣ୍ଡଖଣ୍ଡିଆ ହୋଇ ପଡ଼ିଛି ବାଲିରେ ଖାଲ ଢିପ ଯୋଗୁଁ । ତା’ ସାଙ୍ଗେ ଧଳା ଧଳା ଶିପଗୁଡ଼ାକ ଆକାଶର ଅସଂଖ୍ୟ ଛୋଟ ଛୋଟ ତାରା ଭଳି ଝଟକିବାରେ ଲାଗିଛି । ଶିପଗୁଡ଼ାକ ମୋର କିଛି ଦରକାର ନାହିଁ; ଅଥଚ ସେଗୁଡ଼ାକ ଗୋଟେଇବାକୁ ଇଚ୍ଛା ହେଲା । ମୁଠେହବ ଗୋଟେଇ ସେତକ ପକେଟରେ ପୂରେଇଲି-। ତା’ପରେ ଚାଲିଲି କୂଳେ କୂଳେ ବାଲି କୁଦି କୁଦି ।

 

ସକାଳର ନରମ ଖରା ଆସ୍ତେ ଆସ୍ତେ ଟାଣ ଧରି ଆସିଲା । ଦଉଡ଼ା ଦଉଡ଼ି ଖେଳୁଥିବା ସକାଳର ଲହରୀ ସବୁ ଆସ୍ତେ ଆସ୍ତେ କୁଦା ମାରିବାକୁ ଆରମ୍ଭ କରିଦେଲେ । ସୂର୍ଯ୍ୟକିରଣ ଯେତିକି ଯେତିକି ପ୍ରଖର ହେବାରେ ଲାଗେ, ସମୁଦ୍ରର ପାଣି ସେତିକି ଜୋରରେ ନାଚିଉଠେ । କୂଳେ କୂଳେ ଅନେକ ବାଟଯାଏ ମୁଁ ଚାଲିଗଲି । ସୂର୍ଯ୍ୟକିରଣ ଶର ଭଳି ତୀର୍ଯ୍ୟକ୍‌ ଗତିରେ ମୋ ମୁହଁରେ ଆସି ବିଦ୍ଧ କରିବାରେ ଲାଗିଲା । ହାତବନ୍ଧା ଘଡ଼ିକି ଅନେଇଲି, ଆଠଟା ପାଖଆଖ ଆସି ହେଲାଣି । ବେଶି ବାଟ ଆଉ ଯିବିନି ବୋଲି ଠିକ କଲି । ଫେରିବାକୁ ଆରମ୍ଭ କଲାବେଳେ ଦେଖିଲି–ଅସଂଖ୍ୟ ନୋଳିଆ ଦି’ଟା ଦଉଡ଼ି ଧରି ଭିଡ଼ିବାରେ ଲାଗିଛନ୍ତି । କ’ଣ ଯେ ସେମାନେ ଭିଡ଼ୁଛନ୍ତି ମୁଁ ବୁଝି ପାରିଲିନି । ଅଳ୍ପ ସମୟ ଦେଖିଲି–ଅନେକ ଦୂରରେ ଥିବା ଗୋଟିଏ ନାହା ଆସ୍ତେ ଆସ୍ତେ କୂଳକୁ ଆସୁଛି । କୂଳରେ କେତେ କେତେ ଲଙ୍ଗଳା ନୋଳିଆ ଛୁଆ ଖାଲି ନାଚିବାରେ ଲାଗିଛନ୍ତି । ବେତା ଆଉ ଟୋକେଇ ଧରି ଅପେକ୍ଷା କରୁଛନ୍ତି ଦଳ ଦଳ ନୋଳିଆ ସ୍ତ୍ରୀ ଲୋକ । ପାଟିରେ ପିକା ଖଣ୍ଡେ ଖଣ୍ଡେ ପୁରେଇ ସେମାନେ କେତେ କ’ଣ ଆଗୁଡ଼ୁ ବାଗୁଡ଼ୁ କଥାବାର୍ତ୍ତା ହେବାରେ ଲାଗିଛନ୍ତି । ସେମାନଙ୍କ କଥା ମୁଁ ବୁଝିପାରିଲିନି । ନୋଳିଆମାନେ ମୁଣ୍ଡରେ ଗୋଟେ ଗୋଟେ ଗୋଜିଆ ଖଜୁରୀପତ୍ରର ଟୋପି ଆଉ କଉପୁନି ପିନ୍ଧି ଦଉଡ଼ି ଭିଡ଼ିବାରେ ଲାଗିଥାଆନ୍ତି । କେତେ ସ୍ତ୍ରୀଲୋକ ବି ସେମାନଙ୍କୁ ସାହାଯ୍ୟ କରିଥାଆନ୍ତି । ଦଉଡ଼ି ଭିଡ଼ିବାକୁ ସେମାନଙ୍କୁ ଯେତିକି କଷ୍ଟ ପଡ଼ୁଥାଏ, ସେମାନେ ସେତିକି ସେତିକି ଉତ୍ସାହର ସହିତ ଭିଡ଼ୁଥାଆନ୍ତି । ଜାଲଟାରେ ମାଛ ବୋଧେ ବେଶି ପଡ଼ିଛନ୍ତି ନା କ’ଣ ।

 

ମୁଁ ଠିଆ ହୋଇ କେବଳ ସେମାନଙ୍କୁ ଲକ୍ଷ୍ୟ କରୁଥାଏ । ତା’ ସାଙ୍ଗେ ସାଙ୍ଗେ ମୋ ଆଖି ଆଗରେ ପଡ଼ିଲେ କେତେ ଜଣ ନୋଳିଆଣୀ ଯୁବତୀ । ଲୁଗାପଟାରେ ସେମାନଙ୍କର ଠିକଣା ନାହିଁ-। ଗୋଟା ଗୋଟା ବଳିଦେଲା ଭଳି ଦେହ । ଦିନ ରାତି ପରିଶ୍ରମ କରି ସେମାନଙ୍କର ବର୍ତ୍ତୂଳ ଶରୀର-। ଅନ୍ୟମାନଙ୍କ ଭଳି ଅଣ୍ଟା ସେମାନଙ୍କର ଭାଙ୍ଗି ପଡ଼ିନି କି ଆଖି ଯାଇ କୋରଡ଼ରେ ପଶିନି-। ଚାରିଆଡ଼ କୁନ୍ଦିଦେଲା ଭଳି । ଜାଲ ଭିଡ଼ୁଥିଲା ବେଳେ ସେମାନଙ୍କର ଲଙ୍ଗଳା ବାହା ଆଉ ଖୋଲା ପିଠି ଉପରେ ମୋର ଆଖି ବେଳେ ବେଳେ ଯାଇ ଲଟେଇ ପଡ଼ୁଥାଏ ।

 

ଚାହୁଁ ଚାହୁଁ ଜାଲଟାକୁ ଭିଡ଼ି ଭିଡ଼ି ସେମାନେ କୂଳକୁ ନେଇ ଆସିଲେ । ରୂପା ରଙ୍ଗର ଚାରି ପାଞ୍ଚ ଶଗଡ଼ ମାଛ କୂଳରେ ଆସି ଅଜାଡ଼ି ହୋଇପଡ଼ିଲା । ପିଲାଗୁଡ଼ାକ ମାଛ ଗୋଟାଇବାରେ ଲାଗିଗଲେ–ଯେଉଁଗୁଡ଼ାକ ଜାଲରୁ ଖସି ଆସିଥାଆନ୍ତି । ତା’ପରେ ଜାଲ ଭିତରୁ ସେମାନେ ମାଛତକ ଛାଣି ଆଣିଲେ । ଚାଲିଲା ଭାଗବଣ୍ଟା । ଖାଲି ଘୋ ଘା’ ଆଉ ପାଟିତୁଣ୍ଡ । ପଞ୍ଝା ପଞ୍ଝା କୁଆ ଆଉ ଚିଲ ଚକିରି ଲଗେଇ ସେମାନଙ୍କ ଉପରେ ଘେର ଦେବାରେ ଲାଗିଥାଆନ୍ତି । ଭାବିଲି–ଆଠଣା, ଟଙ୍କାକର କିଣିନେବି । ପରମୁହୂର୍ତ୍ତରେ ଠିକ୍ କଲି–କିଛି ଦରକାର ନାହିଁ । କିଏ ଏଇନେ ଏତେ ବାଟ ତାକୁ ରୁମାଲରେ ବାନ୍ଧି ଘରକୁ ନେବ ଥାଉ । ସେମାନଙ୍କୁ ପଛରେ ପକେଇ ଦିଗବାରଣ ଖୁଣ୍ଟି ଯାଏ ଚାଲିଲି । ଲହଡ଼ି ଗଣି ଗଣି ରାସ୍ତା ଉପରେ ଯାଇ ହେଲି । ରିକ୍‌ସା ଖଣ୍ଡେ କରିଥିଲେ ଶୀଘ୍ର ଯାଇ ଘରେ ପହଞ୍ଚିଥାନ୍ତି । ସେମିତି କିଛି କାମ ନ ଥିଲା । ଚାଲି ଚାଲି ଆଗେଇଲି ଘରଆଡ଼େ ।

 

ସିଧା ରାସ୍ତାରେ ଘରକୁ ଫେରିବାକୁ ଇଚ୍ଛା ହେଲାନି । ଠିକ କଲି–ଗଳି କନ୍ଦି ଭିତରେ ବୁଲି ବୁଲି ଘରେ ଯାଇ ପହଞ୍ଚିବି । ପୁରୀ ସହରରେ ରାସ୍ତାଘାଟ ଭୁଲିଯିବାର ଭୟ ସେତେ ବେଶି ନ ଥାଏ । କାରଣ ସହର ମଝିରେ ଠିଆ ହୋଇଛି ଜଗନ୍ନାଥଙ୍କ ଦେଉଳ । ଯୋଉଆଡ଼େ ଯାଇଥିଲେ ବି ଦେଉଳକୁ ଅନେଇ ସିଧା ଭାବରେ ଆସିଲେ ଠିକ୍ ଜାଗାରେ ଆସି ପହଞ୍ଚିଯିବାକୁ ପଡ଼େ । ପୁରୀ ସହରର ରାସ୍ତାଘାଟ, ସାଇ ଓ ଗଳିକନ୍ଦି ଆଦି ମୁଁ ଭଲରୂପେ ଚିହ୍ନି ନ ଥିଲି । ପିଲାଦିନେ ଯୋଉ କେତେ ଦିନ ଆସି ରହିଥିଲି, ସେ କଥା ମୋର ପାସୋର ଯାଇଥିଲା । କେତେଟା ଦିନ ଆଉ ରହିବି-? ଆଉ ଥରେ କେବେ ଏମିତି ସୁବିଧା ମିଳିବ, ଚାକିରିରୁ ଛୁଟି ମିଳିବ ବା ପିଲାପିଲିଙ୍କ ଜଞ୍ଜାଳରୁ ରକ୍ଷା ମିଳିବ ନା ପୁରୀ ବୁଲିଆସିବି ? ତଥାପି ମନେ ମନେ ଭାବୁଥିଲି–ସୁବିଧା ହେଲେ ଥରେ ଘରର ସମସ୍ତଙ୍କୁ ସାଙ୍ଗରେ ଧରି ପୁରୀ ଆସିବି । ଜଗନ୍ନାଥଙ୍କୁ ଦର୍ଶନ କରିବା ହେବ ଓ ସମୁଦ୍ରକୂଳେ ବୁଲିବୁଲି କରିବା ବି ହେବ ।

 

ସିଧା ସଡ଼କ ରାସ୍ତାରୁ ଗଡ଼ିଯାଇ ମୁଁ ଗୋଟିଏ ଅଣଓସାରିଆ ଗଳି ଭିତରେ ପଶିଗଲି । ଦେଖିଲି ନଳାରୁ ବାର ଆବର୍ଜନା ପାଣିସବୁ ଭାସି ଆସି ରାସ୍ତାସାରା ମାଡ଼ିଯାଇଛି । ପିଣ୍ଡା ତଳକୁ କରି ପିଲାଏ ଝାଡ଼ା ଫେରିଛନ୍ତି । ଗଦା ଗଦା ଅଳିଆ ଅସକରା ରାସ୍ତାଘାଟରେ ଜମା ହୋଇଛି । ସାଇରୁ କେମିତି ଗୋଟେ ଦୁର୍ଗନ୍ଧ ବାହାରୁଛି । ସେଠି ବଡ଼ ବଡ଼ ଦୋତାଲା ତିନିତାଲା କୋଠା ଅଛି । ତା’ ସାଙ୍ଗକୁ ଦଦରା ଚାଳଘର ବି ଅଛି । ସବୁଆଡ଼ିକି ଇଲେକ୍‌ଟ୍ରିକ ଯାଇପାରିନି । ରାସ୍ତାଗୁଡ଼ାକ ଆବୁଖାବୁଆ । କୋଉଠି ଇଟା କି ପଥର ପଡ଼ିଥିଲା, ସେ ସବୁ ପାଣିରେ ଧୋଇ ହୋଇଯିବା ପରେ ପଥର ଓ ଇଟା ଢେଲାସବୁ ରାସ୍ତା ଉପରେ ପଡ଼ିରହିଛି । ଆଉ ଗୋଟିଏ ଜିନିଷ ମୁଁ ଦେଖିବାକୁ ପାଇଲି । ସେ ହେଲା ପାଣିକଳ । ଗଳିକନ୍ଦି ଦେଇ ଆସିଲାବେଳେ ପ୍ରତି କଳମୂଳରେ ଦେଖିଲି–କଳି ଲାଗିଛି । ଖାଲି ପାଟିତୁଣ୍ଡ ଆଉ ବକାବକି । ମାଇପି ମାଇପିଙ୍କ ଭିତରେ । କୋଉଠି ମରଦମାନଙ୍କ ମଧ୍ୟରେ ହାତାହାତି ବି ଲାଗିଯାଉଛି । ତା’ଛଡ଼ା କଳରୁ ଯେଉଁସବୁ ପାଣି ଗଡ଼ି ଆସୁଛି ସେ ସବୁ ଖଲାସ ହେବାକୁ ରାସ୍ତା ନାହିଁ । ରାସ୍ତାରେ ଜମିରହି ପଚାପାଣିରୁ ଦୁର୍ଗନ୍ଧ ବାହାରୁଛି । ପୁରୀର ସମୁଦ୍ରକୂଳ ଓ ଗଳି ସାଇର ସେଇ ଅସ୍ଵାସ୍ଥ୍ୟକର ପରିସ୍ଥିତିକୁ ମୁଁ ମନେ ମନେ ତଉଲ କରୁଥିଲି । ଏ ସବୁ ଅସୁବିଧାଗୁଡ଼ାକ ଘୁଞ୍ଚିପାରିଲେ ପୁରୀ ଗୋଟିଏ ସ୍ଵାସ୍ଥ୍ୟକର ତୀର୍ଥଜାଗାରେ ପରିଣତ ହୋଇପାରନ୍ତା । ଯୋଉମାନେ ପୁରୀ ସମୁଦ୍ରକୂଳକୁ କେଇଦିନ ପାଇଁ ବୁଲି ଏ ସ୍ଥାନ ବିଷୟରେ ପ୍ରଶଂସାମୁଖର ହୁଅନ୍ତି, ସେମାନେ ବୋଧେ ସହରର ଗଳିକନ୍ଦି ଆଦିରେ ବୁଲି ନାହାନ୍ତି ତ ଦେଖି ନାହାନ୍ତି ।

 

ଏହିପରି କେତେଟା ଅଣଓସାରିଆ ଓ ବଙ୍କାଢ଼ଙ୍କା ଗଳିଦେଇ ମୁଁ ଘରିଆଡ଼େ ଫେରୁ ଫେରୁ ହଠାତ୍ ଗୋଟିଏ ଜାଗାରେ ଅଟକିଗଲି । ପଛଆଡ଼ୁ କିଏ ଜଣେ ମୋତେ ଡାକୁଥିବାର ଅନୁଭବ କଲି । ପଛକୁ ଅନେଇଲି । କାହାକୁ ହେଲେ ଦେଖିଲିନି । ଭାବିଲି–ଆଉ ବୋଧେ କିଏ କାହାକୁ ଡାକୁଛି । ଏପଟ ସେପଟ ଅନେଇ ଗଳିର ମୋଡ଼ ମୁଣ୍ଡରୁ ବାଁ’ହାତି ବୁଲିଗଲି । ପୁଣି ପଛଆଡ଼ୁ ସେଇ ଡାକ । ଖାଲି ଡାକ ତ ନୁହେଁ–ମୋ ନାଁ ଧରି । ନାଁ ଧରି କିଏ ମୋତେ ଡାକୁଛି; ଅଥଚ ମୁଁ ତାକୁ ଚିହ୍ନିପାରୁନି କି ଦେଖିପାରୁନି । କଥାଟା କ’ଣ ଜାଣିବା ପାଇଁ ମୁଁ କିଛି ବେଳଯାଏ ସେଇଠି ଠିଆହୋଇ ରହିଲି । ଦେଖିଲି କିଏ ଜଣେ ଅଚିହ୍ନା ଭଦ୍ରଲୋକ ମୋ ପଛଆଡ଼ୁ ଧଇଁସଇଁ ହୋଇ ଦଉଡ଼ୁଛନ୍ତି । ଦୂରରୁ ଦେଖି ମୁଁ ତାଙ୍କୁ ଚିହ୍ନି ପାରିଲିନି । ପାଖକୁ ଆସି ସେ ମୋତେ ନମସ୍କାର ହେଲେ । ମୁଁ ମନେ ମନେ ଅନେକ ବେଳଯାଏ ଭାବିଲି । ତାଙ୍କୁ ପ୍ରତିନମସ୍କାର ଜଣେଇଲି । କ’ଣ କହୁଛନ୍ତି ବୋଲି ପଚାରିଲି । ମୁଁ ଯେ ତାଙ୍କୁ ଚିହ୍ନିପାରୁନି ଏ କଥା ନ କହିଲେ ବି ଭଦ୍ରଲୋକ ମୋ ହାବଭାବରୁ ବୋଧେ ଜାଣିପାରିଥିବେ । ଶେଷକୁ ବାଧ୍ୟ ହୋଇ କହିଲି–କ୍ଷମା କରିବେ, ମୁଁ ଆପଣଙ୍କୁ ଚିହ୍ନିଲା ଭଳି ମନେ ହେଉନି ।

 

ଠିକ୍ କଥା । ଆପଣ ମତେ ଚିହ୍ନି ନାହାନ୍ତି ।

 

ତା’ହେଲେ ଆପଣ ଚିହ୍ନିଲେ କେମିତି ?

 

ମୁଁ ବି ଆପଣଙ୍କୁ ଜାଣିନି–ଭଦ୍ରଲୋକ କହିଲେ ।

 

ବଡ଼ ଆଶ୍ଚର୍ଯ୍ୟ କଥା ! ମୁଁ ଚିହ୍ନେନି । ସେ ବି ମୋତେ ଚିହ୍ନି ନାହାନ୍ତି । ସେ ପୁଣି ମୋ ନାଁ ଜାଣିଲେ କେମିତି । ମନେ ମନେ ମୁଁ ଭାବିଲି ସିନା, କହିପାରିଲିନି । ତାଙ୍କ ମୁହଁକୁ ଚାହିଁ ତୁନିହୋଇ କେବଳ ଠିଆ ହେଲି ।

 

ଆପଣ ଆମ ଘରକୁ ଆସନ୍ତୁ । ମୋ ସ୍ତ୍ରୀ ଆପଣଙ୍କୁ ଚିହ୍ନେ ।

 

ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି । ଅଚିହ୍ନା ଭଦ୍ରଲୋକ ମତେ ଜାଣିନାହାନ୍ତି; ଅଥଚ ତାଙ୍କ ସ୍ତ୍ରୀ ମତେ ଚିହ୍ନିଛନ୍ତି ? କ’ଣ ତାଙ୍କୁ କହିବି କିଛି ଠିକ୍ କରି ପାରିଲିନି ।

 

ଭଦ୍ରଲୋକ ପୁଣି କହିଲେ–ମୋ ସ୍ତ୍ରୀ ନାଁ ରମା ।

 

ରମା ? କିଏ ସେ ରମା ? ମୁଁ ଭାବନା ଭିତରେ କେବଳ ବୁଡ଼ିଗଲି ।

 

ବଳିଆର ସିଂଙ୍କ ଝିଅ ।

 

କୋଉ ବଳିଆର ସିଂ ?

 

Unknown

ପାଇକସାହିର ସେ ଆଗେ ଜମିଦାର ଥିଲେ ।

 

ଓଃ–

 

ତୀର ବେଗରେ କେତେ ବର୍ଷ ତଳର ଘଟଣା ମୋ ଆଖି ଆଗରେ ଆସି ନାଚିଗଲା । କହିଲି–ଆଚ୍ଛା, ଚାଲନ୍ତୁ ।

 

ତାଙ୍କ ସାଙ୍ଗରେ ଯାଉ ଯାଉ ବାଟରେ ପଚାରିଲି–ତାଙ୍କର ତ ଏଠି ଘର ଅଛି ?

 

ଅଛି ।

 

ତା’ହେଲେ ଆପଣମାନେ ଏଠି କାହିଁକି ରହୁଛନ୍ତି ?

 

ଏଠିକି ଆମେ ଦି’ମାସ ହେଲା ଆସିଛୁ । ଆଗ ବରହମପୁରରେ ଥିଲୁ । ପୁରୀ ବଦଳି ହୋଇ ଆସିଲା ପରେ ତାଙ୍କ ଘରେ ରହିଥାଆନ୍ତୁ; କିନ୍ତୁ ଶୁଣିଲି ଯେ–ସେମାନେ ଘରଟାକୁ ବିକ୍ରି କରି ଦେଉଛନ୍ତି ।

 

ବିକ୍ରି କରି ଦେଉଛନ୍ତି ? କାହିଁକି ?

 

କରିପାରିବିନି । ତାଙ୍କର ଆଗ ଅବସ୍ଥା ଏବେ ଆଉ କ’ଣ ଅଛି ? ଘରର ଅବସ୍ଥା ତାଙ୍କର ବଦଳି ସାରିଲାଣି । ତା’ ନ ହେଲେ ଆମେ ଭଡ଼ାଘର କରି ଏଠି କାହିଁକି ରହନ୍ତୁ ?

 

ଆମେ ଘରଆଡ଼ିକି ଆଗେଇ ଆସିଲୁ ଓ ଗୋଟିଏ ଏକତାଲା କୋଠାଘର ପାଖରେ ଆସି ପହଞ୍ଚିଲୁ । ଦେଖିଲି–ଜଣେ ସ୍ତ୍ରୀଲୋକ ପିଲାଟିଏ କାଖେଇ ଝରକା ପାଖରେ ଠିଆ ହୋଇଛି । ସ୍ତ୍ରୀଲୋକଟି ଆଡ଼ିକି ଥରୁଟିଏ ଅନେଇ ଦେଇ ପିଲାବେଳର ରମାର ଛାଞ୍ଚ ତା’ ମୁହଁରେ କେବଳ ଦେଖିବାକୁ ପାଇଲି । ପିଲାଦିନର ତା’ର ସେ ଛନଛନିଆ ଚେହେରା ନାହିଁ କି ଦିହରେ ଆଗ ଭଳି ସୁନା ଅଳଙ୍କାର ନାହିଁ । ପଦ୍ମପତ୍ର ଉପରେ ପଡ଼ିଥିବା ଜଳକଣା ଭଳି ସେ ଆଉ ଢଳଢ଼ଳ ଦେଖାଯାଉନି । ପିଲାଦିନର ଚପଳତା କୁଆଡ଼େ ହଜିଗଲାଣି । ତା’ର ଠିଆ ହେବାର ଭଙ୍ଗୀ, ଚାହାଣୀ, ଚାଲି ଆଦି ସବୁଥିରେ ଗାମ୍ଭୀର୍ଯ୍ୟ ଭରି ରହିଛି । ମୁଁ ଯେମିତି ତା’ ଆଡ଼ିକି ଚାହିଁ ଦେଇଛି ସେ ପୁଅକୁ ଧରି ବି ଦି’ ହାତଯୋଡ଼ି ନମସ୍କାର ହେଲା ।

 

ଘର ଭିତରକୁ ପଶି ଆସିଲାବେଳେ ଦାଣ୍ଡଦୁଆରେ ମରା ହୋଇଥିବା ନାଁ ପ୍ଲେଟ୍ ଉପରେ ମୋ ଆଖି ପଡ଼ିଗଲା । ଲେଖାଥିଲା–ଶ୍ରୀ ନଟବର ପ୍ରଧାନ । ଭଦ୍ରଲୋକଙ୍କ ନାଁ’ଟା ପଚାରିବାକୁ ମୁଁ ଭୁଲିଯାଇଥିଲି । ନାଁଟାକୁ ପଢ଼ିସାରି ଗୋଟେ ଅଡ଼ୁଆରୁ ଅନ୍ତତଃ ରକ୍ଷା ପାଇଗଲି ।

 

ଦାଣ୍ଡଘରେ ଦି’ ତିନିଖଣ୍ଡ ଚଉକି ଓ ଟେବୁଲ ଖଣ୍ଡେ ପଡ଼ିଥିଲା । ନଟବାବୁ ମତେ ଗୋଟିଏ ଚଉକିରେ ବସିବାକୁ ଇଙ୍ଗିତ ଦେଇ ଆପେ ଆଉ ଗୋଟିକରେ ବସୁ ବସୁ ପୁଣି ଉଠିଗଲେ-। ଘରଆଡ଼େ ଚାଲିଲେ । ରମାକୁ ଅଳ୍ପ ଟିକିଏ ଡାକିନେଇ କ’ଣ ପଚାରିଲେ । ରମା ବି ଫୁସ୍‌ଫୁସ୍ କରି କ’ଣ ତାଙ୍କ କାନ ପାଖରେ କହିଲା । ମୁଁ ଶୁଣିପାରିଲିନି ।

 

ରମା ଓ ମତେ ଏକାକୀ କଥା ହେବାକୁ ଛାଡ଼ିଦେଇ ନଟବାବୁ ଚାଲିଲେ; ଚଟି ଗଳେଇ ଓ ଲୁଙ୍ଗି ଖଣ୍ଡେ ପିନ୍ଧି । ଦିହରେ କେବଳ ଗୋଟିଏ ହାପ୍‌ସାର୍ଟ । ସେ ଯେ ଏଇ ନିକଟକୁ କାହିଁକି ଯାଉଛନ୍ତି, ଏ କଥା ବେଶ୍ ଜଣାପଡ଼ୁଥିଲା । ସେଥିପାଇଁ ମୁଁ ତାଙ୍କୁ ଆଉ କିଛି ପଚାରିଲିନି । ଗଲାବେଳେ ସେ କହିଦେଇ ଗଲେ–ଏଇ ମିନିଟ୍‌କ ଭିତରେ ଆସୁଛି ।

 

ରମାକୁ ଚାହିଁବା ପରିବର୍ତ୍ତେ ମୁଁ ଲକ୍ଷ୍ୟ କରୁଥିଲି–ତା’ ପିଲାଟି ଆଡ଼େ । ଛୁଆଟି ଠକ୍ ରମା ଭଳି । ବାପ ଚେହେରାର ନାଁ ଗନ୍ଧ ତା’ ପାଖରେ ନାହିଁ । ରମା ଭଳି ସଫେଇତ୍ ଗୋରା ଓ ତା’ରି ଭଳି କୁଞ୍ଚୁକୁଞ୍ଚିଆ ବାଳ । ଖଣ୍ଡା ନାକ ଆଉ ଉନ୍ନତ କପାଳ । ପୁଅର ଚେହେରା ସାଙ୍ଗେ ମୁଁ ରମାର ପିଲାଦିନର ଚେହେରାକୁ ଅବା ତଉଲ କରୁଥିଲି ।

 

ମୁଁ ଯେ ପିଲାଟି ଆଡ଼ିକି ଏକଲୟରେ ଚାହିଁ ରହିଛି, ରମା ସେ କଥା ବୋଧେ ଜାଣିପାରିଲା । କହିଲା ମାମୁଁଙ୍କ ପାଖକୁ ଯା ।

 

ମୁଁ ବି ହାତ ବଢ଼େଇ ଦେଲି ।

 

ପିଲାଟି ସାଙ୍ଗେ ସାଙ୍ଗେ ମୋ ହାତକୁ ଡେଇଁପଡ଼ିଲା । ଛୁଆଟିର ଚିହ୍ନା ଅଚିହ୍ନା ନ ଥିଲା ।

 

ରମା ଓଠକଣରେ ହସ ଫୁଟେଇ ପଚାରିଲା–ଆପଣ ଏଠିକି କେମିତି ଆସିଲେ ?

 

ବୁଲି ଆସିଛି ।

 

ଅଛନ୍ତି କୋଉଠି ?

 

ତୁମରି ଘରେ ।

 

ଆମ ଘରେ ?

 

ବୁଲି ମା’ ଯୋଉଠି ଅଛି ।

 

ସେଠିକି କେମିତି ଗଲେ ?

 

ପ୍ରଥମେ ଧର୍ମଶାଳାରେ ଥିଲି । ବୁଲି ମା’ ବାଟରେ ଦେଖି ମୋତେ ଚିହ୍ନିଲା ଆଉ ସେଠିକି ଡାକିନେଲା ।

 

ସତେ ? କାଇଁ ବୁଲି ମା’ ଦି’ ତିନି ଦିନ ତଳେ ଏଠିକି ଆସିଥିଲା, କିଛି ତ କାଇଁ କହିନି-?

 

କହିବା ଦରକାର ନାଇଁ ବୋଧେ ଭାବିଥିବ ।

 

ବୋଧେ । ଆପଣଙ୍କ ପିଲାପିଲି କେତୋଟି ?

 

ତିନୋଟି । ତୋର ?

 

ଦି’ଟି ।

 

ଆଉ ଗୋଟିଏ ପୁଅ ନା ଝିଅ ? ଯାଇଛି କୁଆଡ଼େ ?

 

ପୁଅ । ସ୍କୁଲ ଚାଲିଗଲାଣି ।

 

ସତେ । ଦେଖିଥାଆନ୍ତି–

 

ଆପଣ ସକାଳୁ ଇଆଡ଼େ କୁଆଡ଼େ ଯାଇଥିଲେ ?

 

ସମୁଦ୍ରକୂଳ ଆଡ଼େ । ଆଉ ଗୋଟେ ଯୋଡ଼େ ଦିନ ବିତେଇ କଟକ ଫେରିଯିବି । ହାତରେ ଧରିଥିବା ପୁଅଟିକି ତା’ ନା ପଚାରିଲି ।

 

ପୁଅଟା ଲାଜେରା ହେଲା । କହିଲନି ।

 

ରମା କହିଲା–ନାଁ ତା’ର ଅଜୟ । କହିଦେଇ ସେ ଫେଁକରି ହସିଉଠିଲା । କହିଲା–ମାମୁଁଙ୍କର ନାଁ ଯାହା, ଭଣଜାର ବି ସେଇଆ ।

 

ପଚାରିଲି–ନାଁ ତତେ କିଏ ଦେଇଛି । ବାପା ନା ବୋଉ ? ଛୁଆଟିକି ପ୍ରଶ୍ନ କଲାବେଳେ ମୁଁ ରମା ଆଡ଼ିକି ଲକ୍ଷ୍ୟ କଲି ।

 

ରମା ମୁହଁର ରଙ୍ଗ ସେତେବେଳେ ଅବା ସମ୍ପୂର୍ଣ୍ଣ ବଦଳିଗଲା । ମୋ ଆଖିକି ସେ ଆଉ ପିଲାଛୁଆର ମା’ଭଳି ଦେଖାଗଲାନି । ବୟସର ବ୍ୟବଧାନ ତା’ ମୁହଁରେ ମୁଁ ଆଉ ଲକ୍ଷ୍ୟ କଲିନି । ଚଉଦ ପନ୍ଦର ବର୍ଷର ରମା ଭଳି ମୋ ଆଖିକି ସେ ଦେଖାଗଲା । ଆଗଭଳି ସେଇ ଗହଳିଆ ଭ୍ରୂଲତା ଆଉ କପାଳ ଉପରେ ଝୁଲିପଡ଼ିଥିବା ଚୂନାବାଳ । ରମା ତଳକୁ ଆଖି ପୋତି ମୁରୁକି ମୁରୁକି କେବଳ ହସୁଥିଲା ଓ ସେଇ ହସ ଭିତରୁ ଧୀରେ ଧୀରେ ବାହାରି ଆସୁଥିଲା ପିଲାବେଳର ରମା ।

 

ପିଲାଟି ମା’ ପାଖକୁ ଯିବାକୁ ଛଟପଟ ହେଲା । ରମା ହାତକୁ ଦେଇ ଦେଇ ମୁଁ ଆଗ ଭଳି ଚଉକିଟାରେ ବସିରହିଲି ।

 

ବାହାରୁ ଚଟି ଘୋଷାରି ଘୋଷାରି ଚାଲିଆସିଲେ ନଟବାବୁ । ହାତରେ ତାଙ୍କର ଗୋଟିଏ ମସ୍ତବଡ଼ ଠୁଙ୍ଗା । ମୋ ଆଡ଼ିକି ନ ଚାହିଁ ସେ ଘର ଭିତରକୁ ପଶିଗଲେ ।

 

ଏ ସବୁ ଯେ ମୋ ପାଇଁକି ବନ୍ଦୋବସ୍ତ ହଉଚି, ଏ କଥା ବୁଝିବାକୁ ଆଉ ବାକି ରହିଲାନି-

 

ନଟବାବୁ ଆସିବାରୁ ପିଲାଟାକୁ ବାପା ପାଖରେ ଛାଡ଼ିଦେଇ ରମା ଘର ଭିତରକୁ ଚାଲିଗଲା ।

 

ତା’ ପରେ ନଟବାବୁଙ୍କର ମୋର ପଡ଼ିଲା ଆଳାପ ଆଲୋଚନା । ଅଫିସ କଥାବାର୍ତ୍ତା, ଆମ କଟକ ଘର କଥା ଆଦି କେତେ କ’ଣ । ନଟବାବୁଙ୍କୁ ମୁଁ ମୋର ଅଫିସ ଠିକଣା ଦେଲି । ସେ ବି ମତେ ଦେଲେ । ଅଳ୍ପ କେଇ ମିନିଟ୍ ଭିତରେ ଆମେ ଦୁହେଁ ବନ୍ଧୁ ହୋଇଗଲୁ । ନଟବାବୁ ବି ବେଶ୍ ମେଳାପୀ ଲୋକ । ବଡ଼ ଭଦ୍ର ଓ ମିଷ୍ଟାଳାପୀ । ରମା ବୋଧେ ମୋ ବିଷୟରେ ତାଙ୍କୁ କହିଥିଲା ।

 

ମୁହୂର୍ତ୍ତକ ଭିତରେ ରମା ଗୋଟିଏ ଥାଳିଆରେ ଜଳଖିଆ ଓ ଚା’ ଆଣି ଦେଲା । ମନା କରିବାକୁ ମୋର ବାଟ ନ ଥିଲା । ନଟବାବୁ, ମୁଁ ଓ ସେ ଛୁଆ ଅଜୟ ଆମେ ତିନିହେଁ ଖାଇ ବସିଲୁ-। ଅଳ୍ପ ଆଲେଚନା ବି ଚାଲିଥାଏ । ସେମାନଙ୍କୁ ମୁଁ କଟକ ଆସିବାକୁ ନିମନ୍ତ୍ରଣ କଲି ।

 

ନଟବାବୁ କହିଲେ–ମାସେ ଦେଢ଼ମାସ ପରେ ତାଙ୍କର କଟକ ଯିବାର ଅଛି । ଯଦି ହୁଏ ଆମେ ସମସ୍ତେ ଯିବୁ ।

 

ତାଙ୍କ ଘରେ ଜଳଖିଆଟା ସାରି ଦେଇ ମୁଁ ଘରଆଡ଼େ ଫେରିଲି । ପହଞ୍ଚିଲା ବେଳକୁ ଏଗାରଟା ।

 

ସତକୁ ସତ ମୁଁ ଘରେ ଆସି ପହଞ୍ଚିଲାବେଳକୁ ବଳିଆର ସିଂଙ୍କୁ ଦେଖିବାକୁ ପାଇଲି । କେବେହେଲେ ତାଙ୍କୁ ଦେଖି ନ ଥିଲି । ବୁଲି ମା’ଠୁ ତାଙ୍କ ବିଷୟରେ ଯାହା କିଛି ଶୁଣିଥିଲି, ସେତିକି-। ମୁଁ ପହଞ୍ଚିଲା ମାତ୍ରେ ବୁଲି ମା’ ମୋତେ ଚିହ୍ନେଇ ଦେଲା । ସାଙ୍ଗେ ସାଙ୍ଗେ ମୁଁ ନମସ୍କାର ହେଲି-। ସେତେବେଳେ ସେ ଝାଡ଼ାଯିବାକୁ ଗାମୁଛା ବଦଳୁଥିଲେ । ମତେ କହିଲେ, ମୁଁ ଆସେ । ତା’ପରେ ସେ ପକେଟରୁ ବିଡ଼ି ବଣ୍ଡିଲ କାଢ଼ି ଖଣ୍ଡକରେ ନିଆଁ ଧରେଇଲେ । ଦି’ ଚାରିପୂଳା ଟାଣି ପେଟ ବାଡ଼େଇଲା ବେଳେ ମୁଁ କହିଲି–ବର୍ତ୍ତମାନ ମୁଁ ରମା ଘରୁ ଆସୁଛି ।

 

ବଳିଆର ସିଂ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ତୁମେ ମୋ ଘର କେମିତି ଚିହ୍ନିଲ ?

 

ସେଇ ବାଟଦେଇ ଆସୁଥିଲାବେଳେ ନଟବାବୁଙ୍କ ହାତରେ ସେ ଡାକି ପଠେଇଲା । କାଇଁ, ଆପଣ ଆସିବା କଥା ତ ସେମାନେ ଜାଣିନାହାନ୍ତି ?

 

ମୁଁ ତ ବର୍ତ୍ତମାନ ଗାଡ଼ିରୁ ଆସୁଛି । ଉପରଓଳା ଆଡ଼ିକି ତାଙ୍କ ଘରଆଡ଼େ ଯିବି । କୋଉଠି ଅଛନ୍ତି ମୁଁ କ’ଣ ହେଲେ ଜାଣିଲିଣି ?

 

ବୁଲି ମା’ ବି ମୁଁ ଯିବା କଥା ଶୁଣି ଆଶ୍ଚର୍ଯ୍ୟ ହେଲା । କହିଲା–ମୁଁ ଯାଇ ଦେଖେଇ ଦେବି-

 

ତୋର ଆସିବା କଥା ରମା ମୋ ଆଗରେ କହୁଥିଲା ।

 

ବଳିଆର ସିଂ ପଚାରିଲେ–ତମର ବାପା ଅଛନ୍ତି ତ ?

 

ନା, ମରିଗଲେଣି ।

 

ସତେ ? କାଇଁ ଆମେ ଜାଣିପାରିଲୁନି ?

 

କିଛି ନ କହି ମୁଁ ତୁନି ରହିଲି ।

 

ତାଙ୍କ ପାଖକୁ ଦି’ ତିନିଖଣ୍ଡ ଚିଠି ଦେଇଥିଲା । ମୋର ଉତ୍ତର ବି ସେ ଦେଇ ନ ଥିଲେ; କିନ୍ତୁ ରମା ଆଉ ତା’ ବୋଉ ସଦାବେଳେ ତୁମ ଘର ବିଷୟରେ କଥା ହୁଅନ୍ତି । ତୁମକୁ ଦେଖିବି ଦେଖିବି ବୋଲି ଭାବୁଥିଲି । ଯୋଗକୁ ଦେଖା ହୋଇଗଲା । ବେଶ୍ ଭଲ ହେଲା । ଏଠିକି କ’ଣ ବୁଲାବୁଲି କରିବାକୁ ଆସିଛ ? ପିଲାମାନଙ୍କୁ ନେଇ ଆସିଲନି ? ଜଗନ୍ନାଥ ଦର୍ଶନ କରି ଯାଇଥାଆନ୍ତେ ।

 

ମୁଁ କହିଲି–ପରେ ଆସିବେ ।

 

ଆଚ୍ଛା ! ମୋ ଆଡ଼ିକି ଥରୁଟିଏ ଆଖି ପକେଇ ଦେଇ ବଳିଆର ସିଂ ବାରିଆଡ଼ ପାଇଖାନା ଆଡ଼େ ବାହାରିଲେ । ବୁଲି ମା’ ପାଣି ନାଳେ ନେଇ ତାଙ୍କ ହାତରେ ଦେଇ ଦେଲା । ବିଡ଼ି ଟାଣି ଟାଣି ବଳିଆର ସିଂ ଚାଲିଗଲେ ।

 

ବଳିଆର ସିଂଙ୍କ ବୟସ ସତୁରି ପାଖାପାଖି ହେବ । ଦି’ ପଟେ ହଳେ ବାଘୁଆ ନିଶ । ମୁଣ୍ଡର ବାଳ ସାଙ୍ଗେ ସେଗୁଡ଼ିକ ଧଳା ହୋଇଗଲାଣି । କଳା ବାଳର ଚିହ୍ନବର୍ଣ୍ଣ ନାହିଁ, କିନ୍ତୁ ଦେଖିବାକୁ ସେ ବିରାଟ ମଜଭୁତ ମଣିଷ । ଚଉଡ଼ା କାନ୍ଧ । ନାକଟା ଠିକ୍ ଖଣ୍ଡାଧାର ଭଳି । ସତୁରୀ ଅସି ହେଲେ ବି ଅଣ୍ଟା ତାଙ୍କର ନଇଁନି କି ଦାନ୍ତ ପଡ଼ିନି । ଏ ଯାଏଁ ଆଖିକି ଜାଲଜାଲୁଆ ଦେଖା ଯାଇନି । ଏତିକି କେବଳ ହୋଇଛି ସେ ଆଗ ସେ ଯାହାସବୁ ଖାଇ ପାରକରି ଦେଉଥିଲେ, ସେ ସବୁ ଏବେ ପେଟେରେ ଯାଉନି । ଗଲା କେତେ ବର୍ଷ ହେଲା, ଅଫିମ, ଚାହା ଓ ବିଡ଼ିର ଅଭ୍ୟାସ ତାଙ୍କର ବଢ଼ିଯାଇଛି । ଭେଣ୍ଡିଆ ବେଳେ ସେ ସବୁ ନ ଥିଲା ।

 

ବୁଲି ମା’ କି ଅନୁ କେହି ହେଲେ କିଛି ମତେ ପଚାରି ନାହାନ୍ତି । ଅନୁ ରୋଷେଇବାସରେ ବ୍ୟସ୍ତ ଥାଏ । ବୁଲିମା’ କାନ୍ଥକୁ ଆଉଜି କେବଳ ଚୁପ୍‌ଟି ହୋଇ ବସିଥାଏ । ମତେ ତାକୁ ଦେଖିଦେଇ କେମିତି ଖରାପ ଲାଗିଲା । ନଟବାବୁ ଯାହା କହୁଥିଲେ–ଘରଟା ବିକ୍ରି ହେବ ବୋଲି, ବଳିଆର ସିଂ କ’ଣ ସେଇ ବିଷୟରେ ଆସିଛନ୍ତି କି ?

 

ତା' ସାଙ୍ଗେ ସାଙ୍ଗେ ମୋର ମନେପଡ଼ିଲା–ବଳିଆର ସିଂଙ୍କ ଯୁବକ ବେଳର କଥା । ତାଙ୍କର ପରାକ୍ରମ ଓ ଦୌରତ୍ମ୍ୟ । ବୁଲିମା’ ସାଙ୍ଗେ ତାଙ୍କର ସର୍ମ୍ପକ ବି ଗୋଟି ଗୋଟି ହୋଇ ମୋ ଆଖି ଆଗରେ ନାଚିଲା ।

 

ତା’ ସହିତ ମୁଁ ଭାବିବାକୁ ଲାଗିଲି–ବଳିଆର ସିଂ ଯେବେ ଘର ବିକ୍ରି କରିଦିଅନ୍ତି, ଏମାନେ ଆଉ ରହିବେ କୋଉଠି ? ବଳିଆର ସିଂ ଘରର ସେ ଆଗ ଅବସ୍ଥା ତ ନାହିଁ ? ଦି’ଦିଟା ମାଇପିଙ୍କି ସେ ପୋଷିବେ ଅବା କେମିତି ? ମୋର ବେଶୀ ଦୁଃଖ ହେଲା ଅନୁ ପାଇଁ । ବୁଲି ମା’ ଯାହା ଘରକୁ ଯିବ ତା’ ଘରେ କାମ ପାଇଟି କରି, ପାଣି ଆଣି, ପିଲା କାଖେଇ କି ବୋଲହାକ କରି ବର୍ଷ କେଇଟା ବିତେଇ ଦେଲେ ସଂସାରରୁ ବିଦାୟ ନେବ, କିନ୍ତୁ ଅନୁ ବିଚାରାଟି ଯିବ କୁଆଡ଼େ ? ସେ ତ ଜୀବନରେ ପାଦ ଦେବାକୁ ନାହିଁ । ଲମ୍ବା ସମୟ ତା’ର ପଡ଼ିରହିଛି । ତା’ର ପୂରିଲା ଦିହ ଓ କଞ୍ଚା ବୟସ ଧରି ସେ ଯୁଆଡ଼ିକି ଯିବ ସିଆଡ଼େ ବିପଦ । ଏମିତି ନାନାଆଡ଼ୁ ନାନାକଥା ଭାବି ମୁଁ ଦାଣ୍ଡଦୁଆର ଆଡ଼େ ବାହାରିଗଲି । ନଟବାବୁଙ୍କ ଘରେ ପେଟେ ହବ ଜଳଖିଆ ଖାଇଥିଲି । ଭୋକ ନ ଥିଲା । ଭାବିଥିଲି–ପୁରୀକି ଆସି ଭଲରେ ଭଲରେ ଫେରିଯିବି; କିନ୍ତୁ ଗଲାବେଳକୁ ସେମାନଙ୍କର ଏସବୁ ଅବସ୍ଥା କଥା ଶୁଣି ମତେ ଭାରି ଖରାପ ଲାଗିଲା ।

 

ଦାଣ୍ଡଦୁଆରେ ମୁଁ ଏପଟ ସେପଟ ହେଉଛି, ଅନୁ ଆସି କହିଲା–ସକାଳୁ ଚା’ କି ଜଳଖିଆ କିଛି ହେଲେ ଖାଇନାହାନ୍ତି । ଗାଧେଇବେ ଯାଅନ୍ତୁ । ଭାତଗୁଡ଼ାକ ଥଣ୍ଡା ହୋଇଯିବ ।

 

ମୁଁ କହିଲି–ବଳିଆର ସିଂ ଆସିଯାଆନ୍ତୁ ।

 

ବୁଲି ମା’ କହିଲା–ସିଏ କ’ଣ ଏଇନେ ସହଜେ ଆସିବେ ? ଓଳିଏ କାଳ ସେ ପାଇଖାନା ଯାଆନ୍ତି ଗାଧୁଆ ପାଧୁଆ ସରିଲାବେଳକୁ ଘଣ୍ଟେ । ଖାଇ ସାରି ଉଠିଲାବେଳକୁ ଛାଇନେଉଟା । ଆପଣଙ୍କ କଥା ଆପଣ କରୁନାହାନ୍ତି ? ତାଙ୍କୁ ଅନେଇଥିଲେ ଅନେଇଥିବେ । ତାଙ୍କର ରାଜନୀତି କାରଖାନା ।

 

ଅନୁ ଆଉ ବୁଲି ମା’ ମୁଁ ଦୁହିଁଙ୍କଠୁ ଏ ସବୁ ଶୁଣିଲି; କିନ୍ତୁ ସେମାନଙ୍କ କଥାରେ ମୋଟେ ହେଲେ ସରସତା ନ ଥିଲା । ତାଙ୍କ ମନରେ ଯେ ସୁଖ ନାହିଁ ଏ କଥା ସେ ନ କହିଲେ ବି ଜଣାପଡ଼ୁଥିଲା । କଥା ମାନି ସଙ୍ଗେ ସାଙ୍ଗେ ମୁଁ ଗାଧେଇବାକୁ ଗଲି । ସେମାନଙ୍କ ମନରେ ଆଉ ବେଶି କଷ୍ଟ ଦେବା ମୋର ଇଚ୍ଛା ନ ଥିଲା । ସାଙ୍ଗେ ସାଙ୍ଗେ ମୋ ଲୁଗା ବଦଳିଲି ଓ ତେଲ ଲଗେଇ ଗାଧେଇବାକୁ ବାହାରି ପଡ଼ିଲି । ସବୁ କିଛି କାମ ଯନ୍ତ୍ରଚାଳିତ ଭଳି କରି ଯାଉଥିଲେ ବି ମନ ମୋର ଲାଖି ରହିଥିଲା, ଅନୁ ପାଖରେ । ତା’ର ଭବିଷ୍ୟତ ସମ୍ବନ୍ଧରେ ଭାବି ଭାବି ମୁଁ ବେଦମ୍ ହୋଇପଡ଼ିଲି-। କିଛି ହେଲେ ଠିକ୍ କରିପାରିଲିନି । ଗାଧୁଆ ପାଧୁଆ ସାରି ଖାଇବସିଲି । ମୋର ଖିଆ ବି ସରିଗଲା, କିନ୍ତୁ ବଳିୟାର ସିଂ ପାଇଖାନାରୁ ଆସି ନ ଥାଆନ୍ତି । ମୁଁ ବି ମନେ ମନେ କିଛି ଗୋଟେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚିପାରି ନ ଥାଏ । ଆକାଶ ପାତାଳ କେତେ କ’ଣ ଭାବୁଥାଏ ।

 

ବଳିୟାର ସିଂ ପାଇଖାନାରୁ ଆସି ଗାଧେଇବାକୁ ଯାଉଛନ୍ତି ଓ ମୁଁ ମୋ ବଖରାଟିରେ ଅଳ୍ପ ବିଶ୍ରାମ ନେଉଛି, ଏତିକିବେଳେ ଦି’ଚାରିଜଣ ଭଦ୍ର ଲୋକ ଘର ଭିତରକୁ ପଶିଆସିଲେ । ସମସ୍ତେ ବଳିୟାର ସିଂଙ୍କୁ ନମସ୍କାର ହେଲେ । କିନ୍ତୁ ବଳିୟାର ସିଂଙ୍କ ହାବଭାବରୁ ଜଣାପଡ଼ିଲା ସେ ଯେପରି ଏ ନମସ୍କାରର ହକ୍‌ଦାର ନୁହନ୍ତି । ତା’ପରେ ସେମାନେ ଘରର ଚାରିଆଡ଼ ବୁଲାବୁଲି କରି ଦେଖିଲେ । ବାରିଆଡ଼, ପାଇଖାନା, ରୋଷେଇ ଘର, ନଳା ଆଉ ଛାତ ଉପର । ସେମାନେ ବୁଲାଚଲା କରି ଏ ସବୁ ଦେଖୁଥିଲା ବେଳେ ମୁଁ ଭାବିନେଲି–ଏଇମାନେ ବୋଧେ ଘର କିଣିବେ ?

 

କିନ୍ତୁ ଏମାନେ ସବୁ କିଏସେ ? ୟା’ଙ୍କର ଘର କୋଉଠ ? ଘରଟା କେତେ ଟଙ୍କାରେ ଛିଣ୍ଡିଛି ? ବଳିୟାର ସିଂଙ୍କର କାହିଁକି ଯେ ଏତେ ଟଙ୍କା ଦରକାର ? ଏ ସବୁ ପ୍ରଶ୍ନ ଗୋଟି ଗୋଟି ହୋଇ ମୋ ମନରେ ଖାଲି ଧକ୍‌କା ଖାଉଥିଲା ।

 

ତା ସହିତ ମୁଁ ଭାବୁଥିଲି–ଟଙ୍କା ଯେବେ ମୋ ପାଖରେ ଥାଆନ୍ତା, ତା’ହେଲେ ଘରଟାକୁ ମୁଁ କିଣି ନିଅନ୍ତି, କିନ୍ତୁ ଏତେଗୁଡ଼େ ଟଙ୍କା ଏତେ ଶୀଘ୍ର ମୁଁ ପାଇବି କୁଆଡ଼ୁ ?

 

ବଳିୟାର ସିଂ ଗାଧେଇଲାବେଳେ ବୁଲି ମା’ଠୁଁ ବୁଝିଲି ଯେ–ଯୋଉ ଲୋକମାନେ ଘର ଦେଖି ଆସିଥିଲେ, ସେମାନେ ସମସ୍ତେ ମିଶ୍ରବାବୁଙ୍କ ଘର । ମିଶ୍ରବାବୁ ସେ ଘରଟାକୁ ଖରିଦ କରୁଛିନ୍ତି । ଟଙ୍କା ପଇସା ଦବା ନବା ତାଙ୍କ ଭିତରେ ଠିକ୍ ହୋଇଯାଇଛି । କବଲାଟା କେବଳ ବାକି ଅଛି । ବଳିୟାର ସିଂ ଆସିଛନ୍ତି ସେତକ କରିଦେଇ ଚାଲିଯିବେ ।

 

ବୁଲି ମା’ବଡ଼ ବ୍ୟସ୍ତ ହୋଇ କହୁଥିଲା–ଏତେ ସବୁ କାଣ୍ଡ ହୋଇଗଲାଣି; ଅଥଚ ମୁଁ ସେ ବିଷୟରେ କିଛିହେଲେ ଜାଣିପାରିଲିନି । ଯୋଉଦିନ ରମା ଘରକୁ ଯାଇଥିଲି, ସେଦିନ ଏ ବିଷୟ ଶୁଣିବାକୁ ପାଇଲି । ବଳିୟାର ସିଂ ବି ଏତେ ସମୟ ହେଲା ଆସିଲେଣି, ଘର କିଣିବା ଲୋକ ଘରଦ୍ଵାର ଦେଖି ଚାଲିଗଲେଣି, ଦରଦାମ ଛିଣ୍ଡିଲାଣି; ଅଥଚ ଏଯାଏ ସେ ମତେ କହିବାକୁ ନାହାନ୍ତି-। ଆଗୁଆ ମୁଁ ଏ ବିଷୟରେ କିଛି ଖବର ପାଇଥିଲେ କିଛିହେଲେ ବନ୍ଦୋବସ୍ତ କରିଥାଆନ୍ତି-। ଏତେ ଶୀଘ୍ର ମୁଁ କରିବି କ’ଣ ? ଯିବି ଅବା କୁଆଡ଼େ ? ବଳିୟାରସିଂଙ୍କର ଏ ସବୁ ଗୋତ୍ରମାରୁ କଥା-। ବୋଧହୁଏ ଭାବିଥିବେ–ଆମ ମା’ ଝିଅ ଦୁହିଁଙ୍କି ଗାଁକୁ ନେଇଯିବେ । କିନ୍ତୁ ମୁଁ ଠିକ୍ କରିଛି–ତାଙ୍କ ସାଙ୍ଗରେ ଯିବିନି । ଝିଅକୁ ନେଇ ମୁଁ ଯିବି କୁଆଡ଼େ ! ମିଶ୍ରବାବୁ ଏ ଘର କିଣିସାରିଲା ପରେ ଆମକୁ ଯେ କୌଣସିମତେ ଏଠୁ ବାହାର କରିଦେବେ । ତା’ଛଡ଼ା ତାଙ୍କର ଯେଉଁ ପ୍ରକୃତି, ଝିଅକୁ ଧରି ମୁଁ ଏଠାରେ ରହିପାରିବିନି ।

 

ମୁଁ ପଚାରିଲି–ଯିବୁ ଆଉ କୁଆଡ଼େ ?

 

କୁଆଡ଼େ ଆଉ ଯିବି–ଏତିକି କହି ବୁଲି ମା’ ଖାଲି କାନ୍ଦିଲାଗିଲା । ହେଙ୍କା ଲଗେଇ କାନ୍ଦିଲେ କାଳେ ବଳିୟାର ସିଂ ଜାଣିବେ, ସେଥିପାଇଁ ସେ ବରାବର ତା’ କାନ୍ଦକୁ ଚପେଇ ରଖିବାକୁ ଚେଷ୍ଟା କରୁଥାଏ । ଦି’ ଆଖିରୁ ଅବିରାମ ଗତିରେ ଗଳଗଳ ଲୁହ ଗଡ଼ିଆସୁଥାଏ ଧାରା ଶ୍ରାବଣ ଭଳି-

 

ବଳିୟାର ସିଂଙ୍କର ଖିଆପିଆ ସରିଲାଯାଏ ମୁଁ ଅପେକ୍ଷା କଲି । କାହା ସାଙ୍ଗେ ସେ ବେଶି କଥା ହେଉ ନ ଥାନ୍ତି । କାଠାରୁ ଖଣ୍ଡେ ଖଣ୍ଡେ ବିଡ଼ି ବାହାର କରି ସେ ଅନବରତ ଧୂଆଁ ଛାଡ଼ିବାରେ ଲାଗିଥାଆନ୍ତି । ବୁଲି ମା’ ଦୂରେଇ ରହୁଥାଏ । ଅନୁ ଥାଏ ରୋଷେଇ ଘରେ । କାମଦାମ ସାରିଦେଇ ସେ ତୁନିତାନିଟି ହୋଇ କେବଳ ବସିଥାଏ ।

 

ମତେ ବେଶି ସମୟ ସେଠି ଆଉ ରହିବାକୁ ଭଲ ଲାଗିଲାନି । ସେତେବେଳକୁ ସାଢ଼େ ତିନି ବାଜିଲାଣି । ସାର୍ଟ ଗଳେଇ ବାହାରକୁ ବାହାରିଲି । ଗଲାବେଳେ ବଳିୟାର ସିଂ କହିଲେ, ରୁହ ରୁହ, ରମା ଘରକୁ ସାଙ୍ଗହୋଇ ଯିବା । ମୁଁ କହିଲି–ମୋର ଅନ୍ୟଆଡ଼େ କାମ ଅଛି, ମୁଁ ଯାଉଛି । ଆପଣ ଯାଆନ୍ତୁ । ମୁଁ ଯାଇ ସେଠି ପହଞ୍ଚିବି ।

 

ପ୍ରକୃତରେ ରମା ଘରକୁ ଯିବାକୁ ମୋର ଆଉ ଇଚ୍ଛା ନ ଥିଲା । ସକାଳେ ଯାଇଥିଲି । ଆଉ ଥରେ ପୁଣି କାହିଁକି ଯିବି ? ଯେତେ ଗାଢ଼ ସମ୍ପର୍କ ଥିଲେ ବି ସଦାବେଳେ ଯିଏ ଗୋଟିଏ ଜାଗାକୁ ଯା’ ଆସ କରେ, ତା’ର ଆଦର ସେଠି ଆସ୍ତେ ଆସ୍ତେ କମିଆସେ ।

 

ଖାଲି ଆଦର କମିଯିବ ବୋଲି ଯେ ମୁଁ ଯାଉ ନ ଥିଲି, ଏମିତି ନୁହେଁ । ବଳିୟାର ସିଂ ଗଲେ ତାଙ୍କ ଝିଅ ଜୋଇଁଙ୍କ ସଙ୍ଗେ ସେ ଘର କଥା କଥାବାର୍ତ୍ତା ହେବେ । ବୋଧେ ଘର ବିକିବା ବିଷୟ । ମୁଁ ଅବା ସେଥିରେ କାହିଁକି ଭାଗିଦତ୍ତ ହେବି ? ପୁରୀକି କେବଳ ବୁଲି ଆସିଥିଲି । ଏସବୁ ବିଷୟରେ ଏତେ ପରିମାଣରେ ଜଡ଼ିତ ହେବା ଭଲ କଥା ନୁହେଁ । ନିଜର ସୀମା ଜଗି ସଦାବେଳେ ଚଳିବା ଉଚିତ । ଯେତେ ସମ୍ପର୍କ ଓ ଯେତେ ଘନିଷ୍ଠତା ଥିଲେ ବି କେବେହେଲେ ସୀମା ଟପିବା ଉଚିତ ନୁହେଁ ।

 

ଗଲାବେଳେ ମୁଁ ବୁଲି ମା’କୁ ଦାଣ୍ଡଦୁଆରକୁ ଡାକିଲି । ତାକୁ ଆସ୍ତେ ଆସ୍ତେ ପଚାରିଲି–ଗୋଲଖ କୋଉଠି ରହେ କି ?

 

କାହିଁକି ?

 

ଦରକାର ଅଛି ।

 

ତା’ର କ’ଣ କିଛି ଠିକଣା ଅଛି । କୁଆଡ଼େ ଯାଇ ବୁଲୁଥିବ ? କାଇଁ ତା’ର ତ ଆଉ ଦେଖା ନାହିଁ ?

 

ସେ ପରା କୋଉଠି ଭଡ଼ାଘର କରି ରହୁଛି ?

 

ହଁ । ବୁଲି ମା’ମତେ ଘରର ଠିକଣାଟା ବତେଇଦେଲା ।

 

ଦାଣ୍ଡଦୁଆର ପାହାଚ ଡେଇଁ ତଳକୁ ଗଲାବେଳେ ବୁଲି ମା’ ପୁଣି ପଚାରିଲା, ଗୋଲଖ ପାଖେ କି କାମ ଅଛି ?

 

ମୋର ଗୋଟିଏ ନିଜର କାମ । ଏତିକି କହିଦେଇ ମୁଁ ଆଗେଇ ଚାଲିଲି । ସେତେବେଳେ ମନ ଉପରେ ମୋର କେମିତି ଗୋଳମାଳିଆ ହୋଇଯାଇଥିଲା । ସେଇଦିନ ମୁଁ କଟକ ଫେରି ଯାଇଥାଆନ୍ତି; କିନ୍ତୁ ଅନୁ କଥା ମୋ ମୁଣ୍ଡ ଭିତରେ ପଶିଯାଇ ମତେ କେମିତି ଭାରି ଭାରି ଜଣାପଡ଼ୁଥିଲା । ଏମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଯିବାକୁ ମୋର ଇଚ୍ଛା ନ ଥିଲା । ଭାବୁଥିଲି–କିଛି ନା କିଛି ଗୋଟାଏ ବନ୍ଦୋବସ୍ତ କରିବି ।

 

ତଳକୁ ମୁଣ୍ଡ ପୋତି ପୋତି ମୁଁ ଚାଲିଲି ବଜାରଆଡ଼େ ।

 

ଖୋଜି ଖୋଜି ସନ୍ଧ୍ୟା ଆସି ହେଲା । ଅନେକ ଲୋକଙ୍କୁ ମତେ ପଚାରିବାକୁ ପଡ଼ିଲା; କିନ୍ତୁ ଗୋଲଖକୁ ଖୋଜି ବାହାର କରିପାରିଲିନି । ରାତି ସାଢ଼େ ସାତଟା କି ଆଠଟା ଆସି ହେବ, ତଥାପି ଖୋଜିବା କାମରୁ ମୁଁ ଓହରି ଯାଇ ନ ଥାଏ । ଗୋଟିଏ ଅଣଓସାରିଆ ଗଳି ଭିତରେ ମୁଁ ଏପଟ ସେପଟ ହେଉଛି, ୟାକୁ ତାକୁ ପଚାରୁଛି, ହଠାତ୍ ଜଣେ ଲୋକେ ମତେ ଗୋଲଖ ଘରର ସନ୍ଧାନ ଦେଲା । ଖାଲି କହିଦେଲା ନୁହେଁ, ସାଙ୍ଗରେ ଆସି ଘରଟା ବି ଦେଖେଇ ଦେଲା । ମନେ ମନେ ତାକୁ ଅଶେଷ ଧନ୍ୟବାଦ ଦେଇ ମୁଁ ସେ ଘରର ପିଣ୍ଡା ଉପରକୁ ଚଢ଼ିଗଲି ।

 

ଘରଟା ଖଣ୍ଡିଏ ଚାଳଘର । ହେଲେ ବାହାରଟା ବେଶ୍ ଚାକଚିକ୍‌କଣ । ଚାଳଟା ସିନା ନଡ଼ା ଛପର, ହେଲେ କାନ୍ଥବାଡ଼ ଇତ୍ୟାଦି ବେଶ୍ ଭଲ ବୋଲି ମନେ ହେଲା । ବାହାରପଟ ଘରର ଝରକାଟା ମେଲା ଥିଲା । ତା’ଭିତରେ ଆଲୁଅଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା । ମୁଁ ଦୁଆରେ ଯାଇ ଧକ୍‌କା ମାଇଲି ।

 

ଅନେକ ବେଳ ମୁଁ ଡାକିଲି । ଝିଂଜିରି ଖଡ଼୍‌ଖଡ୍ କରିବାକୁ ଗଲାବେଳେ ଦେଖିଲି–ଦୁଆରେ ଚାବି ଦିଆ ହୋଇଛି । ଗୋଲଖ ବୋଧେ ବାହାରକୁ ଯାଇଛି । ଆଲୁଅ ଜଳୁଥିବାରୁ ଅନୁମାନ କଲି–ଅଳ୍ପ ସମୟ ହେଲା ଯାଇଛି । ସାଙ୍ଗେ ସାଙ୍ଗେ ବୋଧେ ଫେରି ଆସିବ ।

 

ଅପେକ୍ଷା କରିବି ନା ଚାଲିଯାଇ ଆଉ କେତେବେଳେ ଆସିବି, ଏ କଥା ଭାବୁ ଭାବୁ ଝରକା ଦେଇ ମୁଁ ଘର ଭିତରକୁ ଲକ୍ଷ୍ୟ କଲି । ଦେଖିଲି ବାରିପଟ ଦୁଆରଟା ଠିଆମେଲା । ଲୁଗାପଟାଗୁଡ଼ାକ ତଳେ ଓ ଖଟ ଉପରେ ଅବେଇଛତର ହୋଇ ପଡ଼ିଛି । ଘରଯାକ ଓ ଟେବୁଲ ଉପରଯାକ ଖାଲି ସିଗାରେଟ୍ ଆଉ ଦିଆସିଲି ଖୋଳରେ ଭର୍ତ୍ତି । ଘରର ଗୋଟେ କଣକୁ କରି ଷ୍ଟୋଭଟେ ଥୁଆ ହେଇଛି । ତା’ପାଖରେ ଗୁଡ଼ିଏ ଟିଣଡ଼ବା, ଦି’ତିନି ହଳ କପ୍ ପିଆଲା । କାନ୍ଥଯାକ କାଲେଣ୍ଡରରେ ଭରା । ଶେଯ ଉପରେ ପତ୍ରପତ୍ରିକା ଗୁଡ଼େ ପଡ଼ିଛି ଓ ଉପରେ ଝୁଲୁଥିବା ମଶାରୀ ଗୋଟେ କଣକୁ କରି ଛିଣ୍ଡି ପଡ଼ିଛି ।

 

ଭାବିଲି–ଆଉ କେହି ଲୋକବାକ ନାହାନ୍ତି ବୋଲି ଗୋଲଖ ବିଚାରା ଫୁଲାଫାଙ୍କିଆ ହୋଇ ଚଳୁଛି । ବାପ ମା’ତ ନାହାନ୍ତି, ଘରଟିକି ତ ମିଶ୍ରଘର ଗିଳି ପକେଇଛନ୍ତି । ନିଜର ବୋଲି ତ ଗୋଲଖର କେହି ହେଲେ ନାହାନ୍ତି । ମିଶ୍ରଘର ଉପରେ କାହିଁକି ଅବା ତା’ର ରାଗ ନ ହେବ ? ମିଶ୍ରଘରର ଖିଆପିଆ ଦିନ ଯୋଉସବୁ କାଣ୍ଡ ଘଟିଲା, ସେ ଯେ ଗୋଲଖର କାଣ୍ଡ, ଏ କଥା ମୁଁ ନିଶ୍ଚିତରୂପେ ଜାଣିଥିଲି । ତଥାପି ତାକୁ ଦେଖି ଦୁଷ୍ଟ ପ୍ରକୃତିର ଲୋକ ବୋଲି ମୁଁ ଭାବୁ ନ ଥିଲି । ଗୋଲଖ ମନରେ ଭରିଥିବା ସଞ୍ଚିତ ରାଗ ଆଉ କେତେ କ’ଣ ସେ ଘଟେଇବ, ଏଥିରେ ମୋର ତିଳେ ହେଲେ ଅବିଶ୍ଵାସ ନ ଥିଲା । ଥୋଡ଼େ ଲୋକ ଅଛନ୍ତି, ନିଜର ଅବସ୍ଥାକୁ ସେମାନେ ଭାଗ୍ୟର ଫଳ ଓ ଭଗବାନଙ୍କ ଇଚ୍ଛା ବୋଲି ଧରି ନିଅନ୍ତି । ଯିଏ ତା’ର ସର୍ବନାଶ କରିଥାଏ, ତା’ଉପରେ ପ୍ରତିଶୋଧ ନେବା ପରିବର୍ତ୍ତେ ସେମାନେ ନିଜ ନିଜର ସତ୍ୟ ଉପରେ ଦୋଷ ଲଦି ସନ୍ତୋଷ ପାଆନ୍ତି । ଆଉ ଅନେକ ଲୋକ ଅଛନ୍ତି, ଯୋଉମାନେ ଅସଲ ଅପରାଧୀଟାକୁ ଖୋଜି ବୁଲନ୍ତି । ସେ ଯେତେ ବଡ଼ଲୋକ ହେଉ କି ଉଚ୍ଚ ଆସନରେ ଥାଉ, କିପରି ତା’ର ପ୍ରତିଶୋଧ ନେବେ, ସେଥିପାଇଁ ଜୀବନସାରା ଓର ଉଣ୍ଡୁଥାଆନ୍ତି । ବେଳ ପଡ଼ିଲେ ନିଜର ରାଗ ମେଣ୍ଟାଇବା ପାଇଁ ଦଂଶନ କରିବାକୁ ବି ଛାଡ଼ନ୍ତିନି । ଯିଏ ଶୁଣେ, ସେମାନଙ୍କୁ କହେ ଖରାପ ଲୋକ, ଦୁଷ୍ଟ ଲୋକ; କିନ୍ତୁ ହିସାବବେଳେ ଦେଖାଯିବ ମଣିଷ ଭିତରେ ଖଳପ୍ରକୃତି ନେଇ କିଏ ଜନ୍ମଲାଭ କରେ ନାହିଁ । କୋଉ ଜାଗାରେ ଠକେଇ ଥିଲେ, କାହାଦ୍ଵାରା ପ୍ରଚାରିତ ହେଇଥିଲେ କି ଅନ୍ୟାୟ ଉପାୟରେ କାହାର ସର୍ବନାଶ ଘଟିଥିଲେ କି କାହା ମନରେ ଆଘାତ ଲାଗିଥିଲେ ସେ ଖଳପ୍ରକୃତିର ହେବାକୁ ବାଧ୍ୟ ହୁଏ-। ଇଆ ବୋଲି ସେ ଖରାପ ଲୋକ ନୁହେଁ । ପରିସ୍ଥିତି ତାକୁ ସେମିତି କରେଇ ଥାଏ । ଗୋଲଖ ଆମର ସେଇ ଧରଣର ଲୋକ ।

 

ପାହାଚ ତଳକୁ ଓହ୍ଲେଇ ଆସି ମୁଁ ଆଗ ସେ ଘରଟାକୁ ଭଲଭାବରେ ଚିହ୍ନିନେଲି । ଦୁଆରମୁହଁରେ ପୋତା ଥିଲା ଗୋଟିଏ ଇଲେକ୍‌ଟ୍ରିକ ଖମ୍ବ । ଦି’ତିନି ଘର ଛାଡ଼ି ପାଣିକଳ । ଆଉ ଥରେ ଆସିଲେ ଚିହ୍ନିବାକୁ ଅନ୍ତତଃ ଅସୁବିଧା ରହିବନି ।

 

ସରୁ ସରୁ ଗଳି ଭିତରେ ଦେଇ ମୁଁ ଚାଲିଗଲି ବଡ଼ ରାସ୍ତାଯାଏ, ଯୋଉଠି ଦୋକାନ ବଜାର ଅଛି । ଲୋକବାକ ଯା’ ଆସ କରୁଛନ୍ତି । ଗାଡ଼ି ଘୋଡ଼ା ଛୁଟୁଛି ।

 

କେତେ ବାଟ ଗଲା ପରେ ଦେଖିଲି–ବସ୍ତା ଉପରେ ଅନେକ ଲୋକ ଜମା ହୋଇଛନ୍ତି । ଘଟଣାଟା କ’ଣ ଜାଣିବି ବୋଲି ମୁଁ ଲୋକଗହଳି ଭିତରକୁ ପଶିଗଲି । ଦେଖିଲି–ଜଣେ ସାଇକେଲ ଚଢ଼ାଳୀକି ସମସ୍ତେ ଘେରି ଯାଇଛନ୍ତି । ପାଟିତୁଣ୍ଡ ଚାଲିଛି । ବୁଝିଲି, ସାଇକେଲବାଲାର କିଛି ଦୋଷ ନାହିଁ । ବୁଢ଼ାଟିଏ ସାଇକେଲ ଚକ ପାଖରେ ବାଡ଼େଇ ହୋଇ ପଡ଼ିଗଲା । ତା’ଉପରେ ମାଡ଼ ହୋଇନି । ବୁଢ଼ାଟା ବଡ଼ ଧରଣର ଜଖମ୍‌ଟିଏ ହେଇଚି ବୋଲି ପାଟି କରିବାରେ ଲାଗିଗଲା । ସାଙ୍ଗେ ସାଙ୍ଗେ ଜମି ଆସିଲେ ଲୋକେ । ସାଇକେଲ ଚଢ଼ାଳୀ ଉପରେ ସାଙ୍ଗେ ସାଙ୍ଗେ ତାଗିଦା । ବୁଢ଼ାକୁ ପାଞ୍ଚଟଙ୍କା ଦେବାକୁ ପଡ଼ିବ । ପାଖରେ ନ ଥିଲେ ସାଇକେଲ ରଖିଦେଇ ଯାଅ । ଟଙ୍କା ଆଣିଲେ ସାଇକେଲ ନେଇଯିବ । କେତେ ଲୋକଙ୍କଠୁ ପରସ୍ପରରେ ବୁଝିଲି–କେତେ ଲୋକଙ୍କର ଏଇଟା ଗୋଟେ ନିତିଦିନିଆ କାମ । ବୁଢ଼ାକୁ କିଛି ପଇସାପତ୍ର ଦେଇ ଇଏ ବି ସେମାନଙ୍କର ଗୋଟେ ରୋଜଗାରର ପନ୍ଥା ।

 

ଲୋକମାନଙ୍କ ଉପରେ ମୋର ଭାରି ରାଗ ହେଲା । ମୁଁ ଆଉ ଥୟ ହୋଇ ରହିପାରିଲିନି । ସାଇକେଲ ଚଢ଼ାଳୀକି କହିଲି–ବୁଢ଼ାକୁ କ୍ଷମା ମାଗି ଚାଲିଯିବାକୁ ।

 

ଏ କଥା ପାଟିରୁ ମୋର ବାହାରିଛି କି ନାହିଁ ଗହଳି ଭିତରୁ ଦି’ଜଣ ମୋ ଆଡ଼ିକି ମାଡ଼ି ଆସିଲେ । ମୋ ପାଖକୁ ଚାଲି ଉହୁଁକି ଆସିଲେନି, ଦୋ’ଅକ୍ଷରୀ ବି ଆରମ୍ଭ କରିଦେଲେ । ମତେ ଭାରି ଡରମାଡ଼ିଲା । ସେମାନେ ଯେବେ ଥାପଡ଼େ ଅଧେ ପକେଇ ଦିଅନ୍ତି, ତା’ହେଲେ ପିଠରେ ପଡ଼ିବାକୁ କେହିହେଲେ ମୋର ନ ଥିଲେ । ତଥାପି ସେମାନଙ୍କର ପାଟିରେ ଦବିଯିବାର ମୁଁ ଲୋକ ନୁହେଁ । ସେମାନଙ୍କ ପାଟି ସାଙ୍ଗେ ମୁଁ ବି ଦୁଇଗୁଣରେ ପାଟି କଲି । କହିଲି–କାହିଁକି ସେ ଟଙ୍କା ଦେବ । ବୁଢ଼ାର ତ ଖଣ୍ଡିଆ ଆଦି କିଛି ହେଇନି ।

 

ସେଇ ଦି’ଜଣ ଲୋକ, ଯୋଉମାନେ ମୋ ଆଡ଼ିକି ଉହୁଁକି ଆସିଥିଲେ, ସେମାନେ ମୋତେ ମାରି ପକେଇଥାଆନ୍ତେ; କିନ୍ତୁ ହଠାତ୍ ମୁଁ ଦେଖିବାକୁ ପାଇଲି ସେମାନଙ୍କ ଆଗକୁ ଆସି ମତେ ଓଗାଳି ନେଲା ଗୋଲଖ । କେତେ ଲୋକ, ଗୋଲଖ କଥାକୁ ବି ସମର୍ଥନ କଲେ ।

 

ସାଇକେଲବାଲାର କିଛି ଦୋଷ ନାହିଁ ବୋଲି କହିଲେ । ସାଇକେଲ ଧରି ସେ ଛୁଟିଲା-। ଜମିଥିବା ଲୋକେ ଆସ୍ତେ ଆସ୍ତେ ଭାଙ୍ଗିଯିବାକୁ ଆରମ୍ଭ କରିଦେଲେ । ମୋର ଦି’ରକମ ଲାଭ ହେଲା । ପ୍ରଥମ କଥା ହେଲା–ମୁଁ ରକ୍ଷା ପାଇଗଲି, ମୁଁ ଦ୍ଵିତୀୟରେ ଅତି ଅକ୍ଲେଶରେ ଗୋଲଖକୁ ପାଇ ପାରିଲି । ଯାହା ପାଇଁ ଏତେ ଘଣ୍ଟା ଧରି ମୁଁ ପୁରୀ ସହରରେ ଅନ୍ଦିକନ୍ଦିରେ ବୁଲୁଥିଲି ଓ ତା’ର ଟେର ପାଉ ନ ଥିଲି ।

 

ଗୋଲଖକୁ କହିଲି–ଅନେକ ସମୟ ଧରି ତୁମକୁ ଖୋଜୁଥିଲି । ପାଉ ନ ଥିଲି ।

 

ମତେ ଖୋଜୁଥିଲେ ? ଗୋଲଖ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

କେବଳ ସେତିକି ନୁହେଁ, ତୁମ ଘରଠିକି ବା ପଚାରି ପଚାରି ଯାଇଥିଲି । ଦେଖିଲି–ତାଲା ପଡ଼ିଛି । ଦେଖି ନ ଥିଲେ ଆଉ ଥରେ ଯାଇଥାଆନ୍ତି ।

 

କାରଣ ?

 

କାମ ଅଛି ।

 

କି କାମ ? କ’ଣ ଜରୁରୀ କାମ । ଘଟଣାଟା ଜାଣିବ ବୋଲି ଗୋଲଖ ବ୍ୟଗ୍ର ହୋଇ ଉଠୁଥିଲା ।

 

ଅଳ୍ପ ସମୟଯାଏ ମୁଁ ତୁନି ରହିଲି ।

 

କହୁନାହାନ୍ତି ? ଗୋଲଖ ପଚାରିଲା–ମିଶ୍ରଘରର କେହି ମତେ ଖୋଜୁଥିଲେ କି ?

 

ଗୋଲଖ ଯେ ନିଶ୍ଚୟ ଏ ସବୁ କାଣ୍ଡ କରିଥିଲା, ତା ମୁହଁରୁ’ଇ ପ୍ରମାଣ ମିଳିଗଲା ।

 

ନା–ସେ କଥା ନୁହେଁ । ଆଉ ଗୋଟିଏ କାମ ।

 

ଗୋଲଖ ଖର ନିଃଶ୍ୱାସଟିଏ ମାରିଦେଲା ।

 

କଥାଟା ହେଲା କ’ଣ କି–କହୁ କହୁ ମୁଁ ଛେପ ଢୋକିଲି ।

 

ଗୋଲଖ ତୁନିଟି ହୋଇ ଠିଆ ହୋଇଥାଏ । ରାସ୍ତାକଡ଼ର ଗୋଟିଏ ଅନ୍ଧାରିଆ ଆଡ଼େ ଆମେ ଆଉ ଦି’ଜଣ । ଗୋଲଖ ଆଉ ମୁଁ ।

 

ଜାଣିଛ, ବଳିଆର ସିଂ ତାଙ୍କ ଘରଟାକୁ ବିକ୍ରି କରି ଦେବାକୁ ଆସିଛନ୍ତି ।

 

କାଇଁ ନାଇଁ ତ ? ନବ କିଏ ?

 

ମିଶ୍ର ଘର ।

 

ମିଶ୍ର ଘର ? ଗୋଲଖ ନିଃଶ୍ୱାସଟିଏ ଛାଡ଼ିଦେଲା ।

 

ମତେ ଜଣାପଡ଼ିଲା–ସତେ ଅବା ଗୋଲଖ ସାପଟିଏ, ଫଣାଟେକି ଫଁ କରି ଗର୍ଜି ଉଠିଲା ।

 

ଗୋଲଖ ପଚାରିଲା–କେବେ ?

 

ଏଇ ଦିନେ ଦି’ଦିନ ଭିତରେ । ଖାଲି ସେତିକି ନୁହେଁ । ବୁଲି ମା’କହୁଥିଲା–ମା’ ଝିଏ ସେମାନେ ବଳିଆର ସିଂଙ୍କର ଗାଁକୁ ଆଉ ଫେରିଯିବେନି । ସେମାନଙ୍କର ଅସୁବିଧା ହେଲାଣି ବୋଲି ତ ସେ ଘର ବିକୁଛନ୍ତି ଏମାନେ ଦି’ଦିଟା ଲୋକ ଆଉ ଚଳିବେ କେମିତି ? ରହିବେ କୋଉଠି ? ଯିବେ କୁଆଡ଼େ !

 

ମୋଠୁ ଏସବୁ ଶୁଣି ଗୋଲଖ ମୋ ଆଡ଼ିକି କେତେ ସମୟଯାଏ ଆଗ ଚାହିଁ ରହିଲା । କ’ଣ ଯେ ସେ ଭାବୁଥିଲା ମୁଁ ଜାଣିପାରିଲିନି । ବୋଧହୁଏ ମତେ ଭଲରୂପେ ଚିହ୍ନିବାକୁ ଚେଷ୍ଟା କରୁଥିଲା । ଆଉ ଭାବୁଥିଲା–ସେମାନଙ୍କ ପାଇଁ ମୋରି ଏତେ ବ୍ୟଗ୍ରତା କାହିଁକି ?

 

କଥାର ଖିଅ ବୁଲେଇ ଗୋଲଖ କହିଲା–ଚାଲନ୍ତୁ ଆମ ଘରଆଡ଼େ ଯିବା ?

 

ଚାଲ ବୋଲି କହି ମୁଁ ତା’ ପଛେ ପଛେ ଚାଲିଲି ।

 

ଯାଉ ଯାଉ ମୋ ବିଷୟରେ ଅନେକ କିଛି ପଚାରିଲା । ମୋର ଘର କୋଉଠି ? କାହିଁକି ଆସିଛନ୍ତି । ବୁଲି ମା’ ସାଙ୍ଗେ ପରିଚୟ କେମିତି ହେଲା ? କେତେ ଦିନ ଆଉ ରହିବେ ? ଏମିତି ନାନାପ୍ରକାର ପ୍ରଶ୍ନ ।

 

ମୁଁ ଠିକେ ଠିକେ ସବୁ କଥାତକ ମୋର କହିଗଲି । ପିଲାବେଳେ ମୋର ଆସିବା କଥା ଓ ଏବେ ବୁଲିଆସିବା କଥା ।

 

ଘର ହେବାରୁ ସେ ଚାବି ଖୋଲିଦେଲା ଓ ଆଲୁଅଟାକୁ ଅଳ୍ପ ତେଜି ଦେଇ ମତେ ଚଉକିରେ ବସିବାକୁ କହି ଷ୍ଟୋଭ ଲଗେଇଲା ।

 

ଅଳ୍ପ ସମୟ ଭିତରେ ଚା’ହୋଇଯିବାରୁ ଆପେ କପେ ଧରି ମତେ ଆଉ କପେ ଖାଇବାକୁ କହିଲା । ତା ସାଙ୍ଗେ ସାଙ୍ଗେ ସିଗାରେଟ୍ ବି ଦେଲା ।

 

ଚା’ଖାଉ ଖାଉ ମୁଁ ପଚାରିଲି–ବୁଲି ମା’ଆଉ ଅନୁ ଏଠିକି ଆସିଗଲେ ଚଳନ୍ତାନି ? ସେମାନେ ବିଚରା ଆଶ୍ରା ପାଇଯାଆନ୍ତେ ।

 

ମୋର ଏ ପ୍ରକାର ପ୍ରଶ୍ନ ତାକୁ ବୋଧେ ଭଲ ଲାଗିଲାନି । ତା’ମୁହଁରୁ ମନକଥାଟା ତା’ର ଜାଣିପାରିଲି । ଚା’ତକ ସାରିଦେଇ ସିଗାରେଟରେ ସେ ନିଆଁ ଧରେଇଲା ଓ ମତେ ବଢ଼େଇ ଦେଲା-। ଦି’ଚାରିପୁଳା ଧୁଆଁ ବାହାର କରି ସାରି କହିଲା–ମୋର କିଛି ଆପତ୍ତି ନାହିଁ । ହେଲେ–

 

ହେଲେ ଆଉ କ’ଣ ? ଖିଆପିଆ ଅସୁବିଧାରୁ ତୁମେ ରକ୍ଷା ପାଅନ୍ତ । ବାକି ରହିଲା ଅନୁ–ତା’ ପାଇଁ ଚାକିରି ବାକିରି ଖଣ୍ଡିଏ ଠିକ୍ କରିଦେଲେ ବିଚାରୀଟିର ଆଉ କିଛି ଅସୁବିଧା ରହନ୍ତାନି ।

 

କେଜାଣି କାହିଁକି ଗୋଲଖକୁ ମୁଁ ନିଜର ଲୋକ ବୋଲି ଭାବି ନେଇଥିଲି । ମୁଁ ଭଲ ଭାବରେ ଜାଣେ ଗୋଲଖ ପାଖରେ ଅନେକ କିଛି ବଦ୍‌ଗୁଣ ଅଛି । ତେବେ ତା’ର ଯେ ହୃଦୟ ଅଛି ଏ ବିଷୟରେ ମୁଁ ଜାଣିପାରିଥିଲି । ମୁଁ ଯେ ସେମାନଙ୍କୁ ସାହାଯ୍ୟ କରିପାରିବି, ଇଆର ତ ପ୍ରଶ୍ନ ଉଠୁ ନ ଥିଲା । ମନେ ମନେ ଭାବି ନେଇଥିଲି ଯଦି କିଏ ଏମାନଙ୍କୁ ସାହାଯ୍ୟ କରେ, ସେ ହେଉଛି ଗୋଲଖ ।

 

ତା’ପରେ ଆମର ଅନେକ ଆଳାପ ଆଲୋଚନା ଚାଲିଲା । ମୁଁ ନଟବାବୁଙ୍କ ଘରକୁ କିପରି ଗଲି ଓ ରମାର ଅଭ୍ୟର୍ଥନା ଆଦି କହିବାକୁ ବି ଛାଡ଼ିଲିନି ।

 

ଗୋଲଖ ବି କଥା ଛଳରେ କହିଲା–ମିଶ୍ର ଘର କଥା । ସେମାନେ କେମିତି ଅନ୍ୟାୟ ଭାବରେ ତାଙ୍କର ଘର ଦଖଲ କରିଛନ୍ତି ପାଞ୍ଚଶ ଟଙ୍କାକୁ ପାଞ୍ଚହଜାର ଟଙ୍କାରେ ନାଲିସ କରି । ସେଇମାନଙ୍କରଇ ବର୍ତ୍ତମାନ ସମୟରେ ଯାହାକିଛି ଉନ୍ନତି ହେଉଛି । ତାଙ୍କରି ଭାଇ ଆଇ, ଏ. ଏସ୍. ପାଉଛି । ତାଙ୍କରି ପୁଅ ଝିଅ ଯାଇ ପବ୍ଳିକ୍ ସ୍କୁଲରେ ପଢ଼ୁଛନ୍ତି । ଧନ ତାଙ୍କର ବଢ଼ିବାରେ ଲାଗିଛି । ଯେତେ କଳ କାରଖାନା ସବୁଥିରେ ସେମାନଙ୍କର ହାତ ଅଛି । ଚାକିରି ବାକିରି ଓ ସାମାଜିକ ମାନସମ୍ମାନ ଆଦିରେ ସେଇମାନେ କେବଳ ଅଧିକାରୀ । ଆମ ଭଳି ଲୋକର ସେଥିରେ ଭାଗ ନାହିଁ । ଆମର ଟଙ୍କା ପଇସା ନାହିଁ, ଘରଦ୍ୱାର ନାହିଁ, ଚାକିରି ନାହିଁ, ଖାତିରି ନାହିଁ, କିଛି ନାହିଁ । କେତେଦିନ ଏମିତି ଚାଲିଥିବ କେଜାଣି ? ବଳିଆର ସିଂଙ୍କ ଭଳି ପୁରୁଣା ପରିବାରମାନେ ଆସ୍ତେ ଆସ୍ତେ ଲୋପ ପାଉଛନ୍ତି ଆଉ ସେମାନଙ୍କ ବଦଳରେ ମିଶ୍ର ବଂଶ ଭଳି ଆଉ କେତେ କେତେ ବୋଝ ଉଠେଇବା ଲୋକ ମୁଣ୍ଡ ଟେକୁଛନ୍ତି । ଦେଶର ଯାହାକିଛି ସୁବିଧା ଏଇମାନେ କେବଳ ମାରି ନେଉଛନ୍ତି । ଏମାନଙ୍କୁ ଜବତ୍‌ କରିବା ଦରକାର । ଜୁଆଚୋର ଓ ସୁବିଧାବାଦୀ ଦଳ ।

 

ଗୋଲଖ ଏ ସବୁ କହିସାରି ତୁନି ରହିଲା । ଗୋଲଖ ଯେ ଏସବୁ କିପରି ଜାଣିଲେ ମୁଁ ଆଶ୍ଚର୍ଯ୍ୟ ହେଲି । ଆଗରୁ ଗୋଲଖ ସମ୍ବନ୍ଧରେ ମୋର କେମିତି ଖରାପ ଧାରଣା ଥିଲା । ବିଶେଷତଃ ଜୁଆଖେଳର କଳି ଦେଖିଲା ବେଳୁ । ଗୋଲଖଠୁଁ ସେସବୁ ଶୁଣି ମନ ମୋର ଏକଦମ୍ ବଦଳିଗଲା । ଗୋଲଖ ହାତରେ ଅନେକ କିଛି କାମ ଯେ ହୋଇପାରିବ ଏ ବିଷୟରେ ମୋର ଧାରଣା ହେଲା । ବୁଲି ମା’ ଓ ଅନୁ ଗୋଲଖ ପାଖରେ ରହିଲେ ସେମାନେ ଯେ ନିଶ୍ଚିନ୍ତ ଭାବରେ ଭଲରେ ଚଳିବେ ଏ କଥା ଜାଣିବାକୁ ଆଉ ବାକି ରହିଲାନି ।

 

ମୁଁ ଫେରି ଆସିବାକୁ ତରତର ହେଲି । ବଳିଆର ସିଂଙ୍କ କଥା ମୋର ମନେପଡ଼ିଲା । କହିଥିଲେ–ରମା ଘରକୁ ଯିବାକୁ । ଆଉ ଥରେ ଯିବାକୁ ତ ମୋର ଇଚ୍ଛା ନ ଥିଲା; ତଥାପି ସେ ଫେରିଆସିଲେ କ’ଣ ବୋଲି ମତେ କହିବେ ଓ ମୁଁ ତାଙ୍କୁ କ’ଣ କହି କୟଫିୟତ୍ ଦେବି, ଏ କଥା ମୁଁ ଗୋଲଖ ସାଙ୍ଗେ କଥା ହେଲାବେଳେ ସମାନ୍ତରାଳ ଭାବରେ ଭାବୁଥିଲି ।

 

ଗୋଲଖ ସାଇ ମୁଣ୍ଡଯାଏ ମତେ ବାଟେଇ ଦେବାକୁ ଆସିଲା । ଫେରିଲା ବେଳେ କହିଲା–ସେ କାଲି ଆସିବ ।

 

ଗୋଲଖ କଥା ଭାବି ଭାବି ମୁଁ ଚାଲିଲି ଘରଆଡ଼େ । ମନେ ମନେ ଆଶ୍ଵସ୍ତ ହେଉଥିଲି–ମା’ ଝିଅଙ୍କ ପାଇଁ କିଛି ନା କିଛି ମୁଁ କରିପାରିଛି ।

 

ଘରେ ଆସି ପହଞ୍ଚିଲା ବେଳକୁ ଦଶଟା ପାଖାଆଖି । ମୁଁ ଯାହା ଭାବି ଭାବି ଆସୁଥିଲି, ସେଇଆ ହେଲା । ଆସିଲାମାତ୍ରେ ବଳିୟାରସିଂ କହିଲେ–ମୁଁ ତୁମକୁ ରମା ଘରେ ସିଆଡ଼େ ଅପେକ୍ଷା କରିଛି । କାଇଁ ଆସିଲନି ତ ?

 

ମୁଁ କଇଫିୟତ ଦେଲି ଯୋଉଆଡ଼େ ଯାଇଥିଲି ସେ କାମଟା ଛିଣ୍ଡି ପାରିଲାନି ।

 

କାଲି ଯେ କୌଣସିମତେ ରମା ଘରକୁ ଯିବ । ସେ ଡକେଇ ପଠେଇଛି ।

 

ମୋ’ଠି କ'ଣ କାମ ଅଛି ?

 

କାମ ଅଛି କି ନାହିଁ ମୁଁ ଜାଣେନି । ଯିବାକୁ କହିଥିଲା । ତୁମେ କଟକ ଫେରିବା ଆଗରୁ ତାଙ୍କ ଘରେ ଦେଖା ହୋଇଯିବ ।

 

ସବୁ ତ କଥାବାର୍ତ୍ତା ସରିଛି, ଆଉ କାମ କ’ଣ ? ତଥାପି ସେ ଯେତେବେଳେ ଡକେଇ ପଠେଇଛି ଯିବାଟା ତ ନିହାତି ଦରକାର । ଆରଦିନ ସକାଳୁ ଯେ କୌଣସିମତେ ରମା ଘରକୁ ଯିବି ବୋଲି ମୁଁ ମନ ଭିତରେ ଠିକ୍ କରିନେଲି ।

 

ବଳିଆର ସିଂ ଝିଅ ଘରେ ଖାଇଦେଇ ଆସିଥିଲେ । ରମା ବି ସେଠି ଶୋଇବାକୁ ତାଙ୍କୁ ଅନେକ ଥର ବଳେଇଲା ବୋଲି ସେ କହୁଥିଲେ; କିନ୍ତୁ ସେ ମନା କଲେ । କହିଲେ–ତୋ ଘରେ ତ ଏଣିକି ପୁରୀ ଆସିଲେ ଶୋଇବାକୁ ପଡ଼ିବ । ନିଜ ଘରେ ଆଉ ରାତିଏ କି ଦି' ରାତି ଶୋଇଯିବାକୁ ବଳିଆର ସିଂ ମନେ ମନେ ଠିକ୍ କରିଥିଲେ । ମଣିଷ ନିଜର ପ୍ରିୟ ଜିନିଷଟିଏ ହାତରୁ ଛାଡ଼ିବା ଆଗରୁ ତାକୁ ଯେମିତି ମନପୂରେଇ ଅନୁଭବ କି ଉପଭୋଗ କରିବାକୁ ଛାଡ଼େନି ।

 

ଅନୁ ଯାହା କିଛି ଆଣି ଖାଇବାକୁ ଦେଲା, ସେଥିରୁ ଅଧେ ହେବ ମୁଁ ଖାଇଲିନି । ମତେ କାଇଁ ଶୋଇବାକୁ ଭଲ ଲାଗିଲାନି । ଅନ୍ୟ ଦିନ ହୋଇଥିଲେ ଅନୁ ଅନେକ ବଳେଇ ଥାଆନ୍ତା । କଥାବାର୍ତ୍ତା କରି ସେତକ ମତେ ଖାଇଦେବା ପାଇଁ ବାଧ୍ୟ କରିଥାଆନ୍ତା; କିନ୍ତୁ ସେଦିନ କେବଳ ତୁନି ରହିଲା । ସତେ ଅବା ସେ ମୂକ ପାଲଟି ଯାଇଛି । ମୋ ମନ ତ ସହଜେ ଖରାପ ଥିଲା । ତା’ଛଡ଼ା ଅନୁର ଏ ରକମ ଢଙ୍ଗଢ଼ାଙ୍ଗ ଓ ତାକୁ ନୀରବ ଦେଖି ମତେ ଆହୁରି ଖରାପ ଲାଗିଲା । ଯାହା ବଢ଼ା ହୋଇଥିଲା, ସେଥିରୁ ଅଧେ ହବ ମୁଁ ଛାଡ଼ିଗଲି ଓ ଉଠିଯାଇ ହାତ ଧୋଇଲି ।

 

ସିଗାରେଟ୍ ସରିଯାଇଥିଲା । ସାର୍ଟ ଖଣ୍ଡେ ଗଳେଇ ବାହାରିଲି–ଶହେ ହାତ ଦୂରରେ ଥିବା ଖଣ୍ତିଏ ଛୋଟିଆ ପାନଦୋକାନ ଆଡ଼େ । ସିଗାରେଟ୍ ଲଗାଇ ଘରଆଡ଼େ ଫେରିଲାବେଳେ ଭାବୁଥାଏ ଅନୁ ବିଷୟରେ ।

 

ଗୋଲଖ ସାଙ୍ଗେ ଯାହା ଯାହା ସବୁ କଥା ହେଲା, ସେ ସବୁ ଗୋଟି ଗୋଟି କରି ମୁଁ ମନ ଭିତରେ ଖେଳେଇ ବସିଲି । ଅନୁ ଓ ଗୋଲଖକୁ ଏକାଠି କରି ଭାବିବାକୁ ମୁଁ ଛାଡ଼ିଲିନି । କିନ୍ତୁ ସେ କଥା ତ ମୁଁ ଗୋଲଖ ଆଗରେ କହିଲିନି । କହିଥିଲେ ସେ ହୁଏତ ଖରାପ ଭାବି ଥାଆନ୍ତା । ଗୋଲଖ ଗୋଟିଏ ଅଦ୍ଭୁତ ଧରଣର ଲୋକ । ସେ ଯାହାକିଛି ହେଉ ସିଏ ତ ମଣିଷ । ଦିହେଁ ଏକାଠି ଗୋଟିଏ ଘରେ ରହିଲେ ତାଙ୍କ ଭିତରେ ଆପେ ଆପେ ଆଉ ଏକ ସମ୍ପର୍କ ଗଢ଼ିଉଠିବ । ବର୍ତ୍ତମାନ ସେ ଅନୁକୁ ଗୋଟିଏ ଅସହାୟା ସାନ ଭଉଣୀ ଭାବରେ ସାହାଯ୍ୟ କରିପାରୁଥାଏ । କାହିଁକି ନା ବୁଲି ମା’ ତାକୁ ଦିନେ ପାଖରେ ଆଣି ରଖିଥିଲା । ବାପ ମା’ ତା’ର ମରିଗଲା ବେଳେ ଆହା ବୋଲି କରିଥିଲା । ଯେତେହେଲେ ଅନୁ ସ୍ତ୍ରୀ ଓ ଗୋଲଖ ପୁରୁଷ । ଦହିଁଙ୍କ ଭିତରେ ଏଇନେ ଭାଇ ଭଉଣୀ ଭାବରେ ଭଲପାଇବା ଅଛି । ସେଇଟା ଯେ ପରେ ଦୁହିଁଙ୍କ ଭିତରେ ଆକର୍ଷଣରେ ପରିଣତ ନ ହେବ କିଏ ସେ କଥା କହିବ ? ମୋର କାଇଁ ସେ ବିଷୟରେ ଗୋଟିଏ ବଦ୍ଧମୂଳ ଧାରଣା ଥିଲା । ଗୋଲଖକୁ ଏ ବିଷୟରେ କହିଦେଲେ ଚଳନ୍ତା । କିନ୍ତୁ ସେ ଯେବେ ରାଗିଉଠେ ? ଫଳ ଯେବେ ବିପରୀତ ହୁଏ ? ମୋର ବା ଏଥିରେ କ’ଣ ଅଛି ? ସେମାନଙ୍କୁ ଥଇଥାନ କରେଇଦେଇ ପାରିଲେ ମୋର ଗୋଟିଏ କର୍ତ୍ତବ୍ୟ ସରିଗଲା ବୋଲି ଭାବିବି । ଏମିତି କେତେ କ’ଣ ଭାବି ଭାବି ମୁଁ ଘରେ ଆସି ହେଲି ।

 

ସେତେବେଳେ ବଳିୟାର ସିଂ ଆଉ ଗୋଟିଏ ବଖରାରେ ବୋଧେ ଗଡ଼ତପଡ଼ତ ହେଉଥାଆନ୍ତି । ଆଖିକି ତାଙ୍କର ନିଦ ଆସି ନ ଥାଏ । ଘରର ଠଣା ଭିତରେ ଆଲୁଅଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ବୁଲି ମା’ ଥିଲା ସେଇ ଘରେ । ବଳିଆର ସିଂଙ୍କର ଗୋଡ଼ ଘଷିଦେବାରେ ବୋଧେ ବ୍ୟସ୍ତ ଥିଲା । ତାଙ୍କ ଭିତରେ କ’ଣ କଥାବାର୍ତ୍ତା ହେଉଥିଲେ ମୁଁ ଶୁଣିପାରିଲିନି । ବୋଧେ ଯିଏ ଯାହାର ଚିନ୍ତା ନେଇ ବ୍ୟସ୍ତ । ବୁଲି ମା’ ହୁଏତ ଭାବୁଥିବ–ଏତେଦିନ ତାଙ୍କ ଅନ୍ନରେ ପ୍ରତିପାଳିତ ହେଲା ପରେ ତାଙ୍କୁ ଛାଡ଼ି ଅନ୍ୟ ଆଡ଼ିକି ଯିବି କେମିତି ? ବଳିଆର ସିଂ ହୁଏତ ଭାବିଥିବେ, ଏମାନଙ୍କୁ ଆଉ ଚଳେଇ ହେବନି । ଛାଡ଼ିଦେଲେ ଏମାନେ ଯିବେ ଅବା କୁଆଡ଼େ ? ଘରର ଅନ୍ଧକାର ରୂପରେ ବଳିଆର ସିଂ ଓ ବୁଲି ମା’ର ମନକଥାଗୁଡ଼ାକ କିଏ ଅବା ଲେଖିଦେଲା ଭଳି ମତେ ଜଣାପଡ଼ିଲା ।

 

ବଳିୟାର ସିଂ ଯୋଉ ଘରେ ଶୋଇଥିଲେ, ସେଲ ବଖରାରୁ ଧାଡ଼ିଏ ହେବ ଆଲୁଅ ପାଖ ବଖରାଯାଏ ଲମ୍ବି ଯାଇଥିଲା । ଦେଖିଲି–ଅନୁ ଖାଲି ତଳଟାରେ ମୁହଁମାଡ଼ି ଶୋଇଛି । ସିଏ ମୋତେ ଦେଖିନି; କିନ୍ତୁ ତା’ର ଚଉଡ଼ା ପିଠି, ମୁକୁଳା ବେଣୀ ଓ ଗୋଲେଇ ବାହାରୁ ମୁଁ ଅନ୍ଧାର ଭିତରେ ତାକୁ ଅନୁ ବୋଲି ଚିହ୍ନିପାରିଲି । ବିଚାରୀ ମନ ଦୁଃଖରେ ବୋଧେ ଶୋଇଯାଇଛି । ନିଜର ଭବିଷ୍ୟତ ଜୀବନ କଥା ଏଇ କେତେଦିନ ହେଲା ସେ ଯେ ଅନବରତ ଭାବିବାରେ ଲାଗିଛି, ଏକଥା ଦି’ତିନି ଦିନ ହେଲା ମୁଁ ଲକ୍ଷ୍ୟ କରୁଥିଲି । ତା’ଛଡ଼ା ବଳିଆରସିଂ ଘର ବିକିବା କଥା ଶୁଣିବାଠୁ ଚିନ୍ତା ତା’ର ବଢ଼ିଯାଇଥିଲା ।

 

ମୋ ବଖରାଟି ଖୋଲି ଦେଇ ଆଲୁଅ ଜଳେଇଲି । ବୁଲି ମା’ ଆସି ବେଳେ ବେଳେ ମୋ ବିଛଣା ଝାଡ଼ିଦିଏ । ମୁଁ ବିଛଣାପତ୍ର ଝଡ଼ାଝଡ଼ି କରି ଶୋଇବାର ଉପକ୍ରମ କଲାବେଳକୁ ଦେଖିଲି–ଲଣ୍ଠନ ଆଲୁଅରେ ଛାଇଟା ମୋର ଲମ୍ବା ଆକାରରେ ବାହାରଯାଏ ଲମ୍ବି ଯାଇଛି । ନିଜର ଛାଇକି ଦେଖି ନିଜେ ମୁଁ ଚମକିପଡ଼ିଲି । ଛାଇଟା ଯେ ମୋର ନିଜର ଏ କଥା ମତେ ବୋଧ ହେଲାନି । ଜଣାପଡ଼ିଲା–ରମା ଅବା ମୋ ପଛରେ ଆସି ଠିଆ ହୋଇଛି । ଅନୁ ନୁହେଁ–ରମା ଆସି ଦେଖା ଦେଲା ।

 

ରମା ଯେ କାହିଁକି ଆଉ ଥରେ ଡାକିଛି ତା’ର କାରଣଟା ବିଛଣା ଉପରେ ଶୋଇ ରହି ଅନେକ ବେଳଯାଏ ମୁଁ ଭାବିଲି । ମୁଁ ଜଣେ ମାମୁଲି ଜଣାଶୁଣା, ଅପରିଚିତ ଓ ବାହାର ଲୋକ ହେଲେ ବି ରମା ଯେ ଏତେ ଦିନଯାଏ ମତେ ମନେ ରଖିପାରିଛି, ସେ କଥା ଭାବି ମୁଁ ଆଶ୍ଚର୍ଯ୍ୟ ହେଲି । ତା’ର ଆଦର ଅଭ୍ୟର୍ଥନା, ଜଳଖିଆ ଆଣି ଖୋଇବା ଓ ପୁଅକୁ ମୋ ହାତକୁ ଦେଲାବେଳେ ତା’ର ମୁରୁକା ହସ ଭିତରେ ମୁଁ ପିଲାଦିନର ସେଇ ଚପଳ ଅଭିଆଡ଼ି ରମାର ଆତ୍ମାକୁ ଅବା ପାଇଥିଲି । ତା’ ବିଷୟରେ ଯେତିକି ଯେତିକି ମୁଁ ଭାବିଲି, ସେତିକି ଆଶ୍ଚର୍ଯ୍ୟ ହେଲି । ବଳିୟାର ସିଂଙ୍କ ଝିଅ ରମା । କେବେ ଭୋଗ ବିଳାସରେ ସେମାନେ ଚଳି ନ ଥିବେ । ଏଇନେ ସିନା ବଳିୟାରସିଂଙ୍କ ବଉଁଶ ଗରିବ ହୋଇଗଲେ ? ବାପଘର ଗରିବ ହୋଇଗଲେ ଝିଅର କ’ଣ ହେଲା-? ତଥାପି–

 

ବଳିୟାର ସିଂଙ୍କର ଆଗ ସେ ପ୍ରତାପ ଓ ପରାକ୍ରମ ଥିଲେ ରମା ବୋଧେ ମତେ ମନେ ରଖି ନ ଥାଆନ୍ତା ? ଆଗୁଆ ମୋର ଧାରଣା ଥିଲା–ଲୋକ ଗରିବ ହେଲେ ଓ ଦୁଃଖ ଅସୁବିଧାରେ ଚଳିଲେ ନିଜର ପରିସ୍ଥିତି ଓ ଚିହ୍ନା ଲୋକମାନଙ୍କୁ ଛାଡ଼ିପାରେନି । ଯେତେ କମ୍ ସମ୍ପର୍କ ଥିଲେ ବି ଦୁଃଖୀ ଲୋକଟିଏ ସେଥିରେ ପୁଟ ଦିଏ । ସମସ୍ତଙ୍କ ସାଙ୍ଗେ ମିଳିମିଶି ଚଳେ । ଧନୀ ହେଲେ ଓ ଭୋଗ ବିଳାସରେ ଚଳିଲେ ମୁହଁ ତା’ର ଉପରକୁ ହୁଏ । ସେ କମ୍ ଲୋକ ସାଙ୍ଗେ ସମ୍ପର୍କ ରଖେ । ତା’ଠି ହୃଦୟ ନ ଥାଏ । ଯାହାକିଛି ଆଦାନ ପ୍ରଦାନ ସେ ସବୁକୁ ଧନୀ ଲୋକଟି ଟଙ୍କା ପଇସାର ତରାଜୁରେ ମାପ କରିବାରେ ଲାଗେ, କିନ୍ତୁ ରମା ହେଉଛି ସେ ସବୁର ବ୍ୟତିକ୍ରମ । ପିଲାଦିନେ ସେ ଯେମିତି ଥିଲା, ବର୍ତ୍ତମାନ ବି ସେମିତି ଅଛି । ପିଲାଛୁଆର ମା’ ହେଲାଣି । ସ୍ଵାମୀ ସୁସ୍ଥ, ସବଳ ଓ ସୁଶ୍ରୀ ! ଚାକିରି ବାକିରି କରନ୍ତି । ତଥାପି ଆଗବେଳର ସମ୍ପକଟାକୁ ସେ ଅତୁଟ ରଖିପାରିଛି । ରମା ବିଷୟରେ ଯେତିକି ଯେତିକି ଭାବିଲି ସେତିକି ସେତିକି ପିଲାଦିନର କଥାଯାକ ମୋର ମନେପଡ଼ିଲା-। ରମା ଯୋଉଦିନ ହସର ପିଚିକାରୀ ମୋ ଉପରକୁ ଫିଙ୍ଗି ଦେଇ ବାରିଆଡ଼ୁ ଘର ଭିତରକୁ ପଳେଇ ଥିଲା, ସେଇଦିନଠୁଁ ମନ ମୋର କେବଳ ତା’ରି ଭାବନାରେ କିପରି ରଙ୍ଗ ବେରଙ୍ଗ ହୋଇଥିଲା । ଏମିତି ଅନେକ ଅନେକ କଥା । ତଥାପି ସେ ଆଉ ଥରେ ଡାକିଛି ଅବା କାହିଁକି-?

 

ରମା ସାଙ୍ଗେ ପିଲାବେଳେ ମୋର ଯୋଉ ବିବାହ ପ୍ରସ୍ତାବ ଆସିଥିଲା, ସିଏ ବୋଧେ ଘରେ ପରସ୍ପରରେ ଶୁଣିଥିବ । ମନେ ମନେ ହୁଏତ ସ୍ଵପ୍ନର ଜାଲ ବୁଣିଥିବ, କିନ୍ତୁ ବାସ୍ତବ ସଂସାର ଭିତରକୁ ପଶି ଆସିଲେ ଓ ସ୍ଵପ୍ନର ଆଉ ନାଁ’ ଗନ୍ଧ ରହେନି । ପିଲାବେଳର ଭାବନା ଓ କେତେ ରଙ୍ଗୀନ ସ୍ୱପ୍ନଯାକ ଜୀବନରେ ଭାବି ବସିଲେ ସେସବୁ ଫସକା ବାଲିରେ ତିଆରି ଘର ଭଳି ଜଣାପଡ଼େ । ସେଗୁଡ଼ାକ ଯେ ପିଲାଳିଆ କଥା ଓ ଏମିତି କିଛି ସମସ୍ତେ ଭାବିଥାଥାନ୍ତି ଏଇ ସିଦ୍ଧାନ୍ତରେ ଆସି ପହଞ୍ଚିବାକୁ ହୁଏ । ବେଳେ ବେଳେ ବି ହସମାଡ଼େ । କିନ୍ତୁ ପିଲାଦିନର ଧୂଳିଘର ଓ ଅଳିକ ସ୍ଵପ୍ନ ଆଦିର ଛାପ ଯେ ଭବିଷ୍ୟତ ଜୀବନ ଉପରେ ନ ପଡ଼େ ଏପରି ନୁହେଁ । ମଣିଷ ଯେତେ ଚେଷ୍ଟା କଲେ ବି କେତେଗୁଡ଼ିଏ ଘଟଣା ସେ ଭୁଲିପାରେନି । ଯୁକ୍ତିଛଳରେ ସବୁ ଜିନିଷକୁ ବିଚାର କରିହୁଏନି । ରମାର ମନ ଭିତରୁ ହୁଏତ ପିଲାଦିନର ସେ ଛାପ ଏବେ ବି ଲିଭିନି । କଅଁଳିଆ ମନର ଶତ ଶତ ଅସାର ଭାବନା ମଣିଷ ମଲାଯାଏ ବି ଭୁଲିପାରେନି ।

 

ଶୋଇ ରହି ମୁଁ ଏମିତି ଆକାଶ ପାତାଳ ଭାବୁଛି, ବାହାରୁ ଖଡ଼ଖଡ଼୍ ଶବ୍ଦ ଶୁଣିବାକୁ ପାଇଲି । ଜଣେ କିଏ ବାହାରେ ଚାଲୁଥିଲା ଭଳି ମତେ ଜଣାପଡ଼ିଲା । ଲଣ୍ଠଣଟା ତେଜି ଦେଲି । ଆଗରୁ କେତେଥର ଏମିତି ଶୁଭୁଥିଲା । ମୁଷା କି ବିରାଡ଼ି ବୋଲି ମୁଁ ଭାବି ସେ ବିଷୟରେ କିଛି ଭାବୁ ନ ଥିଲି । ଦେଖିଲି–ଅନୁ ଖାଲି ବାରିଆଡ଼କୁ ଯାଉଛି ଓ ପୁଣି ଆସି ଘର ଭିତରେ ଶୋଇଯାଉଛି । ଏମିତି ଅନେକ ଥର ସେ ବୋଧେ ଯା’ଆସ କଲାଣି । ତାକୁ ବୋଧେ ନିଦ ଆସୁନି-। ବୁଲି ମା’ ବଳିୟାର ସିଂଙ୍କ ପାଖରୁ ଆସି ଶୋଇ ସାରିଲାଣି । ତା’ର ଘୁଙ୍ଗୁଡ଼ି ଶବ୍ଦ ମୁଁ ଶୁଣିବାକୁ ପାଇଲି । ରହି ରହି ବଳିଆର ସିଂ କାଶି ଉଠୁଥିଲେ । ସେ ବୋଧେ ଶୋଇ ନାହାଁନ୍ତି । ବୁଲି ମା’ ହୁଏତ ଅନେକ ଭାବି ଭାବି ତାକୁ ନିଦ ଲାଗିଯାଇଛି ।

 

ଭାବିଲି–ଅନୁକୁ ପାଖକୁ ଡାକି କେତେ କ’ଣ ପଚାରିବି । ତା’ର ଭବିଷ୍ୟତ ଜୀବନ ସମ୍ବନ୍ଧରେ ଖୋଳିତାଡ଼ି ପ୍ରଶ୍ନ କରିବି । ବଳିୟାର ସିଂ ନ ଥିଲେ ତାକୁ ପାଖକୁ ଡାକିଥାଆନ୍ତି । ପାଖକୁ ଡାକି ପଚାରିବାକୁ ମତେ କାଇଁ ଭଲ ଲାଗିଲାନି । ତା’ଛଡ଼ା କହିବି ଅବା କ’ଣ ? ଖାଲି ତାଙ୍କ ଦୁର୍ଦ୍ଦଶାର ପୁନରାବୃତ୍ତି । ତାଙ୍କ ସମ୍ବନ୍ଧରେ କ’ଣ ଯେ ମୁଁ ନ ଜାଣିଛି ଏମିତି କିଛି ନାହିଁ । ଗୋଲଖ ସାଙ୍ଗରେ ବି କଥା ହୋଇଛି । କାଲି ସେ କହିଛି ଆସିବ । ଏମିତି ନାନା କଥା ଭାବି ମୁଁ ଲଣ୍ଠଣଟା ଅଳ୍ପ ଦବେଇ ଦେଲି ଓ ଭିତରପଟୁ ଶିକୁଳି ଲଗେଇ ଶୋଇବାର ଉପକ୍ରମ କଲି ।

 

ଲଣ୍ଠଣଟା ଏତେ ଜୋରରେ ଦବେଇ ଦେଲି ଯେ ସେଇଟା ଦପ୍ ଦପ୍ ହୋଇ ଲିଭିଗଲା-। ଭାବିଥିଲି ଦିଆସିଲି ମାରି ଆଲୁଅଟା ଲଗେଇ ଦେବି । ପୁଣି ଥରେ ଉଠି ଲଣ୍ଠଣ ଖୋଜି ଲଗେଇବାକୁ ଆଉ ଇଚ୍ଛା ହେଲାନି । ଦିଆସିଲିଟା ହାତ ପାଖରେ ରଖି ବିଛଣାଟା ଉପରେ କେବଳ ପଡ଼ିରହିଲା । ଶୋଇରହି ଘରର ଅନ୍ଧକାରକୁ ମୁଁ ଲକ୍ଷ୍ୟ କରିବାରେ ଲାଗିଲି । ମୋର ମୁଦ ଆଖି ଭିତରେ ଦେଖିଲି–ମୋର ସ୍ତ୍ରୀ ମୁହଁ ଶୁଖେଇ କଟକ ଘରେ ଅବା ବସିରହିଛି । ପିଲାଛୁଆମାନେ ବାପା ବାପା ବୋଲି ଡାକ ଛାଡ଼ିଛନ୍ତି । ମୁଁ ଫେରିଯିବାକୁ ସେମାନେ ଅପେକ୍ଷା କରି ରହିଛନ୍ତି ।

 

ଅନୁ ଓ ରମା–ଏମାନେ ହେଲେ ମୋର ମନର ସଂସାର । କଳ୍ପନାର ସଂସାର । ସେମାନଙ୍କ ସାଙ୍ଗେ ମୋ ବାସ୍ତବ ଜୀବନର କିଛିହେଲେ ସମ୍ପର୍କ ନ ଥିଲା । ପୁରୀଠୁ ବହୁତ ଦୂରରେ ଥିଲା ମୋର ଅତି ଆପଣାର ଆଉ ଗୋଟିଏ ସଂସାର । ସେଇଟି ଲୁଣ ତେଲରେ ଗଢ଼ା । ଅଭାବ ଅସୁବିଧାରେ ତିଆରି । ସେଥିରେ ଭରି ରହିଛି–ପିଲାଛୁଆଙ୍କର ହସକାନ୍ଦ, ସେମାନଙ୍କର ରୋଗ ବଇରାଗ, ଡିଆଡ଼େଇଁ, ସେମାନଙ୍କୁ ମଣିଷ କରିବାର ଯୋଜନା, ଭବିଷ୍ୟତ ଉପରେ ନଜର ଓ ସମସ୍ତଙ୍କୁ ସୁଖୀ କରେଇବାକୁ ଦିନ ରାତି ଖାଟେଣୀ, କଳ୍ପନା ଓ କେତେ କେତେ ଯୋଜନା ।

 

କଟକ କଥା ବେଶି ମୋର ମନେପଡ଼ିଲା । ଯେତେ ଶୀଘ୍ର ଫେରିଯାଏ, ତେତିକି ମଙ୍ଗଳ-। ଭାବିଥିଲା–ଦିନ କେଇଟା ଫୁଲାଫାଙ୍କିଆ ଭାବରେ ପୁରୀରେ କଟେଇ ଫେରିଯିବି; କିନ୍ତୁ ଅଳ୍ପ କେଇଦିନ ଭିତରେ ମୁଁ କେତେକଟା ବନ୍ଧନରେ ଆସି ପଡ଼ିଗଲିଣି । ସେ ସବୁ ଶୀଘ୍ର ତୁଟେଇ ମତେ କଟକ ଯିବାକୁ ପଡ଼ିବ ।

 

ନାନାଆଡ଼ୁ ନାନା କଥା ଭାବିଲାବେଳେ ହାଇ ଉପରେ ହାଇ ଆସି ମୋର ସାରା ଶରୀର କେମିତି ଅବଶ ଜଣାପଡ଼ିଲା । ଦିନସାରା ବୁଲାଚଲା ଓ ଭାବନା । ପରଲୋକଙ୍କ ପାଇଁ ଚିନ୍ତା ।

 

ମତେ ଜଣାପଡ଼ିଲା–କେତେ କେତେ ସ୍ଵପ୍ନ ଛୋଟ ବଡ଼ ଚଢ଼େଇ ରୂପରେ ମୋର ମୁଣ୍ଡ ଚାରିପାଖେ ଆସି ଘେର ଖାଇଲେଣି । କେତେବେଳେ ଯେ ମତେ ନିଦ ଲାଗିଗଲା, ଜାଣିପାରିଲିନି-

 

ସକାଳ ପାଇଲାବେଳକୁ ଶୁଣିଲି–ମଟର ଶବ୍ଦ । ଗୋଟିକ ପରେ ଗୋଟିଏ ଯାଉଛି ଓ ଆସୁଛି । ମୁହଁ ଧୋଇ ସାରି ମୁଁ ଦାଣ୍ଡଦୁଆରକୁ ଗଲି । ଦେଖିଲି–ବଡ଼ ବଡ଼ ଟ୍ରକ୍‌ରେ ସିମେଣ୍ଟ, କାଠ, ଇଟା ଓ ଗୋଡ଼ି ଖାଲି ବୁହାଲାଗିଛି ମିଶ୍ରଘରର ।

 

କିଛି ସମୟ ମୁଁ ଠିଆ ହେଇଛି, ଦେଖିଲି–ମିଶ୍ରବାବୁ ସିଆଡ଼ୁ ଆସୁଛନ୍ତି । ତାଙ୍କର ପେଣ୍ଡୁ ଭଳି ପୂରିଲା ମୁହଁ ଓ ଥନ୍ତଲା ପେଟକୁ ହଲେଇ ହଲେଇ ସେ ଦାଣ୍ଡଦୁଆରକୁ ଆସିଲେ ଓ ମତେ ପଚାରିଲେ–ବଳିୟାର ସିଂ’ ଅଛନ୍ତି ?

 

ମୁଁ ହଁ' କଲି ।

 

ତା’ପରେ ସେ ଘର ଭିତରକୁ ପଶି ଆସିଲେ ।

 

ବଳିୟାର ସିଂ ସେତେବେଳେ ବିଡ଼ି ଟାଣୁଥିଲେ ଓ ରହି ରହି କାଶୁଥିଲେ ।

 

ହସି ହସି ମିଶ୍ରବାବୁ କହିଲେ–ମୋର ଇଟା ଓ ଗୋଡ଼ି ଆଦି ମୁଁ ଆପଣଙ୍କ ଘରେ ରଖୁଛି-?

 

ବଳିୟାର ସିଂ କହିଲେ–କ’ଣ ଆସିଗଲାଣି ?

 

ହଁ–କେତେଟା ଟ୍ରିପ୍ ପକେଇ ଦେଇଗଲାଣି । ଆମ ଘରେ ଆଉ ଜାଗା ନାହିଁ ।

 

ମୋର ଆପତ୍ତି ନାହଁ ।

 

ତା’ହେଲେ କବଲାଟା କ’ଣ ଆଜି କରିଦେବା ?

 

ଆପଣଙ୍କର କିଛି ଅସୁବିଧା ଅଛି ?

 

ଅସୁବିଧା ଆଉ କ’ଣ ? ଆପଣ ଟଙ୍କାତକ ଏଇନେ ନେଇଯାଆନ୍ତୁ ।

 

ଏଇନେ ଦରକାର ନାହିଁ । ଆପଣ ପରେ ଦେବେ । ସବ୍‌ରେଜିଷ୍ଟରଙ୍କ ଆଗରେ ।

 

ବର୍ତ୍ତମାନ ନେଇଗଲେ ସୁବିଧା ହୁଅନ୍ତା । ଏତେଗୁଡ଼େ ଟଙ୍କା । ଗଣିବାକୁ କେବଳ ଘଣ୍ଟାଟିଏ ଲାଗିବ ।

 

ଆଚ୍ଛା ଆପଣ ଯାଆନ୍ତୁ, ମୁଁ ଯାଉଛି ।

 

ମିଶ୍ରବାବୁ ଚାଲିଗଲା ପରେ ବଳିୟାର ସିଂ ଦାଣ୍ଡପିଣ୍ଡାରେ ଯାଇ ଟହଲ ମାରିବାକୁ ଲାଗିଲେ । ଖାଲି ଘରୁ ଦାଣ୍ଡଦୁଆର ଓ ଦାଣ୍ଡଦୁଆରୁ ଘର ।

 

ମୁଁ ଘର ଭତରକୁ ଯାଇ ମୋର ବିଛଣାଟା ଆଗ ଟେକିଦେଲି ଓ ଖଣ୍ଡେ ବାସି ଖବର କାଗଜରେ ଆଖି ପକେଇଲି । ଅନୁ ସେତେବେଳେ ଘର କାମରେ ଲାଗିଯାଇଥିଲା ଓ ବୁଲି ମା’ ଏକୁଟିଆଟି ହୋଇ ବସି ରହିଥିଲା । ଘରର ସମସ୍ତେ ଯିଏ ଯାହାର କାମ କରିଯାଉଥିଲେ; ଅଥଚ କାହା ମୁହଁରେ କଥା ନ ଥିଲା । ସମସ୍ତେ ନୀରବ ଆଉ ନିଶ୍ଚଳ । କଥାବାର୍ତ୍ତା କରିବାକୁ ଭାଷା ଅବା ସରିପାଇଛି ।

 

ମୁଁ ଝାଡ଼ା ଯାଇ ଦାନ୍ତ ଘଷୁଛି ଗୋଲଖ ଆସି ପହଞ୍ଚିଲା । ଗୋଲଖ ପଛେ ପଛେ ମଟର ବି ଦୁଆରେ ଲାଗିଲା । ମୂଲିଆମାନେ ଖପାଖପ୍ ଡ଼େଇ ଦୁଆରମୁହଁରେ ଇଟା ଗଦା ମାରିବାରେ ଲାଗିଗଲେ । ଗୋଲଖ ବୋଧେ ବୁଝିପାରିଲାନି–କାହାର ଇଟା ଆସି ଜମା ହେଉଛି । ମୋ ସାଙ୍ଗେ କଥା ହେଉଥିଲାବେଳେ ମୁଁ ମିଶ୍ର ଘରର ବୋଲି କହିଲି । ମୁହଁଟା କେମିତି ତା’ର ଫିକା ପଡ଼ିଗଲା । ତା’ପରେ ହଠାତ୍ ଲାଲ୍ ଦେଖାଗଲା । କିଛି ବେଳଯାଏ ସେ ତୁନି ରହିଲା । ମତେ ଅଳ୍ପ ଅପେକ୍ଷା କରିବାକୁ କହିଦେଇ ସେ ବୁଲି ମା’କୁ ବାହାରକୁ ଡାକିନେଲା । ଗୋଲଖ ଆସିବା କଥା ବଳିୟାର ସିଂ ଜାଣିନାହାନ୍ତି । ସେ ମିଶ୍ର ଘରକୁ ଯିବାକୁ ବୋଧେ ତରତର ହେଉଥିଲେ । ଲୁଗା ପିନ୍ଧୁଥିଲେ ଓ ଜରସମନ୍ କେତେ ଟଙ୍କା ହେଲା ଗୋଟିଏ କାଗଜରେ ହିସାବ କରୁଥିଲେ ।

 

ଅନୁ କାମଦାମ କରି ଯାଉଥିଲା ବେଳେ ଖାଲି ଏପଟ ସେପଟ ଚାହୁଁଥିଲା ଓ କିଏ ଯାଉଛନ୍ତି ଓ ଆସୁଛନ୍ତି ସେମାନଙ୍କୁ ତା’ ସହିତ ଲକ୍ଷ୍ୟ କରୁଥିଲା । ମନରେ ତା’ର ସୁଖ ନ ଥିଲା । ଛଡ଼ାଫୁଲଟିଏ ଭଳି ସେ ମଳିନ ଦେଖାଯାଉଥିଲା । ଫୁଲଟିକି କିଏ ଯେପରି ଗୋଡ଼ରେ ଦଳି ଚକଟି ଦେଇଛି ।

 

ଗୋଲଖ ସାଙ୍ଗେ ବୁଲି ମା’ କଥା ହେଉଥିଲାବେଳେ ମୁଁ ଭାବୁଥିଲି–କେମିତି ଶୀଘ୍ର ମୁଁ ଏଠୁ ଚାଲିଯିବି । ଗଲା ରାତିରେ ଗୋଲଖ ସାଙ୍ଗେ ଯୋଉ ବିଷୟରେ କଥା ହେଉଥିଲି, ସେ ବୋଧେ ବୁଲି ମା’କୁ ସେଇ କଥା କହୁଛି । ତା’ ପାଖକୁ ଚାଲିଗଲେ ଅନୁର ଆଉ ଅସୁବିଧା ହେବନି-। ବାକି ରହିଲା ରମା–ଆଉ ଥରେ ଡକେଇ ପଠେଇବାର କାରଣ କ’ଣ ଯେ ହୋଇପାରେ ସେଇ ବିଷୟରେ ମୁଁ କେବଳ ଚିନ୍ତା କରୁଥିଲି ।

 

ମୂଲିଆମାନେ ବାହାରେ ଇଟାସବୁ ଥାକ ମାରିଲାବେଳେ ଠକ୍‌ଠାକ୍ ଶବ୍ଦ ହେଉଥିଲା । ଦି’ଜଣ ଟ୍ରକ ଉପରୁ ଇଟା ପକାଉଥିଲେ, ଦି’ଜଣ ତଳେ ରହି ତାକୁ ଧରି ନେଉଥିଲେ ଓ ଆଉ ଦି’ଜଣ ପିଣ୍ଡାରେ ଥାକ ମାରିବାରେ ଲାଗିଯାଇଥିଲେ ।

 

ଘର ଭିତରୁ ବଳିୟାର ସିଂ ରହି ରହି କାଶୁଥାଆନ୍ତି ।

 

ମନେ ମନେ ମୁଁ ତୁଳନା କରୁଥାଏ–ବଳିୟାର ସିଂ ପରିବାର ସଙ୍ଗେ ମିଶ୍ରବାବୁଙ୍କ ପରିବାରକୁ । ବଳିୟାର ସିଂଙ୍କର କୋଉ ଯୁଗର ଆଭିଜାତ୍ୟ ଓ ଘରୁଆ ପରିବାର ଆଜି ଭାଙ୍ଗିଯିବାକୁ ବସିଛି ଓ ତା’ ସାଙ୍ଗେ ସାଙ୍ଗେ ମିଶ୍ରବାବୁଙ୍କର ନୂଆ ଆଭିଜାତ୍ୟ ଓ ନୂଆ ନୂଆ କିସମର କେତେ କେତେ କଥା ତାସ୍‌ର ରାଜପ୍ରାସାଦ ଭଳି ମୁଣ୍ଡଟେକି ଠିଆ ହେଲାଣି ।

 

ମୋ ମନ ଭିତରୁ କିଏ ଯେପରି ଜବାବ୍ ଦେଲା–ଏ ଦୁନିଆଟା ପରିବର୍ତ୍ତନଶୀଳ । ଆଜି କଥା କାଲିକି ପୁରୁଣା ହେଲାଣି । ଆଜି ସେ ସୁଖରେ ଚଳୁଛି ଆଉ ଐଶ୍ଚର୍ଯ୍ୟର ସିଂହାସନରେ ବସିଛି, କାଲିକି ସେ ଭିକ ମାଗିଲାଣି । ଯିଏ ଆଜି ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି, ଆସନ୍ତାକାଲି ପାଇଁ ଥୁଆ ହୋଇଛି ତା’ ପାଇଁ ଟଙ୍କା ସୁନା ଓ ମାନସମ୍ମାନ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ହେଲେ ନାହିଁ ।

 

ଗୋଲଖ ସାଙ୍ଗେ କଥାବାର୍ତ୍ତା ସାରି ଫେରିଲାବେଳେ ବୁଲି ମା’ର ମୁହଁ ଭାରି ତୋଫା ଦେଖାଯାଉଥିଲା ଓ ମୋ ଆଡ଼ିକି ଚାହିଁଦେଇ ସେ ହସିଦେଲା ।

 

ଗୋଲଖ ଯେ ବୁଲି ମା’ ଆଗରେ ଆମର ସବୁକଛି କଥାବାର୍ତ୍ତା ସବୁ ଖୋଲିକରି କିଛି ଏ କଥା ବୁଝିବାକୁ ମୋର ଆଉ ବାକି ନ ଥିଲା ।

 

ଗୋଲଖ ମତେ ବାହାରକୁ ଯିବାକୁ ଡାକିଲା । ବଳିଆର ସିଂ ସିଏ ଆସିବା ବିଷୟ ଯେ ନ ଜାଣନ୍ତୁ, ଏ କଥା ଗୋଲଖ ବୋଧେ ଇଚ୍ଛା କରୁଥିଲା । ସେଥିପାଇଁ ସେ ମତେ ଆସ୍ତେକରି ଡାକିଲା ।

 

ସେତେବେଳକୁ ମୋର ଦାନ୍ତଘଷା ସରି ଯାଇଥିଲା । ବଳିୟାର ସିଂଙ୍କ ପାଇଁ ଅନୁ ବୋଧେ ଚା’ କରିଥିଲା । ମତେ ସେ ଚା’ ଖାଇବାକୁ ଡାକିଲା । ଗୋଲଖ ଆସିବା କଥା ସେ ଜାଣି ନ ଥିଲା ।

 

ବାହାରେ ଖାଇବି ବୋଲି କହିଦେଇ ମୁଁ ଲୁଗାପଟା ପିନ୍ଧି ଚାଲିଆସିଲି ।

 

ଅନୁ ପଛଆଡ଼ୁ, ଆମ ଦିହିଁଙ୍କି ଲକ୍ଷ୍ୟ କରୁଥିଲା ।

 

ଗଲାବେଳେ ବୁଲିମା’ ଧାଇଁ ଆସି ମତେ କହିଲା–ଶୀଘ୍ର ଫେରିଆସିବ ।

 

ଗୋଲଖକୁ ଦାଣ୍ଡଦୁଆରେ ଠିଆ କରିଦେଇ ମୁଁ ପୁଣି ଥରେ ଘର ଭିତରକୁ ପଶିଗଲି । ମୋ ଘରର ଦୁଆର ଫିଟେଇବା ପରିବର୍ତ୍ତେ ମୁଁ ସିଧା ଚାଲିଲି ରୋଷେଇ ଘରଆଡ଼େ । ଅନୁ ପାଖକୁ-। କେତେ କ’ଣ କହିଦେବାକୁ ମୋର ଇଚ୍ଛା ଥିଲା । ସେ ବି ମୋ ପାଖକୁ ଲାଗିଆସିଲା । ତା’ ମୁହଁକୁ ଅନେଇ ଦେଇ ସବୁକିଛି ମୁଁ ଭୁଲିଗଲି । ଥରୁଟିଏ କେବଳ ହସିଦେଲି ।

 

ମୋ ହସଟା ତା’ ମୁହଁରେ କେବଳ ପ୍ରତିବିମ୍ବିତ ହେଲା; କିନ୍ତୁ କୋଉ କାରଣରୁ ଯେ ମୁଁ ହସିଲି ସେ ଜାଣିପାରିଲାନି । ତା’ ଆଖିରୁ କେବଳ ଜାଣିପାରିଳି–ସେ ପଚାରୁଥିଲା, କଥା କ’ଣ ?

 

ମୁଁ କହିଲି–ସଜବାଜ ହୋଇ ବସିଥା । ନୂଆଘରକୁ ଯିବୁ ।

 

ମୋ କଥାକୁ ସେ କିଛି ହେଲେ ବୁଝିପାରିଲାନି ।

 

ବୁଲି ମା’ ଆମ ପଛଆଡ଼େ ଠିଆହୋଇ ସବୁ କଥାବାର୍ତ୍ତା ଆମର ଶୁଣୁଥିଲା ।

 

ମୁଁ ବି ହସିଦେଲି । ହସି ହସି ମୁଁ ଘରୁ ବାହାରି ଆସିଲି ।

 

ବଳିଆର ସିଂ ସେତେବେଳେ ମିଶ୍ର ଘରକୁ ଯିବାକୁ ବାହାରି ଆସୁଥିଲେ । ମତେ ଯାଉଥିବାର ଦେଖି କହିଲେ–ରମା ଘରକୁ ଯିବଟି ? ସେ ଅନେକ କରି ମତେ କହିଥିଲା ।

 

ମୁଁ ଯିବି ବୋଲି ମୁଣ୍ଡ ଟୁଙ୍ଗାରି ଦେଇ ଚାଲିଗଲି । ବୁଲି ମା’କୁ କହିଲି–ଏଇ ସାଙ୍ଗେ ସାଙ୍ଗେ ମୁଁ ଆସୁଛି ।

 

ଗୋଲଖର ମୋର ସାଙ୍ଗ ହୋଇ ଯାଇ ପାଖରେ ଥିବା ଗୋଟିଏ ରେଷ୍ଟୁରେଣ୍ଟରେ ଆଗ ଜଳଖିଆ କଲୁ । ତା’ପରେ ଚା’ । ଗୋଲଖ ସବୁକିଛି ସେଦିନ ବରାଦ୍ ଦେଲା । ମୁଁ ଯେତେ ମନାକଲେ ବି ଶୁଣିଲାନି ।

 

କଥାବାର୍ତ୍ତା ଛଳରେ ମୁଁ ସେଦିନ ଜାଣିପାରିଲି–ଗୋଲଖ ମନ୍ଦ ପିଲା ନୁହେଁ । ପିଲାଟା ଭଦ୍ର ଆଉ ମାର୍ଜିତ । ଅବସ୍ଥାରେ ପଡ଼ି କେତେଗୁଡ଼ିଏ କୁଅଭ୍ୟାସ ଗୋଟେଇ ଆଣିଥିଲା । ତା’ଛଡ଼ା ପଢ଼ାପଢ଼ି ବି ତା’ର କମ୍ ନୁହେଁ । ଅସୁବିଧା ଯୋଗୁଁ ପିଲାଦିନେ ବେଶି ବାଟ ପଢ଼ିପାରି ନ ଥିଲା । କିନ୍ତୁ କଥାବାର୍ତ୍ତାରୁ ତା’ର ବୁଝିଲି–ଗୋଲଖ ନିୟମିତ ଖବରକାଗଜ ପଢ଼ାପଢ଼ି କରେ । ଦେଶ ବିଦେଶର ଖବର ରଖିଛି । କେତେ କେତେ ନୂଆ ବହିପତ୍ର ଆଣି ପଢ଼ିବା ତା’ର ବି ଗୋଟିଏ ଅଭ୍ୟାସ । ରୋଜଗାର କରିବାକୁ ସେ ଅକ୍ଷମ ନୁହେଁ । ଅନେକ ଫନ୍ଦିଫିକର ଆଉ କୌଶଳ ସେ ହାସଲ କରିପାରିଛି । ଯେତେ ଯାହା ଅସୁବିଧା ପଡ଼ିଲେ ଦି ଦିନକୁ ପାଞ୍ଚ ସାତଟଙ୍କା ସେ ରୋଜଗାର କରିପାରିବ । ତା’ଛଡ଼ା ଗୋଲଖର ଆଉ ଗୋଟିଏ ଭଲ ଗୁଣ ହେଲା–ସେ ଭାରି ଖୋଲା । ଯାହା ପାଖରେ ତା’ର ମନ ମିଳିଥିବ, ତା ପାଖେ ଗୋଲଖର ପର ଆପଣା ନ ଥାଏ । ହୃଦୟ ଖୋଲି ସବୁ କଥା ତା’ର କହିଯାଏ ।

 

ଗୋଲଖ ଓ ମୁଁ ସାଙ୍ଗ ହୋଇ ବଜାର ଭିତରେ ଅନେକ ବାଟଯାଏ ବୁଲିବାକୁ ଗଲୁ । କଥାବାର୍ତ୍ତା ହୋଇ ଚାଲିଥାଉ । ଗୋଲଖ ବେଶି କହୁଥାଏ ମିଶ୍ର ଘରର କଥା । ସେମାନେ କେମିତି ବଡ଼ଲୋକ ହୋଇଛନ୍ତି । ପରର ତଣ୍ଟି ଚିପି, ୟା’ ତା’ ଜମିବାଡ଼ି ଓ ଡିହ ଅନ୍ୟାୟ ଭାବରେ ମାଡ଼ିବସି ନାନା ଅସତ୍ ଉପାୟରେ ଧନ ଉପାର୍ଜନ କରି । ଗୋଲଖ କହିଲାବେଳେ ନିଜ କଥା କହୁ ନ ଥିଲା-। କହୁଥିଲା–ଅନ୍ୟମାନଙ୍କ କଥା । ମିଶ୍ରଘର ଉପରେ ତା’ର ରାଗ ଓ ତା’ କଥା କହିବା ଭଙ୍ଗିରୁ ଜାଣିପାରିଲି–ତା’ ମନ ଭିତରେ କେତେ ଦିନର ସଞ୍ଚିତ ରାଗ କିପରି ଜମାଟ ବାନ୍ଧି ରହିଛି । ବେଳ–କାଳ ଉଣ୍ଡି ସେ ନିଶ୍ଚେ ହେଲେ ଦିନେ ତା’ର ପ୍ରତଶୋଧ ନେବ ।

 

ଗୋଲଖକୁ ମୁଁ ଅନେକ କରି ବୁଝେଇଲି । କହିଲି, ଅନ୍ୟର କଥା ଆଲୋଚନା କରି ଆମର ଲାଭ କ’ଣ । ଯିଏ ଯେମିତି ଧନ କମେଇଲା କି ବଡ଼ଲୋକ ହେଲା, ଆମର ସେଥିରେ ଯାଏ ଆସେ କେତେ ? ଆଜିଠୁଁ ଆମେ ସେ ଦିଗରେ ଚେଷ୍ଟା କରିବା ଉଚିତ ।

 

ଗୋଲଖ କିନ୍ତୁ ବୁଝିଲାନି । କହିଲା–ଆମେ ଯେତେ ଯାହା ଚେଷ୍ଟା କଲେ ବି ପାରିବାନି-। ଖାଲି ପରିଶ୍ରମ କରି କିଏ କେବେ ବଡ଼ଲୋକ ହେଲାଣି ? ପରର ଚୋରି ନ କଲେ ନ ବୁଦ୍ଧି ଖର୍ଚ୍ଚ କରି ଅନ୍ୟର ସର୍ବନାଶ ନ କଲେ ନିଜେ ବଡ଼ଲୋକ ହୋଇପାରିବା ବୃଥା । ଖାଲି ସେତିକି ନୁହେଁ–ଏ ସମୟରେ ଫାଇଦା ଉଠେଇବା ଦରକାର । ବାହାର ଭଲଲୋକ ଓ ସାଧୁ ସାଜି ଭିତରେ ଭିତରେ ନିଜକୁ ନ ଗଢ଼ିଲେ, ନିଜର ପେଟ ନ ପୂରେଇଲେ କି ନିଜର ବ୍ୟାଙ୍କ୍ ବ୍ୟାଲାନ୍‌ସ ନ ବଢ଼େଇଲେ ଏ ଯୁଗରେ ବଡ଼ ହୋଇ ମୁଣ୍ଡଟେକି ପାରିବା ମୁସ୍‌କିଲ ହେବ ।

 

ଗୋଲଖ କଥାକୁ ତୁଣ୍ଡରେ କେବଳ ମନା କରୁଥିଲେ ବି ମୁଁ ତା’ର ସତ୍ୟତା ବେଶ୍ ଉପଲବ୍‌ଧି କରିପାରୁଥିଲି । ବେଳେ ବେଳେ ସେ ଉତ୍ତେଜିତ ହୋଇ କହିଯାଉଥିଲାବେଳେ ମୁଁ କେବଳ ତୁନି ରହୁଥିଲି ।

 

ପୁରୀ ସହରର ଦୋକାନଗୁଡ଼ିକ ଆସ୍ତେ ଆସ୍ତେ ଖୋଲିବାକୁ ଲାଗିଲା । ଚାଲିଲା କିଣାବିକା । ଲୋକଗହଳି ବଢ଼ିଲା । ବସ୍ତାରେ ଗାଡ଼ି ଘୋଡ଼ା ଛୁଟିଲା ।

 

ଘଡ଼ିକି ଅନେଇଲି । ଆଠଟା ଆସି ବାଜିଲାଣି । କହିଲି–ଗୋଲଖ, ଫେରିବା ଚାଲ ।

 

ଘରକୁ ଫେରିଯିବାକୁ ମୋର ଇଚ୍ଛା ନ ଥିଲା । ଅନୁ ଓ ବୁଲି ମା’ ବିଷୟରେ ଗୋଲଖ ସାଙ୍ଗେ କଥାବାର୍ତ୍ତା ହେବାକୁ ଆରମ୍ଭ କଲାବେଳେ ସେ କଥାର ମୋଡ଼ ବଦଳେଇ ଦେଉଥିଲା । ଦାଣ୍ଡରେ ସେ ବିଷୟରେ କଥା ହେବାକୁ ତାକୁ ବୋଧେ ଭଲ ଲାଗୁ ନ ଥିଲା ।

 

ଗୋଲଖ ଲଗେଇଲା–ତା’ ଘରଠିକି ଯିବାକୁ । ମୋର ବି ସେଇଆ ଇଚ୍ଛା ଥିଲା । ଦୁହେଁ ଚାଲି ଚାଲି ତା’ ଘରେ ଯାଇ ପହଞ୍ଚିଲୁ । ଗୋଲଖ ସାଙ୍ଗେ ସାଙ୍ଗେ ଷ୍ଟୋଭରେ ଚା’ ବସେଇଲା । ଚା’ ଆଉ ସିଗାରେଟ୍ ଖାଇସାରିଲା ପରେ ଆମେ କିଛି ସମୟ ତୁନତାନ୍ ବସିରହିଲୁ ।

 

ପ୍ରଥମେ ମୁଁ ଆରମ୍ଭ କଲି–ଅନୁ କଥା କ’ଣ କରିବା କହିଲୁ ?

 

ଗୋଲଖ ଅଳ୍ପ ବେଳଯାଏ କିଛି ହେଲେ କହିଲାନି । ତା’ ପରେ କହିଲା–ସେମାନେ ସବୁ ଏଠିକି ଆସିଗଲେ ମୁଁ ତା’ର ପଢ଼ାପଢ଼ିର ବନ୍ଦୋବସ୍ତ କରିବି । ମାଇନର ଖଣ୍ଡିକ ହୋଇଗଲେ ଚାକିରି ବାକିରି ବୁଝି ପୂରେଇ ଦେବି ।

 

ତା’ ହେଲେ କ’ଣ ଆଉ ସେ ବିଭା ହେବନି ? ମୁଁ ପଚାରିଲି ।

 

ସେଇଟା ହେଲା ପର କଥା । ନିଜ ପେଟ ଆଗ ପୋଷି ପାରିବାକୁ ସମର୍ଥ ହେବା ଦରକାର । ସେ ଯଦି ଇଚ୍ଛାକରେ ସେ ଆପେ’ଇ ଠିକ୍ କରିବ ।

 

ଆଉ କଛି ମୋର କହିବାର ନଥିଲା । କଥାଟାର ଖିଅ । ବଦଳେଇ ମୁଁ କହିଲି–ମୁଁ ଯେମିତି ନିମନ୍ତ୍ରଣ କାର୍ଡ଼ ପାଏ ?

 

ନିଶ୍ଚୟ ପାଇବେ । ଗୋଲଖ କଥାରେ ଦମ୍ଭ ଆଉ ବିଶ୍ଵାସ ଭରି ରହିଥିଲା ।

 

ମନେ ମନେ ମୁଁ ଆଶ୍ଵସ୍ତ ହେଲି । କହିଦେବି ବୋଲି ମୁଁ ଯାଉଥିଲି–ଅନୁକୁ ତୁମେ ବିବାହ କଲେ କେମିତି ହୁଅନ୍ତା ? କଥାଟା ତୋଟି ପର୍ଯ୍ୟନ୍ତ ଆସି ପୁଣି ଫେରିଗଲା ।

 

ଅନେକ କଥା ଅଛି ସେସବୁ ଖୋଲିକରି କହି ହୁଏନି । କହିଦେଲେ ତା’ର ଗୁମର ଭାଙ୍ଗିଯାଏ । ଏମିତି ଅନେକ ଜାଗାରେ ହୁଏ–ନ କରିବା କଥାଟା ଖୋଲାଖୋଲି କହିଦେଲେ ଫଳ ବି ବିପରୀତ ହୁଏ । କିନ୍ତୁ ମନରେ ମୋର ଦୃଢ଼ଧାରଣା ହେଲା ଯେ–କେବେ ଅନୁର ବିଭାଘର ନେଇ ଯେବେ ନିମନ୍ତ୍ରଣ କାର୍ଡ଼ ପାଏ, ସେ ନିଶ୍ଚୟ ଗୋଲଖ ସହିତ ।

 

ସାଙ୍ଗେ ସାଙ୍ଗେ ଅନୁର ଫୁଙ୍ଗୁଳା ଶରୀର ମୋ ଆଖି ଆଗରେ ଆସି ନାଚିଗଲା । ଯୋଉଦିନ ତା’ କାନ୍ଧ ଉପରେ ହାତ ପକେଇ ଦେବାକୁ ଗଲାବେଳେ ନଥାପକା ଶାଢ଼ୀଟି ଦେଖି ହାତ ମୋର ତଳେ ଯାଇ ବାଡ଼େଇ ହୋଇଯାଇଥିଲା, ସେ କଥା ବି ମନେପଡ଼ିଗଲା । କେଡ଼େ ଭୁଲ୍ ମୁଁ ନ କରି ଥାଆନ୍ତି ?

 

କଥାବାର୍ତ୍ତା ହୋଇ ଆମେ ପୁଣି ଫେରି ଆସିଲୁ । ଗୋଲଖ ସାଇ ମୁଣ୍ଡଯାଏ ଛାଡ଼ିବାକୁ ଆସିଲା । ତାକୁ କହିଲି ଏଇ ସନ୍ଧ୍ୟା ଗାଡ଼ିରେ ମୁଁ କଟକ ଫେରିଯାଉଛି । କ’ଣ ସବୁ ହେଲା ମୋ ପାଖକୁ ଚିଠି ଦେବା ପାଇଁ ଗୋଲଖକୁ ଅନୁରୋଧ କଲି ।

 

ଗୋଲଖ ହଁ ଭରିଲା ଓ ନମସ୍କାର ହୋଇ ମୋ ପାଖରୁ ବିଦାୟ ନେଲା ।

 

ସେଇଦିନ କଟକ ଫେରି ଆସିବାକୁ ମନେ ମନେ ଠିକ କରିଥିଲି; କିନ୍ତୁ ଖାଇବା ଆଗରୁ ବୁଲି ମା’ କି ଅନୁ କାହା ଆଗରେ କହିଲାନି । ଘର ଭିତରେ ମୋର ବିଛଣାପତ୍ର ଓ ଅନ୍ୟାନ୍ୟ ଜନିଷ ସବୁ ଇଆଡ଼େ ସିଆଡ଼େ ପଡ଼ିଥିଲା । ସେ ସବୁକୁ ଗୋଟେଇ ଆଣି ମୋର ଚମଡ଼ା ସୁଟକେଶ୍‌ରେ ରଖିଲି । ବେଡ଼ିଂଟା ବନ୍ଧିବା ଛଡ଼ା ଆଉ ସବୁ ଠିକ୍ ଠାକ୍ କରିଦେଲି ।

 

ବୁଲି ମା’ଠୁ ବୁଝିଲି–ବଳିୟାର ସିଂଙ୍କର ସେଦିନ ଘର କବଲା କରିବା କଥା । ତାଙ୍କ ସାଙ୍ଗେ ଦେଖା କରିବା ମୋର କିଛି ଦରକାର ନ ଥିଲା; କିନ୍ତୁ ରମାକୁ ଥରୁଟିଏ ଅନ୍ତତଃ ଦେଖିଯିବା ଦରକାର । ଆରଦିନ ତାଙ୍କ ଘରକୁ ଯାଇଥିଲି । ବଡ଼ପୁଅକୁ ତା’ର ଦେଖି ପାରିଲିନି କି ପିଲାଙ୍କ ପାଇଁ ମିଠେଇ କି ବିସ୍କୁଟ ଆଦି ନେଇ ନ ଥିଲି । ଦେଖାହେଲା ଅତି ଅଚାନକ ଭାବରେ ।

 

ଖାଇ ସାରିବା ପରେ ସେଇଦିନ ପୁରୀ ଛାଡ଼ିବା କଥା ବୁଲି ମା’ ଆଗରେ କହିଲି । ସେ ମନା କରୁଥିଲା ।

 

ତା’ କଥା ଶୁଣିବାକୁ ମୋର ଇଚ୍ଛା ନ ଥିଲା । ମନେ ପଡ଼ୁଥିଲେ ମୋର ଛୁଆପିଲା, ମୋର ସଂସାର ଓ ମୋ ଉପରେ ଥିବା ଅସଂଖ୍ୟ ଦାୟିତ୍ଵ । ନ କଲେ ନ ଚଳେ । ଘରେ ଅନ୍ୟମାନେ ଥିଲେ ବି ନିଜ କାମ ନିଜେ ନ କଲେ ମତେ ଭଲ ଲଗେନି । ବୁଲି ମା’କୁ କହିଲି–ରମା ଘରକୁ ଯିବାକୁ । ସନ୍ଧ୍ୟା ଗାଡ଼ିରେ କଟକ ଯିବା ଆଗରୁ ମୁଁ ତା’ ଘର ଦେଇ ଯିବି ।

 

ତା’ ପରେ ମୁଁ ପକେଇଲି ଗୋଲଖ କଥା । ସେ କିପରି ଜଣେ ଉଚ୍ଚଧରଣର ଲୋକ ଓ ତା’ ପାଖକୁ ଗଲେ ସେମାନଙ୍କର ଭଲ ହେବ ପଛେ ମନ୍ଦ ଯେ ହେବନି, ଏ କଥା କହିବାକୁ ବି ଛାଡ଼ିଲିନି ।

 

ବୁଲି ମା’ ମତେ କହିଲା–ବଳିଆର ସିଂ ଯେବେ ଗାଁକୁ ଯିବାକୁ ବଳାନ୍ତି, ତା’ହେଲେ ମୁଁ କ’ଣ କରିବି ? ତାଙ୍କୁ ମନା ତ କରି ହେବନି ।

 

ମୁଁ କହିଲି–ମନା କରିବା ଦରକାର ନାହିଁ । ଆଜି କିମ୍ବା କାଲି ରାତିରେ କେହି ନ ଉଠିବା ଆଗରୁ ସେମାନେ ଗୋଲଖ ଘରକୁ ଚାଲିଯିବା ଭଲ । ତାଙ୍କୁ କହିଲେ ଅସୁବିଧା । କି ଅବା ଜିନିଷ ଅଛି ଯେ କଷ୍ଟ ପଡ଼ିବ । ସବୁଗୁଡ଼ାକ ଆସ୍ତେ ଆସ୍ତେ ବୋହି ନେବା ଦରକାର ।

 

ବୁଲି ମା’ କିନ୍ତୁ ମନାକଲା । କହିଲା–ତାଙ୍କରି ଅନ୍ନରେ ମୁଁ ପିଲାଟିଦିନୁ ପ୍ରତିପାଳିତ ହୋଇ ଆସିଛି । ତାଙ୍କୁ ନ କହି ଆଉ କୁଆଡ଼େ ଗଲେ ଧର୍ମରେ ଦ୍ୱାହୀ ହେବି ।

 

ବୁଲି ମା’ ଯାହା କହୁଥିଲା–ଠିକ୍ କଥା । ତା’ କଥାରେ ମୁଁ ହିଁ ଭରିଲି । କହିଲି–ଯେବେ କିଛି ଅସୁବିଧା ହେଲା ?

 

ଯାହାକଛି ଅସୁବିଧା ପଡ଼ିବ ମୁଁ ବରଣ କରିବି !

 

ତା’ହେଲେ ମୁଁ ଯେପରି ଚିଠି ପାଏ । ବୁଲି ମା’କୁ ସାଙ୍ଗେ ସାଙ୍ଗେ ମୋର ଠିକଣାଟା ଦେଲି ।

 

ମା’ ଝିଅଙ୍କର ଖିଆପିଆ ସରି ନ ଥାଏ । ବୁଲିମା’ କହିଲା–ମୁଁ ଆଗ ରମା ଘରୁ ଚାଲିଆସେ କି ତା’ ପରେ ଖିଆପିଆ । ଖାଇସାରିଲେ ଆଉ ଯାଇ ପାରିବିନି ।

 

ବିଛଣାରେ ମୁଁ ବିଶ୍ରାମ ନେଲି, ଆଉ ବୁଲି ମା’ ଅନୁକୁ କ’ଣ କହିଦେଇ ଦାଣ୍ଡଆଡ଼ିକି ଗଲା ।

 

ଘରେ ରହିଲୁ ଅନୁ ଆଉ ମୁଁ ।

 

କିନ୍ତୁ ଅନୁ କଥା ମୁଁ ଆଉ ଭାବୁ ନ ଥିଲି । ମୋର ମନ–ସମୁଦ୍ର ଭିତରେ ରମା କେବଳ ଲହଡ଼ା ଭାଙ୍ଗୁଥିଲା ।

 

କାହିଁ କେତେଦିନର ଘଟଣା । ପିଲାଦିନେ କେବେ ଏଠିକି ମୁଁ ନ ଆସେ କି ସେମାନଙ୍କ ସଙ୍ଗେ ଦେଖା ନ ହୁଏ । ସିଏ ପୁଣି ମାମୁଲି ଧରଣର । କେତେ ଲୋକଙ୍କ ସାଙ୍ଗେ ଏମିତି ଚିହ୍ନା ପରିଚୟ ଥାଏ । ବିଭାଘର ପଡ଼େ । କଥାବାର୍ତ୍ତା ଚାଲେ । ଖାଲି କଥାବାର୍ତ୍ତା ନୁହେଁ–ଯିବା ଆସିବା, ଦିଆନିଆ ଓ ସୁଖ ଦୁଃଖ ବି ଚାଲେ, କିନ୍ତୁ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ସେ ସବୁ ପାସୋରି ଯାଏ-। ପଛକୁ ଅନେଇ ଦେଖିଲେ ସେ ସବୁ ମନେପଡ଼େନି ।

 

ଠିକ୍ ସେମିତି ରମା ସାଙ୍ଗେ ପରିଚୟ ଓ ବିଭାଘର ସକାଶେ ବୋଉ ସାଙ୍ଗେ ରମା ବୋଉଙ୍କର କଥାବାର୍ତ୍ତା । ଭାବନା ଭିତରେ ମୁଁ ବୟସର ବ୍ୟବଧାନ ଭୁଲିଯାଉଥିଲି । ଜଣାପଡ଼ୁଥିଲା–ସେ ସବୁ ଘଟଣା କାଲି ଅବା ଘଟିଯାଇଛି !

 

ଆମର ପୁରୀ ଆସିବା, ବଳିୟାର ସିଂଙ୍କର ପୂରନ୍ତା ଘର, ଏଇନେ ଭାଙ୍ଗିଯିବାକୁ ବସିଲାଣି । ମିଶ୍ରଘର ନଡ଼ିଆ ବିକୁଥିଲେ–ବର୍ତ୍ତମାନ ବଡ଼ ଲୋକ ହେଲେଣି । ଆଖିପିଛୁଳାକେ ଇଏ ସବୁ ଯେପରି ଘଟିଯାଉଛି । ସବୁ କିଛି ପରିବର୍ତ୍ତନଶୀଳ । ଦୁନିଆର ସବୁ ଘଟଣା ଓଲଟପାଲଟ ହବାରେ ଲାଗିଛି ।

 

ଅନୁ ସାଙ୍ଗେ ଆଉ କିଛି କଥା ହୋଇନି । ରମାର ଭାବନା ଭିତରେ ମୁଁ ଏତେ ବୁଡ଼ିରହିଥିଲି ଯେ ଅନୁ କଥା ଏକବାର ଭୁଲିପାଇଥିଲି । ଅନୁ ମୋ ଆଗରେ ଯା’ଆସ କରୁଥିଲା । ଭାବିଲି–ମୋ ସାଙ୍ଗେ କଥା ହେବାକୁ ବୋଧେ ଇଚ୍ଛା କରୁଛି । ସତରରେ କହୁଛି–ଗୋଲଖ ଆଗେ ମା’ ଝିଅଙ୍କ ବିଷୟରେ ସବୁକିଛି କହିବା ଆଗରୁ ମୁଁ ଯେତେ ପରିମାଣରେ ଅନୁ କଥା ଭାବୁଥିଲି, ତାଙ୍କ ପାଇଁ କିଛି ନା କିଛି ଗୋଟିଏ ବନ୍ଦୋବସ୍ତ କରିଦେଇ ସାରିଲା ପରେ ସେମାନଙ୍କ କଥା ମୁଁ ପାସୋର ଯାଇଥିଲି । ଅନୁ ବଦଳରେ ରମା ମୋ ଆଖି ଆଗରେ କେବଳ ନାଚୁଥିଲା । ମୋ ବଖରାଟିରେ ବସିରହି ଅନୁର ରକ୍ତ ମାଂସର ଶରୀରକୁ ସେଠି ଚଳପ୍ରଚଳ ହେଉଥିବାର ଦେଖୁଥିଲେ ଆଉ ଅନୁଭବ କରୁଥିଲେ ବି ରମାର ଆତ୍ମା ମୋ ମନ ରାଜ୍ୟରେ ପ୍ରଭାବ ବିସ୍ତାର କରିଥିଲା । ଭାବିଲି–ନଟବାବୁ ପ୍ରକୃତରେ ଭାରି ଭାଗ୍ୟବାନ । ରମା ଭଳି ସ୍ତ୍ରୀଟିଏ ପାଇ ଯିଏ ହେଲେ ନିଜକୁ ଧନ୍ୟ ମନେକରିବ । କେତେବେଳେ ସେ ଥିଲା ବଡ଼ଲୋକ ଆଉ ଜମିଦାରର ଝିଅ । ବର୍ତ୍ତମାନ ସେ ସୁଗୃହିଣୀ । ରମା ନଟବାବୁଙ୍କ ଘରକୁ ଗଲାଦିନୁ ତାଙ୍କର ଚାକିରିରେ ଉନ୍ନତି । ଶାଶୁଘରକୁ ଗଲାବେଳେ ରମା ଯାହାକିଛି ଯଉତୁକ ନେଇଥିଲା, ସେ ସବୁ ସରିଗଲାଣି । ଅଛି କେବଳ ତା’ର ଗୁଣ ଓଠରେ ହସ, ସଂସାର ଚଳେଇବାର ଅନୁଭୂତି ଆଉ ଆତ୍ମବିଶ୍ଵାସ । ମନରେ ତା’ର ଗର୍ବ ନାହଁ କି ଅହଙ୍କାର ନାହିଁ । ତା’ ନୋହିଲେ ନଟବାବୁଙ୍କ ହାତରେ ସେ କ’ଣ ମତେ ଡକେଇ ପଠେଇଥାଆନ୍ତା ।

 

ତା ସହିତ ମନେପଡ଼ିଲା ମୋର ସ୍ତ୍ରୀ । ମୋ ଫେରିଯିବାକୁ ଅପେକ୍ଷା କରି ବସିଥିବ । କାଇଁ ଆସିଲେନି ବୋଲି ସବୁବେଳେ ହୁଏତ ଭାବୁଥିବ । ପିଲାମାନେ ଗଣ୍ଡଗୋଳ କରୁଥିଲେ କି ଦୁଷ୍ଟାମୀ କରୁଥିଲେ, ମୁଁ ନ ଆସିଥିବା କଥା କହି ସେମାନଙ୍କୁ ମାଡ଼ ଦଉଥିବ ଓ ଗାଡ଼ି ମଟରକୁ ଅପେକ୍ଷା କରି ଚାହିଁଥିବ । କିନ୍ତୁ ମୁଁ ଭଲଭାବରେ ଜାଣେ–ଘରକୁ ଗଲା ପରେ ସେ ଏକଦମ୍ ବଦଳଯିବ । ମତେ ପ୍ରଥମେ ଦେଖିନେଇ ଯାହା କେବଳ ଥରୁଟିଏ ହସିଦେବ । ତା’ପରେ ମୁହଁ ଫଣଫଣ କରିବ । କହିବ–ଘରେ ଇଆ ନାହିଁ, ତା’ ନାହିଁ, ପିଲାମାନଙ୍କ ପାଇଁ ଔଷଧ ଦରକାର, ଶାସନ ନ କରି ପିଲାଗୁଡ଼ାକ ଖରାପ ହୋଇଗଲେଣି । ଖାଲି ଜନ୍ମ କରିଦେଲେ ତ ଚଳିବନି, ସେମାନଙ୍କୁ ମଣିଷ କରିବା ଦରକାର, ଭବିଷ୍ୟତ ଚିନ୍ତାର ପ୍ରୟୋଜନ । ୟାଙ୍କ ଘରେ ଦିନରାତି ଖଟି ଖଟି ଜୀବନଟା ଅକାରଣରେ କଟିଗଲା । ଏମିତ ନାନାରକମ କଥା ମୁଁ ଶୁଣି ଶୁଣି କାନ ତାବଦା ହେଇଗଲାଣି । ସିଏ ସିନା ଏସବୁ କହେ, କିନ୍ତୁ ମନରେ ତା’ର କିଛି ହେଲେ ନ ଥାଏ । ପାଟିରେ ତା’ର ବାଡ଼–ବତା ନ ଥାଏ । ଘାଣ୍ଟି ହଉଥିବ, ବିରକ୍ତରେ ପିଲାମାନଙ୍କୁ ଜାବଡ଼େ ଅଧେ ମାରୁଥିବ, କହୁଥିବ, ପାଟି କରୁଥିବ, ଏଣେ ବଡ଼ିସକାଳୁ ରାତି ନ’ଟା ଦଶଟା ଯାଏ ଘରର ଯାବତୀୟ କାମ ସେ କରୁଥିବ । ରାତିରେ ପୁଣି ତାକୁ ବିଶ୍ରାମ ନାହଁ । ପିଲାଗୁଡ଼ାକ ରାତିରେ ଗୋଟିକ ପରେ ଗୋଟିଏ ଉଠି ତାକୁ ହଇରାଣ କରନ୍ତି । କିଏ ମୁତିଲାଣି ତ କିଏ ହଗିଲାଣି । କିଏ ଖାଇବାକୁ ଲଗେଇଲାଣି ତ କାହାକୁ ଜର । ଏମିତି ନାନାପ୍ରକାର ଅସୁବିଧା, ଜଞ୍ଜାଳ ଓ ଛୁଆପିଲାଙ୍କୁ ଧରି ଖାଲି ବ୍ୟସ୍ତ ହେବା ଛଡ଼ା ଉପାୟ ନାହିଁ ।

 

ଘର କଥା ଯେତିକି ଯେତିକି ଭାବିଲି–କଟକ ଫେରିଯିବାକୁ ସେତିକି ସେତିକି ମୋର ମନ ଡାକିଲା । ଯେକୌଣସି ପ୍ରକାରେ ମତେ ଫେରିଯିବାକୁ ପଡ଼ିବ ।

 

ଏକୁଟିଆ ଏମିତି ବସିରହିଛି–ଦାଣ୍ଡଆଡ଼ୁ ବୁଲି ମା’ ଆସୁଥିବାର ଲକ୍ଷ୍ୟ କଲି ।

 

ସେ ଆସି କହିଲା–ରମା କହିଛି–ଯେବେ ଯିବ, ଘରେ ଶୀଘ୍ର ପହଞ୍ଚିବା ଦରକାର । ଚାରିଟା ଆଗରୁ ।

 

ଖରାବେଳେ ମୋର ବେଡ଼ିଂପତ୍ର ବନ୍ଧାବନ୍ଧି କରିଦେଲି । ଅନୁକୁ ପାଖକୁ ଡାକି ତା’ ସାଙ୍ଗେ କଥା ହେଲି । ବୁଲି ମା’କୁ ଆଶ୍ୱାସନା ଦେଲି । କହିଲି–ମୋ ଠିକଣାରେ ଚିଠି ଦେଲେ ସାଙ୍ଗେ ସାଙ୍ଗେ ମୁଁ ଆସିବି । ଗୋଲଖଟା ଭଲ ପିଲା । ସେ ଜବାବ ଦେଇଛି ସବୁକଥା ତୁମର ବୁଝିବ । ତୁମେସବୁ ଯେମିତି ହେଲେ ତା’ ଘରକୁ ଚାଲିଯିବ ।

 

ଅନୁ କିଛି ନ କହୁଥିଲେ ବି କାନ୍ଦ କାନ୍ଦ ହଉଥିଲା ଭଳି ମୁଁ ଜାଣିପାରିଲି ।

 

ବୁଲି ମା’କୁ ପାଖକୁ ଡାକି ମୋ ପାଖରେ ଗାଡ଼ିଖର୍ଚ୍ଚ ଓ ରମା ଘରକୁ ମିଠେଇ, ବିସ୍କୁଟ ନେବାକୁ କିଛି ପଇସା ରଖି, ବାକି କୋଡ଼ିଏ ତିରିଶ ଟଙ୍କା ବୁଲି ମା’ ହାତକୁ ବଢ଼େଇ ଦେଲି । ମୋର ରହିବା ଆଉ ଖାଇବା ପାଇଁ ସେ ଯେତେ ହୁସିଆର ଥିଲା ଓ ବୁଝାବୁଝି କରୁଥିଲା, ତା’ ତୁଳନାରେ ଟଙ୍କାତକ କିଛି ନୁହେଁ । ଟଙ୍କା ନବାକୁ ସେ ବି ରାଜି ନ ଥିଲା, ମୁଁ ବଳେଇବାରୁ ନେଲା ।

 

ସାଢ଼େ ତିନି ବେଳକୁ ରିକ୍‌ସା ଖଣ୍ଡିଏ ଡାକ ରମାଘରକୁ ଯିବାକୁ ମୁଁ ତାକୁ ବାଗେଇଲି । ବାଟ ଦୋକାନରୁ କିଣିନେଲି–ମିଠେଇ ଓ ଲଜେନ୍‌ସ । ବାଟଯାକ ଭାବି ଭାବି ଯାଉଥାଏ–ରମା କାହିଁକି ଅବା ଡକେଇଛି ? କ’ଣ ସିଏ ମତେ କହିବ ?

 

ତା’ ଘର ପାଖରେ ହେଲାବେଳକୁ ରମା ଝରକା ରେଲିଂକୁ ଧରି ଠିଆ ହୋଇଥିଲା । ମତେ ବୋଧେ ଅପେକ୍ଷା କରି । ଘରେ ସେଦିନ ନଟବାବୁ ନ ଥିଲେ, କି ଗୋଟେ କାମରେ ବାହାରକୁ ଯାଇଥିଲେ । ଯେମିତି ମତେ ଦେଖିଦେଇଛି–ରିକ୍‌ସାଟା ଆଗ ବିଦା କରିଦେବାକୁ କହିଲା । ମୋର ସୁଟ୍‌କେଶ୍ ଆଉ ବେଡ଼ିଂ ରିକ୍‌ସାବାଲା ଘରେ ଆଣି ରଖିଦେଲା । ବଡ଼ପୁଅ ‘ବିଜୟ’କୁ ମତେ ନମସ୍କାର ହେବାକୁ କହିଲା । ତାକୁ ମୋ ପାଖକୁ ଆଉଜେଇ ଆଣି ମୁଁ ତା’ ବାଳକୁ ସାଉଁଳେଇବାରେ ଲାଗିଲି । ରମା ହାତରୁ ଛୋଟ ପୁଅଟିକି କାଖରେ ଧରିଲି । ରମା କହୁଥିଲା–ମାମୁଁଙ୍କର ପୋଷାକ ମଇଳା ହେଇଯିବ । ତା’ କଥା ମୁଁ ଶୁଣିଲିନି । ଜଣାପଡ଼ିଲା–ମୁଁ ‘ଅଜୟ’କୁ ଅବା ଜାକି ଧରିନି ଯେ ରମାର ସ୍ପର୍ଶ ଅନୁଭବ କରୁଛି ।

 

ବିସ୍କୁଟ ପ୍ୟାକେଟ୍ ଓ ଲଜେନ୍‌ସ ଡବା ଖୋଲି ପିଲାମାନଙ୍କୁ ଖାଇବାକୁ ଦେଲି । ସେମାନେ ମାମୁଁ–ମାମୁଁ କହି ଅଳ୍ପ ସମୟ ମଧ୍ୟରେ ନିଜର ହୋଇଗଲେ । ବିଜୟକୁ ତା’ର ପଢ଼ାପଢ଼ି କଥା ଓ ‘ଅଜୟ’କୁ କାଖେଇ, ଗେଲ କରି ମୁଁ ବୁଡ଼ି ରହିଲି ।

 

ଇଆ ଭିତରେ ରମା ଘର ଭିତରକୁ ଚାଲିଗଲା । ସେ ବୋଧେ ଆଗରୁ ରନ୍ଧାବଢ଼ା କରିଥିଲା । ଗୋଟିଏ ଥାଳିଆରେ ସଜେଇକରି ଆଣିଲା ପୁରୀ ଆଉ ସରୁଚକୁଳି ।

 

ପିଠାକୁ ଦେଖିନେଇ ମୋର ସାଙ୍ଗେ ସାଙ୍ଗେ ମନେପଡ଼ିଗଲା, କେଇ ବର୍ଷ ତଳର ଘଟଣା । ପିଲାଦିନେ ରମା ଠିକ୍ ଏମିତି ଖାଇବାକୁ ଦେଇଥିଲା । ଆପେ ଆସି ସେ ପରଷିଥିଲା ।

 

ମୁଁ ହସି ହସି ପିଲାମାନଙ୍କୁ ଧରି ଖାଇବାକୁ ବସିଗଲି । ମୋର ହସ ଭିତରେ ଅତୀତର ଏଇ ଘଟଣାଟି ଆସି ଉବୁକା ମାରୁଥିଲା ।

 

ଅଳ୍ପ ଖାଇ କହିଲି–ବେଶ୍ ଭଲ ହୋଇଛି ।

 

ରମା କିଛି ହେଲେ କହିଲାନି । ତୁନି ରହିଲା ।

 

ମୁଁ ଖାଉଥିବା ଅବସ୍ଥାରେ ଆଉ ଗୁଡ଼ିଏ ପିଠା ଆଣି ଥାଳିଆରେ କୁଡ଼େଇଦେଲା । ମନାକଲାରୁ ଶୁଣିଲାନି । ପରେ ପରେ ଆଣିଲା ଚା’ । କହିଲା, ବାଟରେ ତ ଆଉ କିଛି ଖାଇବନି । ଘରେ ଯାଇ ଖାଇବ ।

 

ରମା ସାଇପଡ଼ିଶାର ଜଣେ ଲୋକ ହାତରେ ରିକ୍‌ସାଟିଏ ନେଇ ଆସିଲା । ହସି ହସି ମତେ ବିଦାୟ ଦେଲା । ଭାବିଥିଲି–ସେ କିଛି ମତେ କହିବ । କିଛି ହେଲେ ତ କହିଲାନି ? ଖୁଆଇ ପିଆଇ ଛାଡ଼ିବାକୁ ତା’ହେଲେ ଡାକିଥିଲା !

 

‘ଅଜୟ’ ଆଉ ‘ବିଜୟ’ ଦିହିଁଙ୍କି ଦିଟି ଚୁମା ଦେଇ ମୁଁ ବେଡ଼ିଂ ସୁଟକେଶ୍ ଧରି ରିକ୍‌ସା ଚଢ଼ିଲି । ପୁଅ ଦିହିଁଙ୍କ ଭିତରେ ରମାକୁ ଅନୁଭବ କଲି ।

 

ପିଲାଦିହେଁ କହିଲେ–ମାମୁଁ ଆଉ କେବେ ଆସିବେ । ରମାର ବି ସେଇ ଅନୁରୋଧ ।

 

ମୁଁ କହିଲି–ତୁମେ ସବୁ କଟକ ଆସିଲେ ମୁଁ ଯାଇ ଆସିବି ।

 

ରିକ୍‌‌ସାରେ ଚଢ଼ି ମୁଁ ରମା ଆଡ଼ିକି ଅନେଇଲି । ସେ ହସୁ ନ ଥିଲା କି ମୋ ଆଡ଼ିକି ଚାହୁଁ ନ ଥିଲା । ମୋ ଉପରେ ଆଖି ପକେଇ ଆଉ କ’ଣ ଅବା ଭାବୁଥିଲା ।

 

କଟକରେ ପହଞ୍ଚିଲାଯାଏ ମୁଁ ରମା ଛଡ଼ା ଆଉ କାହା କଥା ଭାବିନି ।

Image